ସହଯାତ୍ରୀଙ୍କ ଖାଦ୍ୟ ପୁଡ଼ିଆ ଝାମ୍ପି ନେଉଛନ୍ତି ପ୍ରବାସୀ : ନିୟନ୍ତ୍ରଣ ପାଇଁ ଷ୍ଟେସନରେ ନିୟୋଜିତ ହେବେ ଅଧିକ ଆରପିଏଫ୍ Kanak News

କନକ ବ୍ୟୁରୋ : ପ୍ରବାସୀଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ଲାଗି ଭାରତୀୟ ରେଳପଥ ପକ୍ଷରୁ ସାରା ଦେଶରେ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ଏବେ ସୁଦ୍ଧା ଦେଶରେ ପାଖାପାଖି ୪ ହଜାର ଟ୍ରେନ୍ ସେବା ଯୋଗାଇ ସାରିଲାଣି । କେବଳ ପୂର୍ବତଟ ରେଳପଥରେ ୨୦୦ରୁ ଅଧିକ ଟ୍ରେନ୍ ପ୍ରବାସୀଙ୍କୁ ନିଜ ନିଜ ଅଞ୍ଚଳରେ ପହଞ୍ଚାଇ ସାରିଲାଣି। ଯାତ୍ରା ସମୟରେ ଯାତ୍ରୀଙ୍କୁ ବିଭିନ୍ନ ଷ୍ଟେସନରେ ଖାଦ୍ୟ ପୁଡ଼ିଆ ଓ ପାଣି ବୋତଲ ଯୋଗାଇ ଦିଆଯାଉଛି। ସେମାନଙ୍କ ସୁରକ୍ଷା ପ୍ରତି ବି ଧ୍ୟାନ ଦିଆଯାଉଛି। ତେବେ ଏବେ ଦେଖିବାକୁ ମିଳୁଛି ଯେ ରେଳପଥ ଅଧୀନରେ ଥିବା ବିଭିନ୍ନ ଷ୍ଟେସନରେ ପ୍ରବାସୀ ଯାତ୍ରୀଙ୍କୁ ଦିଆଯାଉଥିବା ଖାଦ୍ୟ ସାମଗ୍ରୀକୁ ଅନ୍ୟ କିଛି ଉଦ୍ଭ୍ରାନ୍ତ ଯାତ୍ରୀ ଝାମ୍ପି ନେଉଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ପୂର୍ବତଟ ରେଳପଥରେ ପ୍ରତିଦିନ ଏକ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ଖାଦ୍ୟ ପୁଡ଼ିଆ ଦିଆଯାଉଛି। ଷ୍ଟେସନର ନିର୍ଦ୍ଧାରିତ ପ୍ଲାଟଫର୍ମ ଓ କୋଚ୍ ଅନୁଯାୟୀ ପ୍ରବାସୀ ଯାତ୍ରୀଙ୍କ ଲାଗି ବ୍ୟବସ୍ଥା ହୋଇଛି। ୩ ସପ୍ତାହ ହେଲା ରେଳପଥ ଅଧୀନରେ ଏହି ଧାରା ଚାଲୁ ରହିଛି। ତେବେ କିଛି ଦିନ ହେଲା କେତେକ ଷ୍ଟେସନରେ କିଛି ଯାତ୍ରୀ ଅନ୍ୟ ଯାତ୍ରୀମାନଙ୍କ ଖାଦ୍ୟ ସାମଗ୍ରୀ ବି ଝାମ୍ପି ନେଉଥିବା ନଜରକୁ ଆସିଛି। ତାହାକୁ ଦୃଷ୍ଟିରେ ରଖି ଷ୍ଟେସନଗୁଡ଼ିକର ସୁରକ୍ଷା ବୃଦ୍ଧି କରିବାକୁ ସ୍ଥିର ହୋଇଛି। ପ୍ଲାଟଫର୍ମରେ ଅଧିକ ସଂଖ୍ୟାରେ ଆରପିଏଫ୍ ନିୟୋଜିତ ହେବେ। ଆରପିଏଫ୍ ଓ ଟିଟିଇଙ୍କ ଉପସ୍ଥିତିରେ ହିଁ ଆଇଆରସିଟିସି କ୍ୟାଟରିଂ କଣ୍ଟ୍ରାକ୍ଟରଙ୍କ ଦ୍ବାରା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯିବ। ଶୁକ୍ରବାରଠାରୁ ଏହାକୁ ଲାଗୁ କରିବାକୁ ରେଳପଥ ଅଧୀନରେ ଥିବା ସମସ୍ତ ଡିଭିଜନ୍କୁ କୁହାଯାଇଛି।
ଆହୁରି କୁହାଯାଇଛି ଯେ ବହୁ ସଂଖ୍ୟାରେ ଯାତ୍ରୀ ଏବେ ଟ୍ରେନ୍ ମାଧ୍ୟମରେ ଘରକୁ ଫେରୁଛନ୍ତି। ଯେଉଁଥିରେ ବୟସ୍କ, ମହିଳା, ଶିଶୁ ଆଦି ରହିଛନ୍ତି। ସେମାନଙ୍କ ଲାଗି ଖାଦ୍ୟର ଆବଶ୍ୟକତା ବହୁତ ଥିବା ବେଳେ କେତେକ ଟ୍ରେନ୍ର ଉଦ୍ଭ୍ରାନ୍ତ ଯୁବକ/ଯାତ୍ରୀ ଷ୍ଟେସନରେ ପହଞ୍ଚିବା ସମୟରେ ଖାଦ୍ୟ ପୁଡ଼ିଆ ଝାମ୍ପି ନେଉଥିବା ଦେଖିବାକୁ ମିଳୁଛି। ଏଣିକି ଏଭଳି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ। ଯେଉଁମାନେ ଅନ୍ୟର ଖାଦ୍ୟ ପୁଡ଼ିଆ ଝାମ୍ପୁଥିବା ନଜରକୁ ଆସିବ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।
from Kanak News https://ift.tt/36GHW62 https://ift.tt/2B6VU5m
No comments: