‘ମୋ ପୁଅ କେମିତି ଥିବ, ସେ କଥା ଖାଲି ଭଗବାନ ହିଁ ଜାଣିଥିବେ’ OTV KHABAR BUREAU

ଜଗତସିଂହପୁର( ଶଶାଙ୍କ ଶେଖର ପଣ୍ଡା): ପୁଣି ଚର୍ଚ୍ଚାରେ ସୁର ବାବା। ଭୁବନେଶ୍ୱର ଉପକଣ୍ଠ ଝିଣ୍ଟି ଶାସନ ସ୍ଥିତ ସୁର ବାବାଙ୍କ ତ୍ରାହି ଅଚ୍ୟୁତ ଆଶ୍ରମରେ କାମ କରିବାକୁ ଯାଇ ଜଣେ ଯୁବକ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି।

୯ ବର୍ଷ ହେଲା ପୁଅକୁ ନ ଦେଖି ପୁଅର ଫଟୋ ଧରି ଆଖିରୁ ଲୁହ ଗଡ଼ାଉଛି ମା’। ୨୦୧୧ ମାର୍ଚ୍ଚ ମାସଠାରୁ ପୁଅ ଯାଇଛି ଯେ ଯାଇଛି, ଆଉ ଘରକୁ ଫେରିନି। ଏନେଇ ପୁଲିସ୍‌ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। ଫଳରେ ପୁଅର ଫେରିବା ବାଟକୁ ଚାହିଁ ଆଶାଆଶଙ୍କାରେ ଦିନ କାଟୁଛନ୍ତି ପରିବାର ଲୋକେ।

ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଲଛମାକଣ ଗାଁର ଅଜିତ ସେନାପତି, ସୁର ବାବାଙ୍କ ଆଶ୍ରମରେ ୨୦୦୯ ମସିହାରୁ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରିବା ସହିତ ଆଶ୍ରମ ପରିସରରେ ରହୁଥିଲେ। ହେଲେ ଏହାର ୨ ବର୍ଷ ପରଠୁ ଅର୍ଥାତ୍‌ ୨୦୧୧ ମାର୍ଚ୍ଚ ମାସଠାରୁ ଅଜିତଙ୍କ ସହ ପରିବାର ଲୋକଙ୍କର କୌଣସି ଯୋଗାଯୋଗ ହୋଇପାରୁନି। ଏ ସମ୍ପର୍କରେ ନିଖୋଜ ଅଜିତଙ୍କ ମା’ ଚନ୍ଦ୍ରାବଳୀ ସେନାପତି ତ୍ରାହି ଅଚ୍ୟୁତ ଆଶ୍ରମକୁ ଯାଇ ପଚରାଉଚରା କରିଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ପାଇ ନ ଥିଲେ।

ଏ ସମ୍ପର୍କରେ ଅଜିତଙ୍କ ପରିବାର ଲୋକେ ପ୍ରାୟ ୫ ବର୍ଷ ପୂର୍ବେ ବାଲିପାଟଣା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଏଭଳି ଏକ ସ୍ପର୍ଶକାତର ଘଟଣାକୁ ପୁଲିସ୍‌ ହାଲ୍‌କା ଭାବେ ନେଉଥିବାରୁ ପୁଲିସ୍‌ର କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହି ଘଟଣାକୁ ନେଇ ଅଜିତ୍‌ଙ୍କ ମା’ କହିଛନ୍ତି, “ମୋ ପୁଅକୁ ମୁଁ ପାଉନି। କେମିତି ସେ ରହିଥିବ, ସେ କଥା ଖାଲି ଭଗବାନ ହିଁ ଜାଣିଥିବେ। ଏଥିପାଇଁ ସୁର ବାବା ହିଁ ଦାୟୀ। ”

ସେ ଆହୁରି କହିଛନ୍ତି, “ପୁଲିସ୍‌ ହେଉଛି ରକ୍ଷକ, ଯଦି ସେମାନେ ମନା କରିବେ ତା’ହେଲେ କିଏ ଆଉ ଖୋଜିବେ ?”

ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ଅଜିତ୍‌ଙ୍କ ଭଉଣୀ କହିଛନ୍ତି, “ଆମେ ଚାହୁଁଛି ଯେ ସୁର ବାବାଙ୍କୁ ଏସମ୍ପର୍କରେ ପଚରାଯାଉ। କାହିଁକି ନା ମୋ ଭାଇ କେଉଁଠି ଅଛନ୍ତି ସେ ହିଁ କେବଳ କହିପାରିବେ। ମୋ ଭାଇ ଯଦି ନିଖୋଜ ଅଛନ୍ତି, ଏଥିପାଇଁ କେବଳ ସୁର ବାବା ହିଁ ଦାୟୀ।”

ତେବେ ଏନେଇ ପୁଲିସ୍‌ ଓ ତ୍ରାହି ଅଚ୍ୟୁତ ଆଶ୍ରମ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।



from OTV Khabar. https://ift.tt/3auBLUi
‘ମୋ ପୁଅ କେମିତି ଥିବ, ସେ କଥା ଖାଲି ଭଗବାନ ହିଁ ଜାଣିଥିବେ’ OTV KHABAR BUREAU ‘ମୋ ପୁଅ କେମିତି ଥିବ, ସେ କଥା ଖାଲି ଭଗବାନ ହିଁ ଜାଣିଥିବେ’ OTV KHABAR BUREAU Reviewed by SUBHENDU BARAL on January 19, 2020 Rating: 5

No comments:

Powered by Blogger.