ହାଇଦ୍ରାବାଦ: ୧୨୦ ଫୁଟ୍ ଗାତରେ ଗଳି ପଡ଼ିଲା ୩ ବର୍ଷର ଶିଶୁ ପୁତ୍ର। ତେଲେଙ୍ଗାନା ମେଡକ୍ ଜିଲ୍ଲାର ପୋଡଚନ୍ପଲ୍ଲୀ ଗାଁରେ ଗତକାଲି ଏହି ଅଭାବନୀୟ ଘଟଣା ଘଟିଛି।
ଶିଶୁଟି ଖେଳୁଥିବାବେଳେ ବୋର୍ୱେଲ୍ ପାଇଁ ଖୋଳା ଯାଇଥିବା ଗାତରେ ଖସି ପଡ଼ିଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଚଳାଇଛି। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍ ଟିମ୍ ମଧ୍ୟ ସାମିଲ ହୋଇଛନ୍ତି।
ସୂଚନା ଅନୁସାରେ, ବିଲରେ ପାଣି ମଡ଼ାଇବା ପାଇଁ ଗୋବର୍ଦ୍ଧନ ନାମକ ଜଣେ ବ୍ୟକ୍ତି ୩ଟି ବୋର୍ୱେଲ୍ ଖୋଳିଥିଲେ। ହେଲେ ୨ ଦିନ ହେବ ସେଥିରୁ ପାଣି ବାହାରୁ ନଥିଲା। ଗତକାଲି ଗୋବର୍ଦ୍ଧନ ବିଲରେ କାମ କରୁଥିବାବେଳେ ତାଙ୍କର ୩ ବର୍ଷର ଶିଶୁ ପୁତ୍ର ସେହି ସ୍ଥାନରେ ଖେଳୁଥିଲେ। ଏହି ସମୟରେ ଶିଶୁଟି ବୋର୍ୱେଲ୍ ପାଇଁ ଖୋଳା ଯାଇଥିବା ଗାତ ଭିତରେ ଗଳି ପଡ଼ିଥିଲେ। ହେଲେ ଏହି ସମୟରେ ଗୋବର୍ଦ୍ଧନ ଏହା ଜାଣି ପାରିନଥିଲେ। ଶିଶୁଟିକୁ ବହୁ ଖୋଜାଖୋଜି ପରେ ଗାତ ଭିତରେ ଗଳି ପଡ଼ିଥିବା ଜାଣିବାକୁ ପାଇଥିଲେ।
ପ୍ରାଥମିକ ଭାବେ ଶିଶୁ ପାଖକୁ ଅମ୍ଲଜାନ୍ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି। ତେବେ ଗାତଟିର ମୁହଁ ବେଶ୍ ଛୋଟ ଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ସୃଷ୍ଟି ହୋଇଛି। ଗାତଟିକୁ ଆହୁରି ଅଧିକ ଖୋଳିବା ପାଇଁ ଜେସିବି ବ୍ୟବହାର କରାଯାଇଥିବା ସୂଚନା ମିଳିଛି।
ସୂଚନାଥାଉ କି, ଗତ ବର୍ଷ ମଧ୍ୟ ଠିକ୍ ଏଭଳି ଏକ ଅଘଟଣ ଘଟିଥିଲା। ଟ୍ୟୁବଲ୍ ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି ୫ ବର୍ଷର ଶିଶୁର ମୃତ୍ୟୁ ହୋଇଥିଲା। ତାମିଲନାଡ଼ୁରେ ଏହି ଅଭାବନୀୟ ଘଟଣା ଘଟିଥିଲା।
from OTV Khabar. https://ift.tt/2yDkxWs
No comments: