ବିଶ୍ୱ ଦେଖିଲା ବିରଳ ଉଦାହରଣ । ଭକ୍ତଙ୍କୁ ଝୁରିଲା ବଡ଼ଦାଣ୍ଡ । ସେବାୟତ ଟାଣିଲେ ରଥ । କୋଳାହଳ ନ ଥିଲା କି ଘଣ୍ଟନାଦରେ କମ୍ପିଲାନି Kanak News

କନକ ବ୍ୟୁରୋ : ଘଣ୍ଟ ବଜାଉଥିଲେ ଘଣ୍ଟୁଆ । କିନ୍ତୁ ସବୁବର୍ଷ ଭଳି ଆଜି ଗଗନ ପବନ ପ୍ରକମ୍ଫିତ ହେଉନଥିଲା। ମହାପ୍ରଭୁ ଆଜି ଯେତେବେଳେ ବାଇଶି ପାହାଚରୁ ଓହ୍ଲାଉଥିଲେ, ସେତେ‌ବେଳ ହାତ ଉପରକୁ ଉଠାଇ ସମର୍ପଣ ମୁଦ୍ରାରେ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ଡାକି ବଡ଼ଦାଣ୍ଡ ଥରାଇ ଦେବାକୁ ଲକ୍ଷ ଲକ୍ଷ ଭକ୍ତ ନଥିଲେ। ଆଉ ଯେତେବେଳେ ମହାପ୍ରଭୁ ଶ୍ରୀମନ୍ଦିର ଗୁମୁଟ ଭିତରୁ ଟିକିଏ ଟେକି ହୋଇ ଚାହୁଁଥିଲେ, ସେତେବେଳେ ଭକ୍ତଙ୍କର ଯେଉଁ ଅଭୂତପୂର୍ବ ପ୍ରତିକ୍ରିୟା, ତାହା ଆଜି କେଉଁଠି ଦେଖିବାକୁ ମିଳିନଥିଲା। ମହାପ୍ରଭୁ ଅଝଟ କରି କେତେବେଳେ ଡାହାଣକୁ ଢଳିଯାଆନ୍ତି ତ ଆଉ କେତେବେଳେ ପୂରା ଭୂଇଁ ପାଖାପାଖି ଲୋଟିଯାନ୍ତି। ଠିକ୍ ସେତିକିବେଳେ ଭକ୍ତର ଛାତିରୁ ଅତଡ଼ାଖଣ୍ଡେ ଖସିପଡ଼ିବା ଭଳି ଲାଗେ। ତାହା ଆଜି ପୂରା ସ୍ବପ୍ନ ପାଲଟି ଯାଇଥିଲା।

ଯାହା ପାଇଁ ଠାକୁରେ ଏତେ ସବୁ ଲୀଳା ବଡ଼ଦାଣ୍ଡରେ ଦେଖାନ୍ତି, ଆଜି ଯେତେବେଳେ ସେମାନେ ନାହାନ୍ତି, ସେସବୁ କାହା ପାଇଁ କରିଥାନ୍ତେ?ନରହନ୍ତା କରୋନା ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଯେଉଁ କଟକଣାଯୁକ୍ତ ରଥଯାତ୍ରା ପାଇଁ ନିର୍ଦେଶ ଦେଇଥିଲେ, ତାହାକୁ ମାନି ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଆଜି ମହାପ୍ରଭୁଙ୍କ ରଥ ସିଧା ସିଧା ଗଡ଼ିଯାଇଥିଲା ଶରଧା ବାଲିଯାଏ। ଯେହେତୁ ରଥ ଦଉଡ଼ିଟିକିଏ ଛୁଇଁବା ପାଇଁ ପ୍ରତିଯୋଗିତା ଲାଗି ଆଜି ଭକ୍ତ ନଥିଲେ; ମାଳ ମାଳ ପୁଲିସ ଭିତରେ ଲକ୍ଷ ଲକ୍ଷ ଛତା ଜନତାଙ୍କୁ ଆଡେଇ ତାଳଧ୍ବଜ, ଦର୍ପଦଳନ, ନନ୍ଦିଘୋଷ ତିନିରଥ ବଡ଼ଦାଣ୍ଡରେ ଆଗକୁ ଆଗକୁ ଗଲାବେଳେ ବାମକୁ ଡା଼ହାଣକୁ ଟିକିଏ ମାଡ଼ିଯିବାର ସମ୍ଭାବନା ହିଁ ନଥିଲା। ଏଣୁ କେଉଁଠିକି ବି ଅଟକିବା ଲାଗି ଆଗ୍ରହ ଦେଖାଇନଥିଲେ ଠାକୁରେ।

ଘୋ ଘୋ କମ୍ପୁଥିବା ବଡ଼ଦାଣ୍ଡ ଆଜି ଭକ୍ତଙ୍କୁ ଝୁରିଥିଲା। ବରଂ ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇ ସେବାୟତମାନେ ଯେତେବେଳେ ଖାଲିପାଦରେ ଅତ୍ୟନ୍ତ ଶୃଙ୍ଖଳାର ସହିତ ଶ୍ରୀବିଗ୍ରହମାନଙ୍କ ତିନି ରଥ ବଡ଼ଦାଣ୍ଡରେ ଟାଣି ନେଉଥିଲେ, ସେତେବେଳେ ଟିଭି ପରଦାରେ ଏସବୁ ଦୃଶ୍ୟ ଦେଖୁଥିବା ସାରା ବିଶ୍ବର କୋଣ ଅନୁକୋଣର ଶ୍ରୀଜଗନ୍ନାଥ ପ୍ରେମୀଙ୍କ ହୃଦୟ ବିଦାରି ହୋଇଯାଉଥିଲା। ଆଖି କୋଣରେ ଲୁହ ଜକାଇ ଆସୁଥିଲା। ଗତ ୩ଶହ ବର୍ଷ ଭିତରେ ଏମିତି ଭକ୍ତବିହୀନ ରଥଯାତ୍ରା କେବେ ବିଶ୍ବ ଦେଖିନଥିଲା। ଯେଉଁ ସେବାୟତମାନଙ୍କ ହାତରେ ପ୍ରତିଦିନ ମହାପ୍ରଭୁ ସେବା ପାଆନ୍ତି, ଆଜି ଏହି ସ୍ବତନ୍ତ୍ର ମହୋତ୍ସବରେ ସେହି ସେବାୟତଙ୍କ ହାତ ସ୍ପର୍ଶରେ ଯାଇଥିଲେ ଶରଧାବାଲି ପର୍ଯ୍ୟନ୍ତ।



from Kanak News https://ift.tt/2VdjLrd https://ift.tt/2CvkBcl
ବିଶ୍ୱ ଦେଖିଲା ବିରଳ ଉଦାହରଣ । ଭକ୍ତଙ୍କୁ ଝୁରିଲା ବଡ଼ଦାଣ୍ଡ । ସେବାୟତ ଟାଣିଲେ ରଥ । କୋଳାହଳ ନ ଥିଲା କି ଘଣ୍ଟନାଦରେ କମ୍ପିଲାନି Kanak News ବିଶ୍ୱ ଦେଖିଲା ବିରଳ ଉଦାହରଣ । ଭକ୍ତଙ୍କୁ ଝୁରିଲା ବଡ଼ଦାଣ୍ଡ । ସେବାୟତ ଟାଣିଲେ ରଥ । କୋଳାହଳ ନ ଥିଲା କି ଘଣ୍ଟନାଦରେ କମ୍ପିଲାନି Kanak News Reviewed by SUBHENDU BARAL on June 23, 2020 Rating: 5

No comments:

Powered by Blogger.