ମହାପ୍ରଭୁଙ୍କ ରଥକାଠ ନିମନ୍ତେ ବଡ଼ରାଉଳ ପୀଠରେ ପୂଜାର୍ଚ୍ଚନା: ଆଜ୍ଞାମାଳା ନେଇ ଶ୍ରୀମନ୍ଦିରରୁ ଆସିଥିଲେ ପ୍ରତିନିଧିଦଳ; କାଠ କାଟିବା ପାଇଁ ମା’ଙ୍କ ଅନୁମତି ମାଗି ଫେରିଲେ Kanak News

କନକ ବ୍ୟୁରୋ: ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେଉଥିବା ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ରଥ ନିର୍ମାଣ ନିମନ୍ତେ, କାଠ କାଟିବା ଲାଗି ଗତକାଲି ଗଣିଆ ବ୍ଲକ୍ ଅନ୍ତର୍ଗତ ବଡ଼ମୂଳ ବଡ଼ରାଉଳ ଠାକୁରାଣୀଙ୍କ ପୀଠସ୍ଥଳୀରେ ବିଧି ମୁତାବକ ପୂଜାର୍ଚ୍ଚନା କରାଯାଇଛି। ମହାପ୍ରଭୁଙ୍କ ଆଜ୍ଞାମାଳ, ମାହାର୍ଦ୍ଦ ପହଞ୍ଚିବା ପରେ ରୀତି ଅନୁଯାୟୀ ଠାକୁରାଣୀଙ୍କ ନିକଟରେ ହୋମଯଜ୍ଞ ଶେଷ ହୋଇଛି। ସୋମବାର ଶ୍ରୀମନ୍ଦିରରୁ ନୟାଗଡ଼ ଆସିଥିବା ଚାରିଜଣିଆ ପ୍ରତିନିଧିଦଳ ସକାଳ ପ୍ରାୟ ୯ଟା ସମୟରେ ମା’ଙ୍କ ପୀଠ ଅଭିମୁଖେ ଯାତ୍ରା କରିଥିଲେ। କାଠ କାଟିବା ନିମନ୍ତେ ମା’ଙ୍କ ଅନୁମତି ଲୋଡ଼ି ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସିଥିବା ବରିଷ୍ଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ଜଗନ୍ନାଥଙ୍କ ରଥର ମୁଖ୍ୟ କାରିଗର ବିଜୟ ମହାପାତ୍ର ଓ ଭୋଇ ସର୍ଦ୍ଦାର ରବି ଭୋଇ ଫେରିଛନ୍ତି।
ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର ତତ୍ତ୍ବାବଧାନରେ ଏହି ଆୟୋଜନ କରାଯାଇଥିଲା। ନୟାଗଡ଼ ବନଖଣ୍ଡ ଅଧିକାରୀ (ଡିଏଫଓ) ଧନରାଜ ଏଚଡି କର୍ତ୍ତା ଭାବେ ଯଜ୍ଞରେ ବସିଥିଲେ। ଆଜିଠାରୁ ପୂର୍ବରୁ ଚିହ୍ନିତ ହୋଇଥିବା ଗଛ ଦଶପଲ୍ଲା ଓ ଗଣିଆ ବନାଞ୍ଚଳରୁ କଟା ଆରମ୍ଭ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ମା’ଙ୍କ ପୀଠରେ ଏହି ପୂଜାର୍ଚ୍ଚନା ଦେଖିବା ଲାଗି ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ଶ୍ରୀପଞ୍ଚମୀ ଦିନ ଦୁଇ ଟ୍ରିପ୍ ରଥ କାଠ ପୁରୀ ଯିବ ବୋଲି ଡିଏଫଓ କହିଛନ୍ତି। ତିନି ଠାକୁରଙ୍କ ରଥ ପାଇଁ ଚଳିତ ବର୍ଷ ୬୭୨ ଖଣ୍ଡ କାଠ ବନ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ। ୩୬୭ଟି ଖଣ୍ଡ କାଠ ନୟାଗଡ଼ ବନଖଣ୍ଡରୁ ଯୋଗାଣ ହେବାକୁ ଥିବା ବେଳେ, ବାକି କାଠ ଅନ୍ୟ ବନଖଣ୍ଡରୁ ପ୍ରଦାନ କରାଯିବ।
from Kanak News https://ift.tt/2uqGkOF https://ift.tt/2tAcMxQ
No comments: