
କନକ ବ୍ୟୁରୋ : ମେ’ ୨୦ର ବାତ୍ୟା ‘ଅମ୍ଫାନ’ ପ୍ରଭାବରେ ଓଡ଼ିଶା ଉପକୂଳରେ ୨୦ ହଜାର ବୃକ୍ଷ ଧରାଶାୟୀ ହୋଇଛି। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରାଥମିକ ଆକଳନ ପରେ ଏହା ଜଣାପଡ଼ିଛି। ଏହି ବାତ୍ୟାରେ ଭଦ୍ରକ, ରାଜନଗର ବନ୍ୟପ୍ରାଣୀ ଡିଭିଜନ୍ରେ ସର୍ବାଧିକ ବୃକ୍ଷ ଓ ଚାରା ନଷ୍ଟ ହୋଇଛି। ଏହି ବାତ୍ୟା ପ୍ରଭାବରେ ପାଖାପାଖି ୧ କୋଟି ୨୫ ଲକ୍ଷ ଟଙ୍କାର ବୃକ୍ଷ ନଷ୍ଟ ହୋଇଥିବା ପ୍ରାରମ୍ଭିକ ରି ପୋର୍ଟରୁ ଜଣାପଡ଼ିଛି। ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିବା ପରେ ଠିକ୍ ତଥ୍ୟ ମିଳିପାରିବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ବାତ୍ୟା ପଞ୍ଚିମବଙ୍ଗ ମୁହାଁ ହୋଇଥିବା ବେଳେ ଜଗତ୍ସିଂହପୁର ଜିଲ୍ଲାରେ ପ୍ରାୟ ୧୨୦ କିମି ବେଗରେ ପବନ ବହିଥିଲା। ଫଳରେ ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା ଉପକୂଳବର୍ତୀ ଅଞ୍ଚଳରେ ବହୁ ବୃକ୍ଷ ପ୍ରଭାବିତ ହୋଇଛି। ଏହି ଦୁଇ ଜିଲ୍ଲାରେ ପାଖାପାଖି ୧୧ ହଜାର ଗଛ ଉପୁଡ଼ିଥିବା ବେଳେ ଅନେକ ଗଛ ଡାଳ ଭାଙ୍ଗିଛି। ତେବେ ୨୦ ତାରିଖ ମଧ୍ୟାହ୍ନ ବେଳକୁ ବାତ୍ୟା ଉଗ୍ରରୂପ ଧରି ଭଦ୍ରକ ଓ ବାଲେଶ୍ବର ଉପକୂଳ ଦେଇ ଆଗକୁ ବଢ଼ିବା ସମୟରେ ବହୁ ଗଛ ଧରାଶାୟୀ ହୋଇ ପଡ଼ିଥିଲା। ସମୁଦ୍ରକୁ ଲାଗି ରହିଥିବା ବ୍ଲକଗୁଡ଼ିକରେ ଅଧିକ ବୃକ୍ଷ ନଷ୍ଟ ହୋଇଛି। ବଡ଼ ଗଛରୁ ଭାଙ୍ଗିପଡ଼ିଥିବା ଡାଳ ପଡ଼ିବା ଯୋଗୁଁ ଅନେକ ଛୋଟ ଗଛ ବି ନଷ୍ଟ ହୋଇଛି। ଭଦ୍ରକ ଓ ରାଜନଗର ବନ୍ୟପ୍ରାଣୀ ଡିଭିଜନ ଅଧିକ ପ୍ରଭାବିତ ହୋଇଥିବା ବେଳେ ଏହା ତଳକୁ ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ବାରିପଦା ଓ କଟକ ବନ୍ୟପ୍ରାଣୀ ଡିଭିଜନ ରହିଛି। ଯେଉଁଠାରେ ବାତ୍ୟା ‘ଅମ୍ଫାନ’ର ପ୍ରଭାବ ବହୁ ମାତ୍ରାରେ ପଡ଼ିଛି। ବାତ୍ୟା ମାଡ଼ରେ ଏଥର ଉପକୂଳରେ ସେଭଳି ଜୀବଜନ୍ତୁଙ୍କ ମୃତ୍ୟୁ ହୋଇ ନ ଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି।
from Kanak News https://ift.tt/2AbQYvE https://ift.tt/2zrVTIZ
No comments: