କାଳିଆ ଦୁଆରେ ଅବାକ୍ କଲା ପରି ଘଟଣା : ବଡ଼ ଦାଣ୍ଡରେ ଭିକ ମାଗୁଛନ୍ତି ଡିଗ୍ରିଧାରୀ ଇଂଜିନିୟର, ଇଂରାଜୀରେ ଉଚ୍ଛକୋଟୀର ଏତଲା ଖୋଲିଲା ରହସ୍ୟ Kanak News

କନକ ବ୍ୟୁରୋ : ସାମାଜିକ ସନ୍ତୁଳନ ବିଗିଡ଼ିବାରେ ଲାଗିଛି । ଯୋଗ୍ୟ ଲୋକଙ୍କୁ ତା’ ପସନ୍ଦର କାମ ଆଉ ମିଳୁ ନାହିଁ। ଉଚ୍ଚଶିକ୍ଷିତ ହୋଇ ବି ଜଣେ ତା’ର ଯୋଗ୍ୟତାକୁ ଖାପ ଖୁଆଇଲା ଭଳି କାମଟିଏ ପାଉନାହିଁ। ସରକାରୀ ଚାକିରି ହେଉ କି ଘ‌ରୋଇ ଚାକିରିରେ ପିଅନ ବା ଚତୁର୍ଥ ଶ୍ରେଣୀ ପଦ ପାଇଁ ବିଜ୍ଞାପନ ବାହାରିଲେ ସ୍ନାତକୋତ୍ତର ପାଠ ପଢ଼ିଥିବା ଯୁବକଙ୍କ ଶହ ଶହ ଆବେଦନ ଆସୁଛି। ଶିକ୍ଷା ବ୍ୟବସ୍ଥାରେ ତ୍ରୁଟି ଓ ନିଯୁକ୍ତି ସମସ୍ୟା ‌ଯେ କେତେ ଭୟଙ୍କର ସ୍ଥିତିରେ ରହିଛି ଏଥିରୁ ଏ କଥା ପ୍ରମାଣିତ ହେଉଥିବା ବେଳେ ଗତକାଲି ପୁରୀ ବଡ଼ଦାଣ୍ଡରେ ଅବାକ୍‌ ହେବା ଭଳି ଏକ ବିରଳ ଘଟଣା ସାମ୍ନାକୁ ଆସିଛି । ଜଣେ ଇଂଜିନିୟର୍‌ ବର୍ଷ ବର୍ଷ ଧରି ବଡ଼ଦାଣ୍ଡରେ ଭିକ ମାଗିବ‌ା ଘଟଣା ସମସ୍ତଙ୍କୁ ହତବାକ୍‌ କରିଦେଇଛି । ଅନ୍ୟ ଭିକାରିଙ୍କ ଭଳି ‌ଏହି ଦାଢ଼ି ଧାରି ବ୍ୟକ୍ତି ଜଣକ ଦୀର୍ଘ ଦିନ ହେଲା ସେ ବଡ଼ଦାଣ୍ଡରେ ବସି ଭିକ୍ଷା ବୃତ୍ତି କରୁଛନ୍ତି । ତେବେ ଗତକାଲି ଏକ ଘଟଣା କ୍ରମରେ ଏହା ଲୋକଲୋଚନକୁ ଆସିଛି।

ବଡ଼ଦାଣ୍ଡରେ ଜଣେ ରିକ୍ସ‌ା ଚାଳକଙ୍କ ସହିତ ଗଣ୍ଡଗୋଳ ହେବା ପରେ ସଂପୃକ୍ତ ଭିକାରି ରିକ୍ସ‌ା ଚାଳକଙ୍କୁ ମାରି ରକ୍ତାକ୍ତ କରିବା ସହିତ ନିଜେ ଆହତ‌ ହୋଇଥିଲେ।  ଭିକାରୀ ଜଣକ ଏ ନେଇ ପୁରୀ ଟାଉନ୍‌ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ତାଙ୍କ ଏତଲାରୁ ନୂଆ କଥା ସାମ୍ନାକୁ ଆସିଥିଲା । ଇଂରାଜୀରେ ସେ ଯେଉଁ ଏତଲାଟି ଲେଖିଥିଲେ ତାହା ଥିଲା ସଂପୂର୍ଣ୍ଣ ନିର୍ଭୁଲ ଓ ଉଚ୍ଚକୋଟୀର । ଭିକ୍ଷାବୃତ୍ତି କରୁଥିବା ଜଣେ ବ୍ୟକ୍ତି ନିର୍ଭୁଲ ଭାବେ ଏଭଳି ଏତଲା ଲେଖିବା ଘଟଣା ପରେ ସଂପୃକ୍ତ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ଜାଣିବାକୁ ପୁଲିସ ବାବୁଙ୍କ ଆଗ୍ରହ ବଢିଥିଲା ।

ଆଳୁ ଖୋଳୁ ମହାଦେବ ବାହାରିଲା ଭଳି ସଂପୃକ୍ତ ଭିକ୍ଷୁକ ନିଜର ପରିଚୟ ଦେବ‌ା ପରେ ପୁଲିସ କର୍ମଚାରୀ ପରସ୍ପର ମୁହଁକୁ ଅନାଇଥିଲେ । ଭିକ୍ଷା ବୃତ୍ତି କରୁଥିବା ଇଂଜିନିୟରିଂ ଡିଗ୍ରିଧାରୀ ଏହି ବ୍ୟକ୍ତି ଜଣକ ହେଲେ ଗିରିଜା ଶଙ୍କର ମିଶ୍ର । ତାଙ୍କ ବାପା ଜଣେ ପୁଲିସ ଡିଏସ୍‌ପି । ଘର ଭୁବନେଶ୍ବର ଜୟଦେବ ବିହାର ଅଞ୍ଚଳରେ । ସେ ଜଣେ ମେଧାବୀ ଛାତ୍ର ଓ ରାଜ୍ୟର ଏକ ପ୍ରତିଷ୍ଠିତ କଲେଜରୁ ବିଏସ୍‌ସି ପାସ୍‌ କରିଥିଲେ । ପରେ ପୁଣି ଇଂଜନିୟରିଂ ଆଡ଼କୁ ମନ ବଳାଇ ଡିଗ୍ରି ଇଂଜିନୟରିଂ ମଧ୍ୟ କରିଥିଲେ। ପରେ ଏକ ପ୍ଲାଷ୍ଟିକ ଇଂଜିନିୟରିଂ କଲେଜରେ ତିନି ବର୍ଷ ପାଇଁ ଅଧ୍ୟାପନା ମଧ୍ୟ କରିଥିଲେ।

ତେବେ ସେ ଚାକିରି ଛାଡ଼ି କାହିଁକି ବଡ଼ଦାଣ୍ଡରେ ଭିକ୍ଷାବୃତ୍ତିକୁ ଆପଣେଇଛନ୍ତି ସେ ସଂପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ କଥା ବୋଲି କହିବ‌ା ସହ ବେଳେବେଳେ ଅଜାଗା ଘା’ ଦେଖାଇ ହୁଏ ନାହିଁ ବୋଲି କହି କଥାକୁ ଟାଳି ଦେଇଥିଲେ। ତେବେ ଜଣେ ଇଂଜିନିୟର୍‌ କେଉଁ ପରିସ୍ଥିତିରେ ବଡଦାଣ୍ଡରେ ବର୍ଷ ବର୍ଷ ଧରି ଭିକାରୀ ଙ୍କ ସହ ମିଶି ଭିକ୍ଷ‌ା ବୃତ୍ତି କରୁଛନ୍ତି ତାକୁ ନେଇ ଉତ୍ସୁକତା ବଢିଛି।



from Kanak News https://ift.tt/366pd1P https://ift.tt/2u9BtRR
କାଳିଆ ଦୁଆରେ ଅବାକ୍ କଲା ପରି ଘଟଣା : ବଡ଼ ଦାଣ୍ଡରେ ଭିକ ମାଗୁଛନ୍ତି ଡିଗ୍ରିଧାରୀ ଇଂଜିନିୟର, ଇଂରାଜୀରେ ଉଚ୍ଛକୋଟୀର ଏତଲା ଖୋଲିଲା ରହସ୍ୟ Kanak News କାଳିଆ ଦୁଆରେ ଅବାକ୍ କଲା ପରି ଘଟଣା : ବଡ଼ ଦାଣ୍ଡରେ ଭିକ ମାଗୁଛନ୍ତି ଡିଗ୍ରିଧାରୀ ଇଂଜିନିୟର, ଇଂରାଜୀରେ ଉଚ୍ଛକୋଟୀର ଏତଲା ଖୋଲିଲା ରହସ୍ୟ Kanak News Reviewed by SUBHENDU BARAL on January 17, 2020 Rating: 5

No comments:

Powered by Blogger.