ଦୋକାନ ଉଚ୍ଛେଦକୁ କାହିଁକି ବାଧା ଦେଲେ କିନ୍ନର? ତାଳିମାଡ଼ରେ ପଛଘୁଞ୍ଚା ଦେଲା ବିଡିଏ Kanak News

କନକ ବ୍ୟୁରୋ : ଜବରଦଖଲ ସ୍ଥାନରେ ଜଣେ ବି କିନ୍ନରଙ୍କ ଦୋକାନ ନଥିଲା। ମାତ୍ର ଦୋକାନ ଉଚ୍ଛେଦକୁ ବିରୋଧ କରି ଘଟଣାସ୍ଥଳରେ ପହଞ୍ଚିଥିଲେ ଶତାଧିକ କିନ୍ନର। ତାଳିମାଡ଼ କରି ବିଡିଏ ସ୍କ୍ବାଡ୍‌କୁ ଘେରିଗଲେ। ପୁଲିସ ନଥିବାରୁ ହରଡ଼ଘଣାରେ ପଡ଼ିଥିଲା ବିଡିଏର ଉଚ୍ଛେଦ ସ୍କ୍ୱାର୍ଡ‌। ହଠାତ୍ ଏକ ଅସ୍ବାଭାବିକ ପାଟିତୁଣ୍ଡ ଓ ଗଣ୍ଡଗୋଳ ପାଇଁ ପ୍ରସ୍ତୁତ ଥିବା କିନ୍ନର ଗୋଷ୍ଠୀର ସାମ୍‌ନା କରିପାରିନଥିଲା ବିଡିଏ ସ୍କ୍ୱାର୍ଡ‌। ତେଣୁ ବାଧ୍ୟ ‌ହୋଇ ଉଚ୍ଛେଦସ୍ଥଳରୁ ପଛଘୁଞ୍ଚା ଦେଇଥିଲା ସ୍କ୍ୱାର୍ଡ‌‌। ଡମଣା ଅଞ୍ଚଳରେ ଘଟିଥିବା ଏହି ଘଟଣାଟି ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ନରମାନେ କେଉଁ ସ୍ବାର୍ଥରେ ବିଡିଏକୁ ବାଧା ଦେଲେ ବୋଲି ପ୍ରଶ୍ନ ଉଠିଛି।

ସୂଚନାନୁସାରେ ଡମଣା ନିକଟ ଏକ ଶ୍ମଶାନ ଜମିକୁ କିଛି ବ୍ୟବସାୟୀ ଜବରଦଖଲ କରିଥିବା ନେଇ ଅଭିଯୋଗ ହୋଇ ଆସୁଛି। ଦୀର୍ଘ ବର୍ଷ ଧରି ଶ୍ମଶାନ ଜମିରେ ଦୋକାନ କରିଛନ୍ତି। ଅଭିଯୋଗ ପାଇ ବିଡିଏ ଏହି ଜମିକୁ ଜବରଦଖଲ ମୁକ୍ତ କରିବ ବୋଲି ପୂର୍ବରୁ ଦୋକାନୀମାନଙ୍କୁ ନୋଟିସ୍ କରିଥିଲା। ଆଜି ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଆଜି ସକାଳେ ଉଚ୍ଛେଦ ସ୍କ୍ୱାର୍ଡ‌‌ ସେଠାରେ ପହଞ୍ଚିବା ପରେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲା। ହଠାତ୍ କିନ୍ନରମାନେ ବିଡିଏ ଟିମ୍‌କୁ ଘେରି ଯାଇଥିଲେ। କରୋନା ସଂକଟ କଥା କହି ଦୋକାନ ଉଚ୍ଛେଦ କରିବାକୁ ବିରୋଧ କରିଥିଲେ। ବିଡିଏ ଅଧିକାରୀ ସେମାନଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ। କାହାର ଦୋକାନ ଅଛି କି ବୋଲି ପ୍ରଶ୍ନ କରିଥିଲେ। କିନ୍ତୁ କିନ୍ନରମାନେ କିଛି ଶୁଣିନଥିଲେ। ବରଂ ଖାଲି ତାଳି ମାଡ଼ କରିଥିଲେ।

ଫଳରେ ବିଡିଏ ଟିମ୍‌ ସେମାନଙ୍କୁ ବୁଝାଶୁଝା କରିପାରିନଥିଲା। ବରଂ ଭୟରେ ପଛଘୁଞ୍ଚା ଦେଇଥିଲା। ଏବେ ଚନ୍ଦ୍ରଶେଖରପୁର ଥାନାରେ ବହୁ ପୁଲିସ ଅଧିକାରୀ ଓ କର୍ମଚାରୀ କରୋନା ପଜିଟିଭ୍‌ ହୋଇଥିବାରୁ ଥାନାରେ କର୍ମଚାରୀ ଅଭାବ ସୃଷ୍ଟି ହୋଇଛି। ତେଣୁ ପୁଲିସ ଏହି ଉଚ୍ଛେଦ କାର୍ଯ୍ୟରେ ସହଯୋଗ କରିପାରିବ ନାହିଁ ବୋଲି ଥାନା ପକ୍ଷରୁ ଜଣାଇ ଦିଆଯାଇଥିଲା। ତେଣୁ ବିଡିଏ ସ୍କ୍ବାଡ୍‌ ସହ ପୁଲିସ ନଥିବା କିନ୍ନରମାନଙ୍କୁ ସୁଯୋଗ ଦେଇଥିଲା। ତେବେ ଉକ୍ତ ସ୍ଥାନରେ କେହି ଜଣେ ବି କିନ୍ନରଙ୍କ ବ୍ୟବସାୟ ବା ଦୋକାନ ନଥିବାବେଳେ ସେମାନେ କାହିଁକି ଉଚ୍ଛେଦ କାର୍ଯ୍ୟରେ ବାଧାଦେଲେ, ତାହା ବୁଝା ପଡ଼ିଲା ନାହିଁ। ଜବରଦଖଲ କରିଥିବା ବ୍ୟବସାୟୀମା‌ନେ ବିଡିଏ ସ୍କ୍ୱାର୍ଡ‌ ସମ୍ମୁଖକୁ ଆସିନଥିବାବେଳେ କିନ୍ନରମାନେ କାହିଁକି ମୁକାବିଲା କଲେ ବୋଲି ଚର୍ଚ୍ଚା ହେଉଛି। ଆଜି ଉଚ୍ଛେଦ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲେ ହେଁ ପରେ ପୁଲିସ ଟିମ୍‌ ଉପସ୍ଥିତିରେ ଏହା ସମ୍ପନ୍ନ ହେବ ବୋଲି ବିଡିଏ ପକ୍ଷରୁ ସୂଚନା ମିଳିଛି।



from Kanak News https://ift.tt/3cq2S3S https://ift.tt/33OJuK8
ଦୋକାନ ଉଚ୍ଛେଦକୁ କାହିଁକି ବାଧା ଦେଲେ କିନ୍ନର? ତାଳିମାଡ଼ରେ ପଛଘୁଞ୍ଚା ଦେଲା ବିଡିଏ Kanak News ଦୋକାନ ଉଚ୍ଛେଦକୁ କାହିଁକି ବାଧା ଦେଲେ କିନ୍ନର? ତାଳିମାଡ଼ରେ ପଛଘୁଞ୍ଚା ଦେଲା ବିଡିଏ Kanak News Reviewed by SUBHENDU BARAL on September 22, 2020 Rating: 5

No comments:

Powered by Blogger.