ନିର୍ଭୟା ମାମଲାରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ଦୋଷୀ ଅକ୍ଷୟ ସିଂହର ମୃତ୍ୟୁଦଣ୍ଡର ପୁନର୍ବିଚାର ଆବେଦନ ଉପରେ ରାୟ ଶୁଣାଇବେ କୋର୍ଟ Kanak News

କନକ ବ୍ୟୁରୋ : ନିର୍ଭୟା ମାମଲାରେ ସୁପ୍ରିମକୋର୍ଟରେ ଆଜି ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ମୃତ୍ୟୁଦଣ୍ଡର ପୁନର୍ବିଚାର ପାଇଁ ଦୋଷୀ ଅକ୍ଷୟ ସିଂହ, ସୁପ୍ରିମକୋର୍ଟରେ ଆବେଦନ କରିଥିଲା । ଆଜି ଏହି ଆବେଦନର ଶୁଣାଣି କରିବେ କୋର୍ଟ । ଆଜି ଯଦି ପୁନର୍ବିଚାର ଆବେଦନକୁ ବିଧିବଦ୍ଧ ଭାବେ ଖାରଜ କରିଦିଆଯାଏ, ତେବେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅପରାଧୀ ମାନଙ୍କର ମୃତ୍ୟୁଦଣ୍ଡ ପାଇବାର ରାସ୍ତା ପରିଷ୍କାର ହୋଇଯିବ । ସେପଟେ ବଢୁଥିବା ପ୍ରଦୂଷଣ କାରଣରୁ ଆୟୁ କମି ଯାଉଥିବାରୁ ମୃତ୍ୟୁଦଣ୍ଡର ଆବଶ୍ୟକତା ନଥିବା କହି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଆବେଦନ କରିଛନ୍ତି ଅକ୍ଷୟଙ୍କ ଓକିଲ । ଏହା ସହ ଅକ୍ଷୟ ନିଜ ଆବେଦନରେ କହିଛି ଯେ ମୃତ୍ୟୁଦଣ୍ଡ ଅପରାଧୀକୁ ମାରିବ ଅପରାଧକୁ ନୁହେଁ । ଏଣୁ ମୃତ୍ୟୁଦଣ୍ଡର ପୁନର୍ବିଚାର ସହ ସଂସ୍କାର ଆଣିବା ପାଇଁ ସୁଯୋଗ ଦେବା ଉଦ୍ଦେଶ୍ୟରେ ମୃତ୍ୟୁଦଣ୍ଡକୁ କୋହଳ କରିବାକୁ ଆବେଦନ କରିଛନ୍ତି ଅକ୍ଷୟଙ୍କ ଓକିଲ । ପୂର୍ବରୁ ଅନ୍ୟ ତିନି ଅଭିଯୁକ୍ତ ମୁକେଶ, ପବନ ଗୁପ୍ତା ଓ ବିନୟ ଶର୍ମା ସୁପ୍ରିମକୋର୍ଟରେ ଦାୟର କରିଥିବା ପୁନର୍ବିଚାର ଆବେଦନ ଖାରଜ ହୋଇସାରିଛି । ଏଣୁ ଆଜିି ଅକ୍ଷୟର ପୁନର୍ବିଚାର ଆବେଦନ ଖାରଜ ହେଲେ ଫାଶୀ ପ୍ରକ୍ରିୟା ଆଗକୁ ବଢିବା ସମ୍ଭାବନା ବଢିଯିବ ।
କାହିଁକି ନା, ଦିଲ୍ଲୀ କୋର୍ଟରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ, ଅପରାଧୀ ମାନଙ୍କୁ ତୁରନ୍ତ ମୃତ୍ୟୁର ପରୱାନା ବା ଡେଥ ୱାରେଂଟ ଜାରି କରିବାକୁ ଆବେଦନ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ମାମଲାର ଶୁଣାଣି ବି ଆରମ୍ଭ ହୋଇଥିଲା । ହେଲେ ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ ଥିବାରୁ ଆଜିକୁ ଅପେକ୍ଷା କରିବା ପାଇଁ କହିଥିଲେ, ଦିଲ୍ଲୀ କୋର୍ଟ । ତେଣୁ ଆଜି ସୁପ୍ରିମକୋର୍ଟ ରାୟ ଆସିବା ପରେ ଆସନ୍ତାକାଲି ଅପରାଧୀଙ୍କୁ ମୃତ୍ୟୁର ପରୱାନା ଜାରି କରିବା ନେଇ ନିଷ୍ପତ୍ତି ନେଇପାରନ୍ତି ଦିଲ୍ଲୀ କୋର୍ଟ । ଆଉ ଏହାସହ ଚର୍ଚ୍ଚା ହେଉଛି କି ୧୮ ଡିସେମ୍ବରରେ ନିର୍ଭୟାର ନରରାକ୍ଷସଙ୍କୁ ଧରାଇଦିଆଯାଇପାରେ ମୃତ୍ୟୁର ପରୱାନା । ଆରମ୍ଭ ହୋଇଯାଇପାରେ ଫାଶୀର ପୁରା ପ୍ରକ୍ରିୟା । ଅନ୍ୟପଟେ ପୂର୍ବରୁ ଜଣେ ଅପରାଧୀ ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ଖାରଜ କରିବା ପାଇଁ ଗୃହ ମନ୍ତ୍ରାଳୟ, ରାଷ୍ଟ୍ରପତିଙ୍କୁ ସୁପାରିଶ କରିସାରିଛି । ତେଣୁ ଦୋଷୀମାନଙ୍କୁ ଖୁବ୍ ଶୀଘ୍ର ଫାଶି ଖୁଂଟରେ ଝୁଲାଇ ଦିଆଯାଇପାରେ ବୋଲି କୁହାଯାଉଛି ।
from Kanak News https://ift.tt/36HZAFf https://ift.tt/2K1Ig7Q
No comments: