
କନକ ବ୍ୟୁରୋ : ଆଇନକାନୁନ ଯେତେ କଠୋର ହେଲେ ବି ଅସହାୟ ବୃଦ୍ଧବୃଦ୍ଧାଙ୍କ ଉପରେ ପୁଅ/ବୋହୂଙ୍କ ନିର୍ଯ୍ୟାତନା ଦିନକୁ ଦିନ ବଢ଼ି ଚାଲିଛି ସିନା ଥମିବାର ନାଁ ନେଉନି। ପର୍ଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ଗେହ୍ଲେଇକାଟେଣୀ ଗାଁରେ ୮୨ ବର୍ଷର ଜଣେ ବିଧବା ବୃଦ୍ଧା ପଡ଼ିଶା ଘର ତିଅଣ ଖାଇଦେଲେ ବୋଲି ବୋହୂ ତାଙ୍କୁ ରାସ୍ତା ଉପରେ ଘୋଷାଡ଼ି ଘୋଷାଡ଼ି ଲହୁଲୁହାଣ କରିବା ଘଟଣା ଦେଖଣାହାରୀଙ୍କୁ ତଟସ୍ଥ କରିଦେଇଛି। ଏହି ହୃଦୟ ବିଦାରକ ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ସମଗ୍ର ଅଞ୍ଚଳରେ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଛି।
ଗେହ୍ଲେଇକାଟେଣୀ ଗାଁର ବୃଦ୍ଧା ପାରେଇ ନାୟକ ସ୍ବାମୀଙ୍କ ମୃତ୍ୟୁ ପରେ ସେ ତାଙ୍କର ଏକମାତ୍ର ପୁଅ ସହ ରହୁଛନ୍ତି। ଅତି ଗରିବ ଶ୍ରେଣୀର ଲଛମନ ମୂଲ ଲାଗି ପରିବାର ଚଳାଇଥାନ୍ତି। ସେ କାମକୁ ବାହାରିଯିବା ପରେ ବୋହୂ ସବିତା ସାମାନ୍ୟ କଥାକୁ କେନ୍ଦ୍ରକରି ଶାଶୂଙ୍କୁ ମାଡ଼ଗାଳି ଦିଅନ୍ତି। ବୃଦ୍ଧାବସ୍ଥାରେ ମନ ଚାହିବାରୁ ପାରେଇ ପଡ଼ିଶା ଘରୁ ଟିକେ ତିଅଣ ଆଣି ଖାଇଥିଲେ। ତେବେ ଏହା ଜାଣିବା ପରେ ବୋହୂ ସବିତାଙ୍କ ମୁଣ୍ଡରେ ପିତ୍ତ ଚଢ଼ି ଯାଇଥିଲା। ସେ ରାଗରେ ନିଜ ହିତାହିତ ଜ୍ଞାନ ଭୁଲି ବିଚାରି ଚମ ଧୁଡୁଧୁଡୁ ପାରେଇଙ୍କୁ ଖାଇବା ଜାଗାରୁ ଘୋଷାଡ଼ି ନେଇଥିଲେ ରାସ୍ତା ଉପରକୁ। ଗାଁ ପକ୍କା ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ଲହୁଲୁହାଣ କରି ଦେଇଥିଲେ। ବୃଦ୍ଧର ଜଣକ ଯନ୍ତ୍ରଣାରେ ଛଟପଟ ହୋଇ ବୋହୂର ଗୋଡ଼ ଧରି ନେହୁରା ହୋଇଥିଲେ ବି ସେ କିଛି ଶୁଣିନଥିଲେ।
ତେବେ ତାଙ୍କ କାନ୍ଦବୋବାଳି ଶୁଣି ପାଖପଡ଼ୋଶୀ ପଦାକୁ ବାହାରି ଆସିବାରୁ ସବିତା ତାଙ୍କୁ ରାସ୍ତାରେ ସେମିତି ଗଡ଼ାଇ ଦେଇ ପଳାଇ ଯାଇଥିଲେ। ଏ ସଂପର୍କରେ ପୂର୍ବତନ ସରପଞ୍ଚଙ୍କଠାରୁ ଖବର ପାଇ ପୁଲିସ ସଂଧ୍ୟାରେ ପାରେଇଙ୍କୁ ଉଦ୍ଧାର କରି ପର୍ଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରିଛି। ଏ ସଂପର୍କରେ ପର୍ଜଙ୍ଗ ଥାନାଧିକାରୀ ଏ. କେ. ଡୁଙ୍ଗଡୁଙ୍ଗଙ୍କୁ ପଚାରିବାରୁ ସେ କହିଛନ୍ତି, ଘଟଣା ସଂପର୍କରେ କେହି ଅଭିଯୋଗ କରି ନଥିବାରୁ ମାମଲା ରୁଜୁ ହୋଇନାହିଁ।
from Kanak News https://ift.tt/2OKTTlL https://ift.tt/2yLh5p5
ଗାଁ ଦାଣ୍ଡରେ ଶାଶୂକୁ ଘୋଷାଡି ମାରିଲା ବୋହୂ ! ପୋଲିସ ପହଞ୍ଚିଲା, ବୋହୂ ଫେରାର୍ ହେଲା Kanak News
Reviewed by SUBHENDU BARAL
on
August 08, 2019
Rating:
No comments: