ବନ୍ୟାରେ ୧୬ଟି ଜିଲ୍ଲାର ୭ ହଜାର ହେକ୍ଟର ଜମିରେ ଉଦ୍ୟାନ କୃଷି ନଷ୍ଟ : ଯାଜପୁର ଜିଲ୍ଲାରେ ପନିପରିବା ଫସଲ ସମ୍ପୂର୍ଣ୍ଣ ନଷ୍ଟ Kanak News

କନକ ବ୍ୟୁରୋ : ବନ୍ୟା ଯୋଗୁଁ ୧୬ଟି ଜିଲ୍ଲାରେ ବ୍ୟାପକ ଉଦ୍ୟାନ କୃଷି ନଷ୍ଟ ହୋଇଛି। ୯୮ଟି ବ୍ଲକର ୧୩ ହଜାର ୭୩୫ ହେକ୍ଟର ଜମି ପ୍ରଭାବିତ ହୋଇଥିବା ବେଳେ ୭ ହଜାର ୭୨୫ ହେକ୍ଟର ଜମିରେ ୩୩%ରୁ ଅଧିକ ପନିପରିବା ଫସଲ ନଷ୍ଟ ହୋଇଯାଇଛି। ଏ ନେଇ କ୍ଷୟକ୍ଷତି ରିପୋର୍ଟ ଆକଳନ କରାଯାଇ ରାଜ୍ୟ କୃଷି ବିଭାଗ ପକ୍ଷରୁ ଆଜି ସ୍ବତନ୍ତ୍ର ରିଲିଫ୍ କମିସନରଙ୍କୁ ପ୍ରଦାନ କରାଯାଇଛି। ପନିପରିବା ଚାଷ ହୋଇଥିବା ଯାଜପୁର ଜିଲ୍ଲାର ସମସ୍ତ ଜମିରେ ସମ୍ପୂର୍ଣ୍ଣ ଫସଲ ନଷ୍ଟ ହୋଇଯାଇଛି। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଇନ୍ପୁଟ୍ ସହାୟତା ପ୍ରଦାନ ବାବଦରେ ୮ କୋଟି ୬୦ ଲକ୍ଷ ୬୧ ହଜାର ୮୮ ଟଙ୍କା ଆବଶ୍ୟକ ବୋଲି କୃଷି ବିଭାଗ ରିପୋର୍ଟରେ ଦର୍ଶାଇଛି।
କୃଷି ବିଭାଗର ରିପୋର୍ଟ ଅନୁଯାୟୀ, ଯାଜପୁର ଜିଲ୍ଲାର ୧୦ଟି ବ୍ଲକର ୨୯୦୪.୩ ହେକ୍ଟର ଜମିରେ ପନିପରିବା ଚାଷ କରାଯାଇଥିଲା। ବନ୍ୟାରେ ଏହି ସମସ୍ତ ଜମିରେ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ିଯାଇଛି। ଜିଲ୍ଲାକୁ ଇନ୍ପୁଟ୍ ସହାୟତା ଅର୍ଥ ବାବଦରେ ୩ କୋଟି ୯୫ ଲକ୍ଷ ୫୧ ହଜାର ୪୦୦ ଟଙ୍କା ପ୍ରଦାନ କରାଯିବ। ସେହିପରି କଟକ ଜିଲ୍ଲାରେ ୩ ହଜାର ହେକ୍ଟର ଜମିରୁ ୨୫୦୫ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି। ଏଥିପାଇଁ ଇନ୍ପୁଟ ସହାୟତା ବାବଦରେ ୨ କୋଟି ୪୯ ଲକ୍ଷ ୭୩ ହଜାର ୫୦୦ ଟଙ୍କା ପ୍ରଦାନ ପାଇଁ ହିସାବ କରାଯାଇଛି। ସେହିପରି ବାଲେଶ୍ବର, ବରଗଡ଼, ଭଦ୍ରକ, ଜଗତସିଂହପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼, ପୁରୀ, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ବ୍ୟାପକ ଫସଲ କ୍ଷତି ହୋଇଛି। ଫସଲ କ୍ଷତି ହୋଇଥିବା ମୋଟ ଜମିରୁ ୨ ହଜାର ୮୬୪ ହେକ୍ଟର ଜମି ଅଣ ଜଳସେଚିତ ହୋଇଥିବାବେଳେ ୪ ହଜାର ୬୭୫ ହେକ୍ଟର ଜଳସେଚିତ ଓ ୧୯୩ ହେକ୍ଟର ଜମିରେ ପାରମ୍ପରିକ ଫସଲ ନଷ୍ଟ ହୋଇଛି।
from Kanak News https://ift.tt/33UeoRc https://ift.tt/2RQhiRA
No comments: