ଓଡ଼ିଶା ଛାଡ଼ିବ ଏଇଏସ୍! ଓପିଜିସିରୁ ଓହରିଯିବ ସଂସ୍ଥା…କୌଣସି ବି ମୁହୂର୍ତ୍ତରେ ଆଦାନୀ ପାୱାରକୁ ବିକିପାରେ କଂପାନୀ Kanak News

କନକ ବ୍ୟୁରୋ: ପାଖାପାଖି ୨୨ବର୍ଷର ସଂପର୍କ ତୁଟାଇ ଆମେରିକୀୟ ବିଦ୍ୟୁତ କଂପାନି ଏଇଏସ୍ ଓଡ଼ିଶା ଛାଡିବାକୁ ମନସ୍ଥ କରିଛି। ଓଡ଼ିଶା ପାଓ୍ୱାର ଜେନେରସନ୍ କର୍ପୋରେସନରେ ଥିବା ୪୯% ଅଂଶଧନ କଂପାନି ଯେ କୌଣସି ମୁହୂର୍ତ୍ତରେ ବିକ୍ରି କରିଦେବ। ଏ ନେଇ ପ୍ରସ୍ତୁତି ଅନେକ ବାଟ ଆଗେଇ ଗଲାଣି। ଆଦାନୀ ପାଓ୍ୱାର ଲିମିଟେଡକୁ ଏହି ଅଂଶଧନ ବିକ୍ରି କରିବା ଲାଗି ଆପାତତଃ ଆଲୋଚନା ହୋଇଥିବା ଖବର ହସ୍ତଗତ ହୋଇଛି।

ଏହି କାରବାର ଏତେ ସନ୍ତର୍ପଣରେ ଚାଲିଛି ଯେ ନା କଂପାନି କର୍ତ୍ତୃପକ୍ଷ କୌଣସି ସୂଚନା ଦେଉଛନ୍ତି ନା ଓପିଜିସିରେ ୫୧% ଅଂଶଧନ ରଖିଥିବା ରାଜ୍ୟ ସରକାର ମୁହଁ ଖୋଲୁଛନ୍ତି। କିନ୍ତୁ ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଇତିମଧ୍ୟରେ ଆଦାନୀ ପାୱାର ଲିମିଟେଡର ବରିଷ୍ଠ ପଦାଧିକାରୀମାନେ ଝାରସୁଗୁଡ଼ା ଯାଇ ସ୍ଥିତି ଅନୁଧ୍ୟାନ କରି ଫେରି ସାରିଲେଣି। କେଉଁ ଭଳି ପରିସ୍ଥିତିରେ ଏହି କିଣାବିକା ହେବ ସେ ନେଇ କଥାବାର୍ତ୍ତା ଜାରି ରହିଛି। ରାଜ୍ୟ ଶକ୍ତି ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି, ଏ ନେଇ ସରକାରୀସ୍ତରରେ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ। ହେଲେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଙ୍କେତ କିନ୍ତୁ ଭିନ୍ନ ସୂଚନା ଦେଇଛି। ମନ୍ତ୍ରୀ କହିଛନ୍ତି ଯେ ଓପିଜିସିରେ ଏଇଏସର ୪୯% ଅଂଶଧନ ରହିଛି। କିନ୍ତୁ ସେମାନେ ଦୈନନ୍ଦିନ ପରିଚାଳନାରେ ରହିଛି। ଏହି ପ୍ରକଳ୍ପକୁ ନେଇ ଦୁଇଟି ବଡ଼ ସମସ୍ୟା ସାମ୍ନାକୁ ଆସିଛି। ପ୍ରଥମତଃ, ଆମେରିକୀୟ କଂପାନି ଏଇଏସ୍ ଏବେ ଗୋଟିଏ ବଡ଼ ନିଷ୍ପତ୍ତି ନେଇଛି ଯେ ସେମାନେ କେବଳ ସବୁଜ ପ୍ରକଳ୍ପରେ ନିବେଶ କରିବେ। ବାକି ସମସ୍ତ ପ୍ରକଳ୍ପରୁ ପୁଞ୍ଜି ପ୍ରତ୍ୟାହାର କରିନେବେ, ଯେଉଁଠାରେ ପ୍ରଦୂଷଣ ରହିଛି। ଏଣୁ ସେମାନେ ଓପିଜିସି ଛାଡ଼ିବା ପାଇଁ ଚିନ୍ତା କରୁଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ଓପିଜିସିର ପ୍ରଥମ ଦୁଇଟି ୟୁନିଟ୍ ପୁରୁଣା ବୈଷୟିକ କୌଶଳରେ ନିର୍ମିତ। ଆସନ୍ତା ୨୦୨୬ ବେଳକୁ ଯଦି ଏହି ଦୁଇ ପ୍ରକଳ୍ପର ନବକଳେବର ନ କରାଯାଏ, ତେବେ ଏମାନଙ୍କୁ ଅନୁମତି ମିଳିବା କଷ୍ଟ। ଏତେ ଅର୍ଥ ରାଜ୍ୟ ସରକାର ନିବେଶ କରିବା ସମ୍ଭାବନା କ୍ଷୀଣ। ଏଣୁ ଏଇଏସ୍ ବିକ୍ରି କରିବା ପାଇଁ ତୃତୀୟ ପକ୍ଷ ଖୋଜୁ ଥାଇପାରେ।

ଉଲ୍ଲେଖଯୋଗ୍ୟ, ୧୯୯୮ ମସିହାରେ ଆନ୍ତର୍ଜାତିକ ନିଲାମୀ ପ୍ରକ୍ରିୟାରେ ଓପିଜିସିରେ ପଶିଥିଲା ଏଇଏସ୍। ରାଜ୍ୟ ସରକାରଙ୍କର ଏହି ସଂସ୍ଥାର ପ୍ରଥମ ପର୍ଯ୍ୟାୟରେ ୨୧୦ ମେଗାୱାଟ ବିଶିଷ୍ଟ ଦୁଇଟି ତାପଜ ବିଦ୍ୟୁତ ପ୍ରକଳ୍ପ ରହିଥିଲା। ପରେ ପ୍ରାୟ ୧୧ ହଜାର ୩୦୦ କୋଟି ଟଙ୍କା ବ୍ୟୟରେ ୬୬୦ ମେଗାୱାଟ ବିଶିଷ୍ଟ ଆଉ ଦୁଇଟି ପ୍ରକଳ୍ପ ସାମିଲ ହୋଇଛି। ୨୦୧୯ରେ ତୃତୀୟ ଓ ସେହିବର୍ଷ ଜୁନରେ ଚତୁର୍ଥ ୟୁନିଟ୍ ଉତ୍ପାଦନ ଆରମ୍ଭ କରିଛନ୍ତି। ମନୋହରପୁର ଓ ମନୋହରପୁର ଡିପ୍ ସାଇ଼ଡ୍ ଏହିଭଳି ଦୁଇଟି କୋଇଲା ବ୍ଲକ୍ ମଧ୍ୟ ଉଭୟଙ୍କୁ ଦିଆଯାଇଛି। ହେଲେ ଏଇଏସକୁ ନେଇ ଓଡ଼ିଶାରେ ଅନେକ ବିବାଦ ରହିଛି। ୧୯୯୯ ମସିହାରେ ଏହି କଂପାନି ବିଦ୍ୟୁତ ବଣ୍ଟନ କଂପାନି ସେସ୍କୋକୁ ନେଇଥିଲା। ପରବର୍ତୀ ସମୟରେ ନିୟାମକ ଆୟୋଗ ତାଙ୍କ ଲାଇସେନ୍ସ ପ୍ରତ୍ୟାହାର କରିନେଇଥିଲେ। ତେବେ ଏଇଏସ୍ ବକେୟା ରଖିଥିବା ଅର୍ଥରାଶି ଏଯାଏ ଦେଇନଥିବା ବେଳେ ସରକାର ମଧ୍ୟ ତା ପ୍ରତି ଅତ୍ୟନ୍ତ କୋହଳ ନୀତି ଅବଲମ୍ବନ କରିଆସୁଥିବା ଅଭିଯୋଗ ହୋଇ ଆସୁଛି।



from Kanak News https://ift.tt/2sEjfrd https://ift.tt/30D8imr
ଓଡ଼ିଶା ଛାଡ଼ିବ ଏଇଏସ୍! ଓପିଜିସିରୁ ଓହରିଯିବ ସଂସ୍ଥା…କୌଣସି ବି ମୁହୂର୍ତ୍ତରେ ଆଦାନୀ ପାୱାରକୁ ବିକିପାରେ କଂପାନୀ Kanak News ଓଡ଼ିଶା ଛାଡ଼ିବ ଏଇଏସ୍! ଓପିଜିସିରୁ ଓହରିଯିବ ସଂସ୍ଥା…କୌଣସି ବି ମୁହୂର୍ତ୍ତରେ ଆଦାନୀ ପାୱାରକୁ ବିକିପାରେ କଂପାନୀ Kanak News Reviewed by SUBHENDU BARAL on January 19, 2020 Rating: 5

No comments:

Powered by Blogger.