ଭୁବନେଶ୍ବର ଗାନ୍ଧିମାର୍ଗରେ ଗାଁ ସାଥୀ ସଂଘର ଧାରଣା: ଗଛରୁ ଡେଇଁ ଜଣେ ଗାଁ ସାଥୀଙ୍କ ଆତ୍ମହତ୍ୟା ଉଦ୍ୟମ ବେଳେ ଉଦ୍ଧାର କଲା ଅଗ୍ନିଶମ ବିଭାଗ Kanak News

କନକ ବ୍ୟୁରୋ: ଶହ ଶହ ଗାଁ ସାଥୀ (ମେଟ୍) ସ୍ଥାୟୀ ନିଯୁକ୍ତି ଦାବିରେ ଲୋୟର ପିଏମଜିରେ ଦୀର୍ଘ ୨୩ ଦିନ ହେଲା ଧାରଣାରେ ବସି ରହିଛନ୍ତି। ହେଲେ ସରକାର ଶୁଣୁନାହାନ୍ତି। ଫଳରେ ଗତକାଲି ଏହି ଗାଁ ସାଥୀମାନେ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ରାସ୍ତା ଉପରେ ହୋମ-ଯଜ୍ଞ କରି ଠାକୁରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ କାନରେ ଗୁହାରି ପହଞ୍ଚାଇବା ପାଇଁ ସେମାନେ ଉଦ୍ୟମ କରିଛନ୍ତି। ପଣ୍ଡିତ ବିପିନ ନାହାକଙ୍କ ଅଧ୍ୟକ୍ଷତାରେ ଏହି ଯଜ୍ଞ ହୋଇଥିଲା। ଅପରାହ୍ଣରେ ଆଲୋଚନା ପାଇଁ ସରକାରଙ୍କ ପକ୍ଷରୁ ଡାକରା ଆସିବା ପରେ ଦୀର୍ଘ ଏକ ଘଣ୍ଟା କାଳ ଆଲୋଚନା ହୋଇଥିଲେ ମଧ୍ୟ ସଫଳ ହୋଇ ନାହିଁ। ଏଣୁ ଧାରଣା ପୂର୍ବବତ୍ ଜାରି ରହିଛି।
ଗାଁ’ ସାଥୀମାନଙ୍କୁ ମାସକୁ ସର୍ବନିମ୍ନ ୧୦ ଦିନ କିମ୍ବା ଗୋଟିଏ ଆର୍ଥିକ ବର୍ଷରେ ଅତି କମ୍ରେ ଶହେ ଦିନର ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏ ସମ୍ପର୍କରେ ଜାନୁଆରି ୧୧ ତାରିଖରେ ସମସ୍ତ ଜିଲ୍ଲା ପ୍ରଶାସନକୁ ରାଜ୍ୟ ସରାକାର ନିର୍ଦେଶ ଦେଇଥିଲେ। କାର୍ୟ୍ୟ ପାଉନଥିବା ରାଜ୍ୟର ଗାଁସାଥୀମାନଙ୍କ ପାଇଁ ଏକ ସ୍ବତନ୍ତ୍ର କର୍ପସ ପାଣ୍ଠି ଗଠନ କରାଯାଇ ଭତ୍ତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ମିଳିଥିଲା। ଅଦ୍ୟାବଧି ଏନେଇ କୌଣସି ପଦକ୍ଷେପ ନିଆଯାଇନାହିଁ। ଏହା ସହିତ ମାସିକ ୬ ହଜାର ପ୍ରୋତ୍ସାହନ ରାଶି ଓ ସ୍ଥାୟୀ ନିଯୁକ୍ତି ସହ ୫ ଦଫା ଦାବିରେ ଗତ ୪ ତାରିଖରୁ ଗାଁ ସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଧାରଣା ଜାରି ରଖିଛି।
ଆତ୍ମହତ୍ୟା ଉଦ୍ୟମ: ୧୧ ବର୍ଷ ଧରି ସରକାରଙ୍କ ଯୋଜନାରେ ସହଯୋଗ କରିବା ଫଳରେ ଯୋଜନା ସଫଳ ହୋଇଛି। ଏଥିପାଇଁ ସରକାର ବାହାବା ମଧ୍ୟ ନେଇଛନ୍ତି। ହେଲେ ସ୍ଥାୟୀ କରିବା ପାଇଁ ଚିନ୍ତା କରୁନାହାନ୍ତି। ଏଣୁ ଏଭଳି ଏକ ଅନିଶ୍ଚିତତା ଭିତରେ ବଞ୍ଚିବା ଲାଭ ନାହିଁ କହି ଜଣେ ଗାଁ ସାଥୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଲୋୟର ପିଏମଜିରେ ଥିବା ଦେବଦାରୁ ଗଛରେ ଚଢ଼ି ଡେଇଁ ପଡ଼ିବା ପାଇଁ ଉଦ୍ୟତ ହୋଇଥିଲେ। ସେ ହେଉଛନ୍ତି ବଲାଙ୍ଗୀର ସଦରବ୍ଲକର ମଧୁ ଛତ୍ରିଆ। ଖବର ପାଇ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିଥିଲେ।
from Kanak News https://ift.tt/34kMgG7 https://ift.tt/33iMIn4


No comments: