
କନକ ବ୍ୟୁରୋ : ଚିଲିକାରେ ଯାତ୍ରୀବାହୀ ଡଙ୍ଗା ଦୁର୍ଘଟଣାର ଅନେକ ନଜୀର ରହିଛି। ଅନେକ ଜୀବନ ଯାଇଛି। ସେଥିପାଇଁ ସରକାର ଚିଲିକାରେ ଯାତ୍ରୀ ପରିବହନ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରତ୍ୟେକ ଯାତ୍ରୀବାହୀ ଡଙ୍ଗା ଏସ୍ଓପି ମାନି ଯାତ୍ରୀ ପରିବହନ କରିବେ। ଡଙ୍ଗା ସବୁ ପଞ୍ଜୀକରଣ କରାଯିବ। ଡଙ୍ଗାର ବୀମା କରାଯିବ। ଲାଇଫ ଜ୍ୟାକେଟ୍ ବାଧ୍ୟତାମୂଳକ ଭାବରେ ରହିବ। ଡଙ୍ଗାର କ୍ଷମତା ଅନୁଯାୟୀ ଯାତ୍ରୀ ପରିବହନ ହେବ। ଏମିତି କେତେ କଣ ନିର୍ଦ୍ଦେଶନାମା ଜାରି କରାଯାଇଛି। କିନ୍ତୁ ଚିଲିକାରେ ଏହି ସବୁ ନିର୍ଦ୍ଦେଶକୁ ଫୁ କରି ଉଡ଼ାଇ ଦିଆଯାଇଛି।
ଚିଲିକାର ସାତପଡ଼ା ଘାଟରୁ ଜହ୍ନିକୁଦା ଘାଟକୁ ପ୍ରତି ଦିନ ଯାତ୍ରୀ ପରିବହନ ହୋଇଥାଏ। କୃଷ୍ଣପ୍ରସାଦ ବ୍ଲକ୍କୁ ଚିଲିକାର ଏହି ଘାଟରେ ଦୀର୍ଘ ୫ କିଲୋମିଟର ଜଳପଥରେ ଯାତ୍ରୀ ପ୍ରତି ଦିନ ଯାତାୟାତ କରିଥାନ୍ତି। ସେଥିପାଇଁ ସରକାରଙ୍କର ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ପକ୍ଷରୁ ଗୋଟିଏ ଭସାପୋଲ ଯାତ୍ରୀ ପରିବହନ କରୁଛି। ନିକଟରେ ଯାତ୍ରୀମାନଙ୍କ ସୁବିଧା ପାଇଁ ସିଡିଏ ପକ୍ଷରୁ ଆଉ ଗୋଟିଏ ଭସାପୋଲ ଚାଲିଛି। ଦୁଇଟି ଭସାପୋଲ ଚିଲିକାରେ ଯାତ୍ରୀ ପରିବହନ କରୁଛି।
ଏହା ସହିତ ସ୍ଥାନୀୟ ପ୍ରଶାସନ ଯାତ୍ରୀମାନଙ୍କ ସୁବିଧା ପାଇଁ ଦୁଇଟି ଘାଟ ଡଙ୍ଗା ଦ୍ୱାରା ଯାତ୍ରୀ ପରିବହନ କରୁଛି। ଏହା ବ୍ୟତୀତ ଚିଲିକାରେ ଘରୋଇ ଭାବରେ ଡଙ୍ଗା ଯାତ୍ରୀ ପରିବହନ କରୁଛି। ଘରୋଇ ଭାବରେ ଚିଲିକାରେ ଅନେକ ଯାତ୍ରୀବାହୀ ଡଙ୍ଗା ପ୍ରତି ଦିନ ସାତପଡା ଘାଟରୁ ଜହ୍ନିକୁଦା ପୁଣି ଜହ୍ନିକୁଦାରୁ ସାତପଡା ଘାଟକୁ ଅତ୍ୟନ୍ତ ବିପଦସଙ୍କୁଳ ଭାବରେ ଯାତ୍ରୀ ପରିବହନ କରୁଛି। ଘରୋଇ ଡଙ୍ଗା ଗୁଡିକରେ ନା ଅଛି ଲାଇଫ୍ ଜ୍ୟାକେଟ ନା ଅଛି କୌଣସି ସୁରକ୍ଷା ବ୍ୟବସ୍ଥା। ଯାତ୍ରୀ ପରିବହନ କ୍ଷମତା ଠାରୁ ଅଧିକ ଯାତ୍ରୀ ପରିବହନ ଚାଲିଛି। ଏମିତିକି ୫୦ରୁ ଅଧିକ ଯାତ୍ରୀଙ୍କ ସହିତ ବାଇକ୍ ନେଇ ଯାତ୍ରୀ ପରିବହନ ଚାଲିଛି।
from Kanak News https://ift.tt/2EwKVo2 https://ift.tt/2HvB1UV
No comments: