ସିଡ୍ନୀ: ଅଷ୍ଟ୍ରେଲିଆରେ ଚାଲିଥିବା ଆଇସିସି ଟି-୨୦ ମହିଳା ବିଶ୍ୱକପରେ ଆଜି ଭାରତର ସେମିଫାଇନାଲ୍ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ରେ ଇଂଲଣ୍ଡ ସହ ହେବ ମୁକାବିଲା କରିବ ଟିମ୍ ଇଣ୍ଡିଆରେ ଲେଡି ବ୍ରିଗେଡ୍। ଆଜି ସେମିରେ ବିଜୟୀ ହେଲେ ଭାରତ ପ୍ରଥମଥର ପାଇଁ ବିଶ୍ୱକପ୍ ଇତିହାସରେ ଫାଇନାଲ ଖେଳିବ।
ଏହାପୂର୍ବରୁ ଖେଳାଯାଇଥିବା ବିଶ୍ୱକପର ୬ଟି ସଂସ୍କରଣରେ ଭାରତ କେବେବି ଫାଇନାଲରେ ପ୍ରବେଶ କରି ନାହିଁ। ତେବେ ଏଥର ଦମଦାର ପ୍ରଦର୍ଶନ କରି ଭାରତ ଟାଇଟଲ ଫେଭରାଇଟ୍ ହୋଇପାରିଛି।
ଗ୍ରୁପ୍ ପର୍ଯ୍ୟାୟରେ ସମସ୍ତ ୪ଟି ଯାକ ମ୍ୟାଚ୍ ଜିତି ତାଲିକାର ଶୀର୍ଷରେ ରହିଥିଲା ଟିମ୍ ଇଣ୍ଡିଆ। ସେହିପରି ଇଂଲଣ୍ଡ ଗ୍ରୁପ୍-ବିରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ସେପଟେ ଅଷ୍ଟ୍ରେଲିଆରେ ଏବେ ପାଗ ଖରାପ ରହିଛି। ଯଦି ବର୍ଷା କିମ୍ବା ଖରାପ ପାଗ ଯୋଗୁ ମ୍ୟାଚ୍ ବାତିଲ୍ ହୁଏ, ତାହେଲେ ଉନ୍ନତ ପ୍ରଦର୍ଶନ ହାରରେ ଫଳାଫଳ ଭାରତ ସପକ୍ଷରେ ଯିବ।
ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ଭାରତ ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆକୁ ହରାଇ ଶୁଭାରମ୍ଭ କରିଥିଲା। ଏହା ପରେ ଭାରତ ଯଥାକ୍ରମେ ବାଂଲାଦେଶ, ନ୍ୟୁଜିଲ୍ୟାଣ୍ଡ୍ ଓ ଶ୍ରୀଲଙ୍କାକୁ ହରାଇ ଗ୍ରୁପ୍-ଏ’ରେ ୮ ପଏଣ୍ଟ ସହ ଶୀର୍ଷରେ ରହିଥିଲା। ସେମିଫାଇନାଲ୍ ପାଇଁ ଭାରତକୁ ଫେଭରିଟ୍ କୁହାଯାଉଛି ସତ, କିନ୍ତୁ ଇତିହାସ ଇଂଲଣ୍ଡ ସପକ୍ଷରେ ରହିଛି। ବିଶ୍ୱକପରେ ଇଂଲଣ୍ଡ ଭାରତ ବିପକ୍ଷରେ ଖେଳିଥିବା ସମସ୍ତ ୫ଟି ଯାକ ମ୍ୟାଚ୍ ଜିତିବାରେ ସଫଳ ହୋଇଛନ୍ତି।
ଶେଷଥର ପାଇଁ ଉଭୟ ଦଳ ୨୦୧୮ ବିଶ୍ୱକପରେ ପରସ୍ପରକୁ ଭେଟିଥିଲେ, ଯେଉଁଥିରେ ଇଂଲଣ୍ଡ ୮ ୱିକେଟରେ ବିଜୟୀ ହୋଇଥିଲା। ଏହା ପୂର୍ବରୁ ଭାରତ ୨୦୦୯, ୨୦୧୨, ୨୦୧୪ ଓ ୨୦୧୬ ସଂସ୍କରଣର ଗ୍ରୁପ୍ ପର୍ଯ୍ୟାୟରେ ଇଂଲଣ୍ଡଠାରୁ ହାରିଥିଲା। ବର୍ତ୍ତମାନ ଭାରତୀୟ ଟିମରେ ସାମିଲ୍ ଥିବା ସାତଜଣ ଖେଳାଳି ୨୦୧୮ ସେମିଫାଇନାଲ୍ ମୁକାବିଲା ଖେଳିଥିଲେ। ଭାରତ ବିଶ୍ୱକପ୍ ପୂର୍ବରୁ ଏଠାରେ ତ୍ରିରାଷ୍ଟ୍ରୀୟ ସିରିଜ୍ ଖେଳିଥିଲା। ଏହି ସିରିଜର ଗୋଟିଏ ମ୍ୟାଚରେ ଭାରତ ଇଂଲଣ୍ଡକୁ ହରାଇଥିଲା।
ଚଳିତ ବିଶ୍ୱକପରେ ଭାରତ ପାଇଁ ଏକମାତ୍ର ସମସ୍ୟା ହେଉଛି ବ୍ୟାଟିଂ। ବିଶେଷକରି ଟିମର ମିଡିଲ୍ ଅର୍ଡର ସମ୍ପୂର୍ଣ୍ଣ ନିରାଶ କରିଛନ୍ତି। କିନ୍ତୁ ଏହା ତୁଳନାରେ ଇଂଲଣ୍ଡର ମିଡିଲ୍ ଅର୍ଡର ବେଶ୍ ଦୃଢ଼। ଭାରତର ୧୬ ବର୍ଷୀୟା ଓପ୍ନର ଶେଫାଳି ବର୍ମାଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସଓମାନଙ୍କଠାରେ ସେଭଳି ଆତ୍ମବିଶ୍ୱାସ ଦେଖିବାକୁ ମିଳିନାହିଁ। ଶେଫାଳି ୪ଟି ମ୍ୟାଚରେ ୧୬୧ ରନ୍ କରିଛନ୍ତି, ଯାହା ବଳରେ ସେ ଆଇସିସି ମହିଳା ଟି-୨୦ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି। ଶେଫାଳି ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ସଫଳ ବ୍ୟାଟ୍ସଓମ୍ୟାନଙ୍କ ତାଲିକାରେ ନାଟାଲି ସ୍କିଭର୍ (୨୦୨ ରନ୍) ଓ ହିଥର ନାଇଟ୍ (୧୯୩ ରନ୍)ଙ୍କ ପରେ ତୃତୀୟ ସ୍ଥାନରେ ରହିଛନ୍ତି।
ଶେଫାଳିଙ୍କ ସାଥୀ ଓପ୍ନର ସ୍ମୃତି ମନ୍ଧାନାଙ୍କ ବ୍ୟାଟରୁ ସେଭଳି ରନ୍ ବର୍ଷା ହୋଇନାହିଁ। ପ୍ରଥମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଜେମିମା ରୋଡ୍ରିଗ୍ସ ଭଲ ଲୟରେ ଅଛନ୍ତି, କିନ୍ତୁ ସେ ବଡ଼ ଇନିଂସ୍ ଖେଳିବାରେ ବିଫଳ ହୋଇଛନ୍ତି। ମଧ୍ୟକ୍ରମରେ ଦେବା କ୍ରିଷ୍ଣାମୂର୍ତ୍ତି, ଶିଖା ପାଣ୍ଡେ ଓ ରାଧା ଯାଦବ ଆବଶ୍ୟକ ମୁତାବକ ଉପଯୋଗୀ ଯୋଗଦାନ କରିଛନ୍ତି। ତେବେ ଟିମର କ୍ୟାପଟେନ୍ ହରମନପ୍ରୀତ କୌରଙ୍କ ବ୍ୟାଟ୍ ପୂରା ଚୁପ୍ ରହିଛି। ସେ ଏପର୍ଯ୍ୟନ୍ତ ସେଭଳି ଆଖିଦୃଶିଆ ରନ୍ କରିନାହିଁ । ଇଂଲଣ୍ଡ ଭଳି ମଜଭୁଭତ୍ ଟିମ୍ ବିପକ୍ଷରେ ସେ ରନ୍ କରି ଫର୍ମକୁ ଫେରିବାକୁ ଚାହିଁବେ। ବୋଲିଂରେ ପୁନମ ଯାଦବ ୪ଟି ମ୍ୟାଚରେ ୯ ୱିକେଟ୍ ନେଇ ଶୀର୍ଷରେ ଅଛନ୍ତି। ସେହିପରି ଶିଖା ପାଣ୍ଡେ (୭ ୱିକେଟ୍) ମଧ୍ୟ ଭଲ ଫର୍ମରେ ଅଛନ୍ତି। ଏହାଛଡ଼ା ଦୀପ୍ତି ଶର୍ମା, ରାଧା ଯାଦବ, ରାଜେଶ୍ୱରୀ ଗାଏକ୍ୱାଡଙ୍କ ଭଳି ସ୍ପିନର ଭାରତକୁ ଆଶା ମୁତାବକ ସହଯୋଗ କରିଛନ୍ତି।
ଇଂଲଣ୍ଡ ଟୁର୍ଣ୍ଣାମେଣ୍ଟରେ ତା’ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନିକଟରୁ ପରାସ୍ତ ହୋଇଥିଲା। କିନ୍ତୁ ଏହା ପରେ ଦଳ ପରବର୍ତ୍ତୀ ତିନୋଟି ମ୍ୟାଚରେ ଏକତରଫା ବିଜୟ ହାସଲ କରି ସେମିଫାଇନାଲ୍ ଟିକେଟ୍ କାଟିଛି। ଦଳର ଓପନିଂ ଯୋଡ଼ି ଡାନିଏଲ୍ ୟାଟ୍ଟ ଓ ଟାମି ବ୍ୟୁମଣ୍ଟ ଫର୍ମରେ ନାହାନ୍ତି। କିନ୍ତୁ ମିଡିଲ୍ ଅର୍ଡରରେ ସ୍କିଭର୍ ଓ କ୍ୟାପଟେନ୍ ନାଇଟ୍ ଚମତ୍କାର ଫର୍ମରେ ଅଛନ୍ତି। ସ୍କିଭର୍ ୬୭.୩୩ ହାରରେ ତିନୋଟି ଅର୍ଦ୍ଧଶତକ ସହ ୨୦୨ ରନ୍ କରି ଶୀର୍ଷରେ ଅଛନ୍ତି। ସେହିପରି ବୋଲିଂରେ ବାମହାତୀ ସ୍ପିନର ସୋଫି ଇକ୍ଲେଷ୍ଟୋନ୍ (୮ ୱିକେଟ) ଓ ପେସର ଆନ୍ୟା ସ୍ରବସୋଲ୍ (୭ ୱିକେଟ୍) ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ତେବେ ଭାରତକୁ ହରାଇବାକୁ ହେଲେ ଇଂଲଣ୍ଡକୁ ବ୍ୟାଟିଂରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ।
from OTV Khabar. https://ift.tt/38lc7ih
No comments: