ଆସୁଛି ବଡ଼ ବନ୍ୟା! ଆଉ ୨୪ ଘଣ୍ଟା ପ୍ରବଳ ବର୍ଷିବ; ୭ ଜିଲ୍ଲାକୁ ରେଡ୍ ଆଲର୍ଟ Kanak News

କନକ ବ୍ୟୁରୋ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ପଶ୍ଚିମ ଓଡ଼ିଶା ବର୍ଷାପାଣିରେ ଉବୁଟୁବୁ ହେଉଥିବା ବେଳେ ଉପକୂଳ ଓଡ଼ିଶାରେ ବଡ଼ ବନ୍ୟା ଆଶଙ୍କା ଦେଖା ଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ସ୍ଥିତି ସଂଗିନ୍ ହୋଇପଡ଼ିଛି। ପଶ୍ଚିମ ଓଡ଼ିଶାର ସମସ୍ତ ନଦୀ ଉଛୁଳୁଛି। ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ ଓ କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ମହାନଦୀରେ ବଡ଼ ବନ୍ୟା ଆଣିବାକୁ ଯାଉଛି। ଫଳରେ ଉପକୂଳ ଜିଲ୍ଲାମାନଙ୍କ ପାଇଁ ବି ବିପଦ ସୃଷ୍ଟି ହୋଇଛି। ହୀରାକୁଦରେ ଗେଟ୍ ଖୋଲିବା ପୂର୍ବରୁ ହିଁ ମହାନଦୀ ପୂର୍ଣ୍ଣଗର୍ଭା ହେଉଛି।

ଆସନ୍ତା ୧୫ ତାରିଖ ସୁଦ୍ଧା ମୁଣ୍ଡଳି ଦେଇ ୧୨ ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ ହେବା ଆଶଙ୍କା ରହିଛି। ୧୪ରେ ହୀରାକୁଦ ଗେଟ୍ ଖୋଲିବ। ଏଥିସହ ଆହୁରି ୨୪ ଘଣ୍ଟା ବର୍ଷା ଆଶଙ୍କା ଥିବାରୁ ରାଜ୍ୟରେ ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିବାର ଆଶଙ୍କା କରାଯାଉଛି। ସମ୍ଭାବ୍ୟ ସ୍ଥିତିକୁ ମୁକାବିଲା କରିବା ପାଇଁ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି। ପାଣି ଘେରରେ ଥିବା ଲୋକଙ୍କୁ ଉଦ୍ଧାର କରିବା ଓ ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ୧୫ ଓଡ୍ରାଫ୍ ଓ ୩ ଏନଡିଆରଫ ଟିମକୁ ମୁତୟନ କରାଯାଇଛି। ନଦୀ ବନ୍ଧ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବାକୁ ଉପକୂଳ ଅଞ୍ଚଳର ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ସୁବର୍ଣ୍ଣପୁର, ବଲାଙ୍ଗୀର ଜିଲ୍ଲାରେ ପାଣି ଘେରରେ ଥିବା ଲୋକଙ୍କ ପାଇଁ ରିଲିଫ ନିର୍ଦେଶ ମଧ୍ୟ ଦିଆଯାଇଛି।

ପଶ୍ଚିମ ଓଡ଼ିଶାରେ ସ୍ଥିତି ସଙ୍ଗିନ୍: ୭ ଜିଲ୍ଲାକୁ ରେଡ୍ ଆଲର୍ଟ

ଭାରତୀୟ ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁଯାୟୀ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମଧ୍ୟ ପ୍ରବଳ ବର୍ଷା ହେବ। ସେ ଦୃଷ୍ଟିରୁ ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଗତ ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡିର କର୍ଲାମୁଣ୍ଡାରେ ସର୍ବାଧିକ ୬୦୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଭାରତୀୟ ପାଣିପାଗ କେନ୍ଦ୍ର ଜାରି କରିଥିବା ସ୍ବତନ୍ତ୍ର ବୁଲେଟିନ୍ ଅନୁଯାୟୀ, ଲଘୁଚାପର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ସୁବର୍ଣ୍ଣପୁର ଓ ନୂଆପଡ଼ା ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ଏସବୁ ଜିଲ୍ଲାରେ ପୂର୍ବରୁ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଲାଗି ରହିଛି। ଆହୁରି ବର୍ଷା ହେଲେ ସ୍ଥିତି ଆହୁରି ସଙ୍ଗିନ ହେବା ଆଶଙ୍କା ରହିଛି।

ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ୭ଟି ଜିଲ୍ଲା ପାଇଁ ସତର୍କତାମୂଳକ ରେଡ଼୍ ଆଲର୍ଟ ଜାରି କରିଛି। ଦକ୍ଷିଣ ଓଡ଼ିଶାର କୋରାପୁଟ, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର ସମେତ ଅନୁଗୁଳ, ଦେବଗଡ଼, ସମ୍ବଲପୁର, କେନ୍ଦୁଝର, ମୟୁରଭଞ୍ଜ ଓ ବରଗଡ଼ ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷିବ। ଏହି ୧୦ଟି ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିବାକୁ ଥିବାରୁ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି। ସେହିପରି ମାଲକାନଗିରି, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଜପତି ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ବର୍ଷା ସହିତ ଏସବୁ ଜିଲ୍ଲାରେ ଘଣ୍ଟାପ୍ରତି ୪୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ଲଘୁଚାପ ଯୋଗୁଁ ବଙ୍ଗୋପସାଗର ଅଶାନ୍ତ ରହିଥିବାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଛ ଧରିବାକୁ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପାଣିପାଗ ବିଭାଗ ସତର୍କ କରାଇଛି।



from Kanak News https://ift.tt/2KLWsie https://ift.tt/2H3y9LE
ଆସୁଛି ବଡ଼ ବନ୍ୟା! ଆଉ ୨୪ ଘଣ୍ଟା ପ୍ରବଳ ବର୍ଷିବ; ୭ ଜିଲ୍ଲାକୁ ରେଡ୍ ଆଲର୍ଟ Kanak News ଆସୁଛି ବଡ଼ ବନ୍ୟା! ଆଉ ୨୪ ଘଣ୍ଟା ପ୍ରବଳ ବର୍ଷିବ; ୭ ଜିଲ୍ଲାକୁ ରେଡ୍ ଆଲର୍ଟ Kanak News Reviewed by SUBHENDU BARAL on August 13, 2019 Rating: 5

No comments:

Powered by Blogger.