ପୁଲିସ-ନକ୍ସଲ ଛକାପଞ୍ଝା ମଧ୍ୟରେ ସ୍ବାଭିମାନ ଅଞ୍ଚଳରେ ପୁଣି ପ୍ରଜାମେଳି : ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି Kanak News

କନକ ବ୍ୟୁରୋ : ପୁଲିସ-ନକ୍ସଲ ଛକାପଞ୍ଝା ମଧ୍ୟରେ ଗତକାଲି ପୁଣି ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ପ୍ରଜାମେଳି ବସିଥିଲା। ଏଥିରେ ବିକାଶକୁ ଲୋକେ ସ୍ବାଗତ କରିବା ସହ ନିର୍ମାଣାଧୀନ ପ୍ରକଳ୍ପକୁ ତ୍ବରାନ୍ବିତ କରିବାକୁ ଦାବି କରିଥିଲେ। ଏପରିକି ନିଜ ଆଡ଼ୁ କିଛି ପ୍ରସ୍ତାବ ମଧ୍ୟ ପ୍ରଶାସନକୁ ଦେଇଥିଲେ। ନିଜ ଅଞ୍ଚଳର ବିକାଶକୁ ହିଁ ଏହି ବୈଠକରେ ମୁଖ୍ୟତଃ ଗୁରୁତ୍ବ ଦିଆଯାଇଥିଲା।
ଜାନୁଆରି ୨୫ତାରିଖ ବିଳମ୍ବିତ ରାତିର ଘଟଣା ପରେ ସ୍ବାଭିମାନ ଅଞ୍ଚଳରେ ଲୋକେ ଦୁଇ ଭାଗ ହୋଇ ଯାଇଛନ୍ତି। ପଣସପୁଟ ପଞ୍ଚାୟତ ସହ ଅନ୍ୟ କେତେକେ ପଞ୍ଚାୟତର ଲୋକେ ନକ୍ସଲଙ୍କୁ ସମର୍ଥନ କରୁଛନ୍ତି। ସେହିପରି ଯଡ଼ାମ୍ବ ପଞ୍ଚାୟତର ଲୋକେ ପୁଲିସ ପ୍ରଶାସନକୁ ସମର୍ଥନ କରୁଛନ୍ତି। ଲୋକଙ୍କ ମଧ୍ୟରେ ଏମିତି ଟଣାଓଟରା ଚାଲିଥିବା ବେଳେ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏମିତି ସ୍ଥିତିରେ ବିକାଶ କାର୍ଯ୍ୟକୁ ଆଗେଇ ନେବାକୁ ପ୍ରଶାସନ ପକ୍ଷରୁ ପୂରା ଜୋର ଲାଗିଛି। ଯାହାକୁ ନକ୍ସଲ ବିରୋଧ କରିବା ସହ ଭୟର ବାତାବରଣ ସୃଷ୍ଟି କରିବାକୁ ଯଥାସମ୍ଭବ ପ୍ରୟାସ କରୁଛନ୍ତି। ତେଣୁ ସ୍ବାଭିମାନ ଅଞ୍ଚଳରେ ପରିସ୍ଥିତି ଆଦୌ ସ୍ବାଭାବିକ ନଥିବା ନେଇ କୁହାଯାଉଛି।
ଏହିକ୍ରମରେ ଯଡ଼ାମ୍ବରେ ଶହ ଶହ ଲୋକ ବୈଠକ କରିଛନ୍ତି। ଯଡ଼ାମ୍ବ, ଜନ୍ତୁରାଇ, ସିନ୍ଧୁଗୁଡ଼ା ଗ୍ରାମର ଲୋକ ଏଥିରେ ଯୋଗ ଦେଇଥିଲେ। ପ୍ରଶାସନ ଏବଂ ସରକାରଙ୍କୁ ନିଜ ସମସ୍ୟା ନେଇ ଅବଗତ କରାଇବାକୁ ନିଷ୍ପତ୍ତି ନେଇଥିଲେ। ପୁଣି ସ୍ବାଭିମାନ ଅଂଚଳରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରାୟ ୭୦କିଲୋମିଟର ରାସ୍ତା କାମ ଚାଲିଛି। ଯାହାକୁ ସ୍ବାଗତ କରି ରାସ୍ତା କାମ ନିମନ୍ତେ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି। ସେହିପରି ସୁରକ୍ଷା ନିମନ୍ତେ ୧୦ଟି ଥାନା ଆବଶ୍ୟକ ହେଉଥିବା ଦର୍ଶାଇ ଏନେଇ ପ୍ରସ୍ତାବ ଦେଇଛନ୍ତି। ଏଥିସହ ବିନା ବାଧାରେ କାମ ସଂପୂର୍ଣ୍ଣ କରିବାକୁ ହେଲେ ସୁରକ୍ଷାକର୍ମୀଙ୍କୁ ମୁତୟନ କରିବାକୁ ପଡିବ। ନଚେତ, ନକ୍ସଲ ଏହି ରାସ୍ତା କାମକୁ କେବେ ମଧ୍ୟ ସଫଳ କରାଇ ଦେବେ ନାହିଁ ବୋଲି ଲୋକେ କହିଛନ୍ତି।ଆହୁରି ମଧ୍ୟ କହିଛନ୍ତି ଯେ, ନକ୍ସଲ ଆମକୁ ଏଠାରେ ଶାସନ କରୁଛନ୍ତି। ସେମାନଙ୍କ ସହ ମୁକାବିଲା କରିବା ପାଇଁ ଆମକୁ ସହଯୋଗ କରନ୍ତୁ ବୋଲି ମଧ୍ୟ ଲୋକେ ଏଠାରେ ଦାବି କରିଛନ୍ତି।
from Kanak News https://ift.tt/38xSyTS https://ift.tt/2Ir1sIf
No comments: