
କନକ ବ୍ୟୁରୋ : ଶ୍ରୀମନ୍ଦିର ଚତୁଃପାଶ୍ୱର୍ ବିକାଶ ପାଇଁ ସିଂହଦ୍ୱାର ସମ୍ମୁଖରେ ଥିବା ଲଙ୍ଗୁଳି ମଠକୁ ଭାଙ୍ଗି ଦିଆଯାଇଛି। ଏପରିକି ମେଘନାଦ ପାଚେରି ନିକଟରେ ଥିବା ନାଗା ସାଧୁଙ୍କ ଧୂନା ଗାଦିକୁ ବନ୍ଦ କରି ଦିଆଯାଇଛି। ଏଠାରେ ଥିବା ତ୍ରିଶୂଳ, ବାନା ଆଦିକୁ କାଢ଼ି ନିଆଯାଇଛି। ଏହା ବିରୋଧରେ ନାଗା ସାଧୁମାନେ ମେଳି ବାନ୍ଧିଛନ୍ତି। ବିଭିନ୍ନ ପ୍ରାନ୍ତରୁ ନାଗା ସାଧୁମାନେ ପୁରୀଠାରେ ଏକାଠି ହେବା ସହ ପ୍ରଶାସନର ଲଙ୍ଗୁଳି ମଠ ଉଚ୍ଛେଦକୁ ବିରୋଧ କରିବା ଆରମ୍ଭ କରିଛନ୍ତି।
ପୁରୀରେ ପହଞ୍ଚିଥିବା ଦିଗମ୍ବର ଜନକ ନାଗା ସାଧୁ ବିଶ୍ୱମ୍ବର ପୁରୀ କହିଛନ୍ତି, ‘ ଲଙ୍ଗୁଳି ମଠରେ ବସି ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି। ଆଜି ସେହି ମଠକୁ ଭାଙ୍ଗି ଦିଆଯାଇଛି। ଏହି ମଠ ଆମର। ଏହି ମଠରୁ ଆମେ ଗୁରୁଦୀକ୍ଷା ନେଉଛୁ। ଭାରତର ବିଭିନ୍ନ ପ୍ରାନ୍ତରେ ୧ ହଜାରରୁ ଅଧିକ ନାଗା ସାଧୁ ଆଶ୍ରମ କରି ରହୁଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ ବି ନାଗା ସାଧୁମାନେ ମଠ କରି ରହୁଥିଲେ। କିନ୍ତୁ ପ୍ରଶାସନ ଆମ ମଠକୁ ଭାଙ୍ଗି ଦେଇଛନ୍ତି। ଆମ ଧୂନା ଗାଦିକୁ ବି ଦଖଲରେ ରଖିଛନ୍ତି। ଆମକୁ ଧୂନା ପୂଜା କରିବାକୁ ଦିଆଯାଉନି।
ଏହି ଧୂନା ବହୁ ପ୍ରାଚୀନ। ଯଦି ଆମକୁ ଏହି ଗାଦିରେ ପୂଜା ପାଇଁ ସୁଯୋଗ ନ ମିଳୁଛି, ତେବେ ବିକଳ୍ପ ବ୍ୟବସ୍ଥା କରାଯାଉ। ମଠ ପାଇଁ ଜାଗା ଦିଆଯାଉ।’ ଏଥିସହିତ, ସିଂହଦ୍ବାର ହେଉ କି ଅନ୍ୟ ତିନିଦ୍ୱାର, ଯେଉଁଠି ବି ହେଲେ ଜାଗା ଦିଆଯାଉ, ଯେଉଁଠାରେ ଆମେ ପୁନର୍ବାର ମଠ କରିପାରିବୁ। ସେହିଠାରେ ଧୂନା ଗାଦି ସହ ସାଧୁସନ୍ଥମାନେ ରହିପାରିବେ ବୋଲି କହିଛନ୍ତି।
from Kanak News https://ift.tt/3i9h3eV https://ift.tt/33YcNdf
No comments: