ବିଶାଖାପାଟଣା ଟେଷ୍ଟରେ ଦୃଢ ସ୍ଥିତିରେ ଭାରତ । ମୟଙ୍କ ଅଗ୍ରୱାଲଙ୍କ ପ୍ରଥମ ଦ୍ୱିଶତକ ଓ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ରୋହିତ ଶର୍ମାଙ୍କ ପ୍ରଥମ ଶତକ ଫଳରେ ଟିମ୍ ଇଣ୍ଡିଆ ୭ ୱିକେଟ୍ ହରାଇ ୫୦୨ ରନ୍ ସଂଗ୍ରହ କରିଥିଲା । ଏହା ପରେ ଅଧିନାୟକ କୋହଲୀ ପାଳି ଘୋଷଣା କରିଥିଲେ । ପରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିବାକୁ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଦୁଇ ସ୍ପିନର ରବୀନ୍ଦ୍ର ଜାଡେଜା ଓ ଆର୍ ଅଶ୍ୱିନ ଦକ୍ଷିଣ ଆଫ୍ରିକାର ଶୀର୍ଷକ୍ରମକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲେ । ଦ୍ୱିତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଦକ୍ଷିଣ ଆଫ୍ରିକା ୩୯ ରନ୍ କରି ୩ ୱିକେଟ୍ ହରାଇଛି । ଆଜି ଦଳ ୩୯ ରନରୁ ଖେଳ ଆରମ୍ଭ କରିବ । ଭ୍ରମଣକାରୀ ଦଳ ଏବେ ଭାରତଠାରୁ ୪୬୩ ରନ୍ ପଛରେ ରହିଛି । ତେବେ ଇତି ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ କିର୍ତ୍ତୀମାନ ସ୍ଥାପନ କରିଛନ୍ତି ଭାରତୀୟ କ୍ରିକେଟର ।
ଟେଷ୍ଟରେ ପ୍ରଥମ ଥର ପାଇଁ ଓପନର ଭୂମିକାରେ ପଡିଆରେ ଓହ୍ଲାଇଥିଲେ ଷ୍ଟାର କ୍ରିକେଟର ରୋହିତ ଶର୍ମା ଏବଂ ଚମକ୍ରାର ୧୭୫ ରନ୍ ସଂଗ୍ରହ କରିଥିଲେ । ଟେଷ୍ଟ ଓପନର ଭାବେ ଏହା ତାଙ୍କର ପ୍ରଥମ ଶତକ । ସେହିପରି ଅନ୍ୟତମ ଓପନର ମୟଙ୍କ ଅଗ୍ରୱାଲ ପ୍ରଥମ ଶତକକୁ ଦ୍ୱିଶତରେ ରୂପାନ୍ତରିତ କରିବାରେ ଚତୁର୍ଥ ଭାରତୀୟ ହୋଇଛନ୍ତି । ସେ ୨୧୫ ରନ୍ ର ଚମକ୍ରାର ପାଳି ଖେଳିଛନ୍ତି । ଏହା ସହ ରୋହିତ-ମୟଙ୍କ ଯୋଡି ପ୍ରଥମ ଉଇକେଟରେ ୩୧୭ ରନ ସଂଗ୍ରହ କରିବା ସହ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ସର୍ବବୃହତ ଭାଗିଦାରୀ ହୋଇଛି । ଅନ୍ୟପଟେ ଏହି ଓପନର ଯୋଡି ୮୨ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ । ୬ ବର୍ଷ ପରେ କୌଣସି ଦଳ ପ୍ରଥମ ୱିକେଟ୍ ଯୋଡି ୮୦ କିମ୍ବା ତାଠୁ ଅଧିକ ଓଭର ପର୍ଯ୍ୟନ୍ତ ଅତୁଟ ରହିଥିଲା । ଶେଷଥର ପାଇଁ ୨୦୧୩ରେ ଇଂଲଣ୍ଡର ଆଲିଷ୍ଟର କୁକ୍ ଓ ନିକ୍ କମ୍ପଟନଙ୍କ ଯୋଡି ୮୦ ଓଭର ଯାଏଁ ଖେଳିଥିଲେ ।
from Kanak News https://ift.tt/2oRQBR6 https://ift.tt/355eA04
No comments: