ତାଜା ହୋଇପାରେ ‘ପୋସ୍କୋ’ ପ୍ରସଙ୍ଗ: ଓଡିଶା ଆସୁଛନ୍ତି କୋରିଆ ଶିଳ୍ପ ପ୍ରତିନିଧି; ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ, ବ୍ୟବସାୟ ପାଇଁ ସୁଯୋଗ ଖୋଜିବେ Kanak News

କନକ ବ୍ୟୁରୋ: ଭୁବନେଶ୍ବର ଓଡ଼ିଶାକୁ ମୁହଁ ମୋଡ଼ି ଚାଲିଯାଇଛି ପୋହାଙ୍ଗ ଷ୍ଟିଲ୍ କଂପାନି (ପୋସ୍କୋ)। ଓଡ଼ିଶାରେ ୫୨ ହଜାର କୋଟି ଟଙ୍କା ନିବେଶ ଆଶା ପାଣିରେ ମିଳାଇଯାଇଛି। ପୋସ୍କୋକୁ ଦିଆଯାଇଥିବା ଜମି ଉପରେ ଏବେ ଜେଏସଡବ୍ଲୁ ପ୍ରକଳ୍ପ କରିବା ଲାଗି ଅଣ୍ଟା ଭିଡିଲାଣି। ରାଜ୍ୟବାସୀ ପୋସ୍କୋ ସ୍ମୃତି ଭୁଲି ଭୁଲି ଆସୁଥିବା ବେଳେ କୋରିଆ ଗଣରାଜ୍ୟର ଶିଳ୍ପ ଓ ବାଣିଜ୍ୟ ପ୍ରତିନିଧିଙ୍କର ଏକ ଦଳ ଆଜି ଓଡ଼ିଶା ଆସୁଥିବା ଜଣାପଡିଛି। ପୁଣି ଥରେ ଓଡ଼ିଶାରେ ପୁଞ୍ଜିନିବେଶ ଲାଗି କୋରିଆ ସରକାର ଆଗ୍ରହ ଦେଖାଇଛନ୍ତି। ହେଲେ ଏଥର ପୋସ୍କୋ କଂପାନି କି ଇସ୍ପାତ କ୍ଷେତ୍ରରେ ନୁହେଁ ବରଂ ସାମଗ୍ରୀ ଉତ୍ପାଦନ ଲାଗି ଓଡ଼ିଶାରେ ସୁଯୋଗ ସନ୍ଧାନ ଲାଗି ସେମାନେ ଆସୁଛନ୍ତି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କୋରିଆର ରାଷ୍ଟ୍ରଦୂତ ସିନ୍ ବଙ୍ଗକିଲଙ୍କ ନେତୃତ୍ବରେ ଏକ ୪୬ ଜଣିଆ ପ୍ରତିନିଧି ଦଳ ଓଡ଼ିଶା ଆସିବା କାର୍ଯ୍ୟକ୍ରମ ଆପାତତଃ ଚୂଡାନ୍ତ ହୋଇଛି। କୋରିଆ ପ୍ରତିନିଧି ଦଳ ଏଥର ଯେମିତି ନିରାଶ ନ ହୁଅନ୍ତି, ସେଥିପାଇଁ ରାଜ୍ୟ ସରକାର ମଧ୍ୟ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏପରିକି ସେମାନଙ୍କ ପାଇଁ ମନୋରଂଜନ କାର୍ଯ୍ୟକ୍ରମ ମଧ୍ୟ ଖଞ୍ଜାଯାଇଛି। ଏହି ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହା ପୂର୍ବରୁ ସେମାନେ ରାଜ୍ୟ ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ସାକ୍ଷାତ କରିବେ।
ଦକ୍ଷିଣ କୋରିଆର ପ୍ରମୁଖ କଂପାନି ସାମସଙ୍ଗ୍, ହୁଣ୍ଡାଇ, କିଆ ଏବଂ ଏଲ୍ଜି ପ୍ରତିନିଧିଙ୍କ ସମେତ କୋରିଆର ୧୪ ଜଣ ବ୍ୟବସାୟୀ ଏହି ପ୍ରତିନିଧି ଦଳରେ ସାମିଲ ଅଛନ୍ତି। ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆେଲାଚନା କାଳରେ ରାଜ୍ୟ ସରକାରଙ୍କର ବାଣିଜ୍ୟ ନୀତି ଏବଂ ସରକାର ପ୍ରଦାନ କରୁଥିବା ପ୍ରୋତ୍ସାହନ ବିଷୟରେ ପଚାରିବେ। ଏପରିକି ଏସବୁ ସଂସ୍ଥା ଯଦି ଓଡ଼ିଶାରେ ନିବେଶ କରନ୍ତି, ତେବେ ସେମାନଙ୍କୁ ଆଉ ଅଧିକ କି କି ସୁବିଧା ପ୍ରଦାନ କରାଯିବ, ସେ ନେଇ ସେମାନେ ସରକାରଙ୍କ ସହିତ ଆଲୋଚନା କରିବେ। ପୂର୍ବଭଳି ବିନା ବିବାଦରେ ଜମି ଠାରୁ ଆରମ୍ଭ କରି ଟିକସ ରିହାତି ପର୍ଯ୍ୟନ୍ତ ସବୁ ସଂପର୍କରେ ଆଲୋଚନା ହୋଇପାରେ ।
from Kanak News https://ift.tt/32XLltZ https://ift.tt/2LFq2rk
No comments: