ଆସୁଛି ଆଉ ଏକ ଲଘୁଚାପ, ୨୧ ତାରିଖରୁ ବିଭିନ୍ନସ୍ଥାନରେ ବର୍ଷା

ଭୁବନେଶ୍ୱର ୧୫।୦୯: ରାଜ୍ୟରେ ଏବେ ୩-୪ ଦିନ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଆଗକୁ ମଧ୍ୟ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ । କିନ୍ତୁ ଆସନ୍ତା ୧୭ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି । ଯାହା ୧୯ ତାରିଖରେ ଲଘୁଚାପରେ ପରିଣତ ହେବ । ଫଳରେ ଉତ୍ତର ଓଡ଼ିଶାରେ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଲଗାଣ ବର୍ଷା ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି ।

କୃଷିପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ଗତ ୧୩ ତାରିଖରେ ଲଘୁଚାପ ସୃଷ୍ଟି ହୋଇଥିବା ସ୍ଥାନରେ ୧୭ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଯାହା ୧୯ ତାରିଖରେ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ। ଲଘୁଚାପରେ ପରିଣତ ହେବା ପରେ ଏହା ସ୍ଥଳ ଭାଗକୁ ନଯାଇ ପୂର୍ବ ଆଡକୁ ମୁହାଁଇବ ।ଆନ୍ଧ୍ରପ୍ରଦେଶର ଉପକୂଳର ଦୂରରେ ସମୁଦ୍ରରେ ଏହା ଲଘୁଚାପରେ ପରିଣତ ହେବ । ସେହିପରି ୧୯ ତାରିଖ ଦିନ ମିଆଁମାର ପାଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅନ୍ୟ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୨୦ରେ ଯାହା ଲଘୁଚାପରେ ପରିଣତ ହେବ । ପ୍ରାଥମିକ ଆକଳନରୁ ଜଣାପଡିଛି ଯେ, ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପଟି ମିଆଁମାର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ସହ ମିଶିଯିବ ।

ଏହା ଉତ୍ତର, ଉତ୍ତର-ପଶ୍ଚିମ ଆଡେ ଗତି କରି ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ଅଛି । ଫଳରେ ମିଆଁମାର, ବାଂଲାଦେଶ, ପଶ୍ଚିମବଙ୍ଗ ପ୍ରବଳରୁ ପ୍ରବଳତର ବର୍ଷା ହେବ । ଏହାର ପ୍ରଭାବ ଉତ୍ତର ଓଡ଼ିଶାରେ ପଡିବ । ଅନୁମାନ କରାଯାଉଛି ୨୧ ତାରିଖରୁ ସମଗ୍ର ଉତ୍ତର ଓଡ଼ିଶାରେ ବର୍ଷା ଆରମ୍ଭ ହେବ । ସାରା ରାଜ୍ୟରେ ତାପମାତ୍ରା କମିବ । ୨ରୁ ୩ଦିନ ବିସ୍ତୃତ ଅଞ୍ଚଳରେ ଲଗାଣ ବର୍ଷା ହେବାର ସମ୍ଭାବନା ଅଛି । ୧୭ ତାରିଖ ଦିନ ଏହା ସ୍ପଷ୍ଟ ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଆଜି ରାଜ୍ୟର ଉପକୂଳରେ ହାଲୁକା ବର୍ଷା ହେବ। ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୨୦ରୁ ୨୪ ମଧ୍ୟରେ ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବ ବୋଲି ଅନୁରୂପ ଭାବେ ଡ. ସାହୁ ଆକଳନ କରିଛନ୍ତି।

ଅପରପକ୍ଷେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପାରଳାଖେମୁଣ୍ଡିରେ ୩୭ ମିଲିମିଟର ବର୍ଷା ହୋଇଥିବା ବେଳେ ସୋରଡ଼ାରେ ୨୪ ମିଲିମିଟର, ବାଲେଶ୍ୱର ଓ ପଟ୍ଟାଙ୍ଗୀରେ ୨୨ ମିଲିମିଟର, କରଞ୍ଜିଆରେ ୧୯ ମିଲିମିଟର ବର୍ଷା ହୋଇଥିବା ରାଜ୍ୟ ଜଳସମ୍ପଦ ବିଭାଗ ରେକର୍ଡ଼ କରିଛି । ସେହିପରି ସୋମବାର ସକାଳ ୮ଟା୩୦ରୁ ସନ୍ଧ୍ୟା ୫ଟା୩୦ ମଧ୍ୟରେ ବାଲେଶ୍ୱରରେ ୨୧ ମିଲିମିଟର, ଭବାନୀପାଟଣା/ଦାରିଙ୍ଗବାଡ଼ି/ବୌଦ୍ଧରେ ୧୦ ମିଲିମିଟର, ଅନୁଗୁଳରେ ୬ ମିଲିମିଟର ଓ ତାଳଚେରରେ ୫ ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ଼ କରିଛି ।



from Prameya News7 https://ift.tt/3bVZPAs
ଆସୁଛି ଆଉ ଏକ ଲଘୁଚାପ, ୨୧ ତାରିଖରୁ ବିଭିନ୍ନସ୍ଥାନରେ ବର୍ଷା ଆସୁଛି ଆଉ ଏକ ଲଘୁଚାପ, ୨୧ ତାରିଖରୁ ବିଭିନ୍ନସ୍ଥାନରେ ବର୍ଷା Reviewed by SUBHENDU BARAL on September 14, 2020 Rating: 5

No comments:

Powered by Blogger.