ର‌୍ୟାଗିଂ ଜଗିବ ଆଣ୍ଟି-ର‌୍ୟାଗିଂ ସ୍କ୍ବାଡ୍: ଜାରି ହେଲା ହେଲ୍ପ ଲାଇନ୍ ନମ୍ବର,ପଦକ୍ଷେପ ନେବାକୁ ବିଶ୍ବବିଦ୍ୟାଳୟଗୁଡ଼ିକୁ ଚିଠି ଲେଖିଲା ୟୁଜିସି Kanak News

କନକ ବ୍ୟୁରୋ: ଶିକ୍ଷାନୁଷ୍ଠାନରେ ବଢ଼ିଚାଲିଛି ର‌୍ୟାଗିଂ। ସିନିୟର ଛାତ୍ରଛାତ୍ରୀଙ୍କ ଦ୍ବାରା ର‌୍ୟାଗିଂର ଶିକାର ହେଉଛନ୍ତି ଜୁନିଅର। ୨୦୧୩ରୁ ୨୦୧୭ ମଧ୍ୟରେ ଦେଶରେ ୩୦୨୨ଟି ର‌୍ୟାଗିଂ ହୋଇଥିବା ନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିକଟରେ ଅଭିଯୋଗ ହୋଇଥିଲା। ୨୦୧୮ରେ ୫୦୦ରୁ ଅଧିକ ର‌୍ୟାଗିଂ ହୋଇଥିବା ଜଣାପଡ଼ିଛି। ଯାହାକୁ ନେଇ ଚିନ୍ତାପ୍ରକଟ କରିଛି ୟୁଜିସି। ତେଣୁ ଶିକ୍ଷାବର୍ଷ ଆରମ୍ଭ ହେବା କ୍ଷଣି ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ର‌୍ୟାଗିଂ ମୁକ୍ତ କରିବା ଲାଗି ବିଜ୍ଞପ୍ତି ପ୍ରକାଶ କରିଛି। ବିଶ୍ବବିଦ୍ୟାଳୟଗୁଡ଼ିକ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହ କ୍ୟାମ୍ପସରେ ବ୍ୟାପକ ସଚେତନତା କରିବା, ହଷ୍ଟେଲ ଉପରେ ଚଢ଼ଉ, ଆଣ୍ଟି-ର‌୍ୟାଗିଂ ସ୍କ୍ବାଡ୍ ଗଠନ ଆଦି ଉପରେ ଗୁରୁତ୍ବ ଦିଆଯାଇଛି। କ୍ୟାମ୍ପସର ସମ୍ବେଦନଶୀଳ ଅଞ୍ଚଳରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରତିବର୍ଷ ଅଭିଯୋଗ ବଢ଼ୁଥିବାରୁ ୟୁଜିସି ପକ୍ଷରୁ ଏଥର ଶିକ୍ଷାବର୍ଷ ଆରମ୍ଭରୁ ଆଣ୍ଟି-ର‌୍ୟାଗିଂ ସ୍କ୍ବାଡ୍ ଗଠନ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ସମସ୍ତ ବିଶ୍ବବିଦ୍ୟାଳୟରେ ଆଣ୍ଟି-ର‌୍ୟାଗିଂ କମିଟି ଓ ସ୍କ୍ବାଡ୍ ଗଠନ, ଆଣ୍ଟି-ର‌୍ୟାଗିଂ ସେଲ୍ ପ୍ରତିଷ୍ଠା, ବିଶ୍ବବିଦ୍ୟାଳୟ ବ୍ରୋଚରରେ ଆଣ୍ଟି-ର‌୍ୟାଗିଂ ସମ୍ପର୍କରେ ଉଲ୍ଲେଖ କରିବା, ୱେବସାଇଟରେ ଆଣ୍ଟି-ର‌୍ୟାଗିଂ କମିଟିର ନୋଡାଲ୍ ଅଫିସରଙ୍କ ସମ୍ପୂର୍ଣ୍ଣ ଠିକଣା ଓ ଫୋନ୍ ନମ୍ବର, ନାମଲେଖା ସମୟରେ ସମସ୍ତ ଛାତ୍ରଛାତ୍ରୀ ଅଣ୍ଟରଟେକିଂ ଦେବା ବାଧ୍ୟତାମୂଳକ କରାଯାଇଛି। ଆଣ୍ଟି-ର‌୍ୟାଗିଂ ସ୍କ୍ବାଡର ସଦସ୍ୟମାନେ ହଷ୍ଟେଲ, କ୍ୟାଣ୍ଟିନ୍, ରେଷ୍ଟ ରୁମ୍, ଶୌଚାଳୟ, ବସ୍ଷ୍ଟାଣ୍ଡ ଆଦି ଉପରେ ଅଚାନକ ଚଢ଼ଉ କରିବାକୁ କୁହାଯାଇଛି। ଆଣ୍ଟି-ର‌୍ୟାଗିଂ ନେଇ ନିୟମିତ ଭାବେ ଛାତ୍ରଛାତ୍ରୀଙ୍କ କର୍ମଶାଳା, ଆଲୋଚନାଚକ୍ର କରିବାକୁ ନିର୍ଦେଶ ଦିଆଯାଇଛି। ଏଥିସହ ୟୁଜିସି ପକ୍ଷରୁ ଆଣ୍ଟି-ର‌୍ୟାଗିଂ ହେଲ୍ପ ଲାଇନ୍ ନମ୍ବର(୧୮୦୦-୧୮୦-୫୫୨୨) ଜାରି କରାଯାଇଛି। ଇ-ମେଲ୍ ‘helpline@antiragging.in’ରେ ମଧ୍ୟ ଛାତ୍ରଛାତ୍ରୀ ଅଭିଯୋଗ କରିପାରିବେ। କ୍ୟାମ୍ପସକୁ ର‌୍ୟାଗିଂ ମୁକ୍ତ କରିବା ଦିଗରେ ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ୟୁଜିସିର ସଚିବ କହିଛନ୍ତି।

ୟୁଜିସିର ତଥ୍ୟ ଅନୁଯାୟୀ ୨୦୧୩ରେ ସାରା ଦେଶରୁ ୬୪୦ଟି ଅଭିଯୋଗ ଆସିଥିଲା। ୨୦୧୭ରେ ଅଭିଯୋଗ ସଂଖ୍ୟା ୯୦୧ରେ ପହଞ୍ଚିଥିଲା। ୨୦୧୫ରେ ଅଭିଯୋଗ ସ˚ଖ୍ୟା ୪୨୩ ଥିବା ବେଳେ ୨୦୧୬ରେ ୫୧୫ଟି ଅଭିଯୋଗ ହୋଇଥିଲା। ୨୦୧୭ ତୁଳନାରେ ୨୦୧୮ରେ ର‌୍ୟାଗିଂ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ହେଲେ ଆଶାନୁରୂପକ ସଫଳତା ମିଳିପାରିନି। ର‌୍ୟାଗିଂରେ ଉତ୍ତର ପ୍ରଦେଶ ସବୁଠାରୁ ଆଗରେ ରହିଛି। ଏହା ତଳକୁ ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, ବିହାର, ତାମିଲନାଡ଼ୁ, ମହାରାଷ୍ଟ୍ର, କେରଳ, ରାଜସ୍ଥାନ, କର୍ଣ୍ଣାଟକରେ ଗତ ୬ ବର୍ଷ ମଧ୍ୟରେ ଶତାଧିକ ର‌୍ୟାଗିଂ ଅଭିଯୋଗ ଆସିଛି। ୨୦୧୭ ସୁଦ୍ଧା ନାଗାଲାଣ୍ତ ସମେତ ଡାମନ୍ ଡିଉ, ଦାଦ୍ରା ନଗର ହାବେଳି, ଲାକ୍ଷାଦୀପ, ଆଣ୍ତାମାନ ନିକୋବରରୁ କୌଣସି ର‌୍ୟାଗିଂ ଅଭିଯୋଗ ଆସି ନାହିଁ। ମେଡିକାଲ, ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ଅଧିକ ସଂଖ୍ୟାରେ ର‌୍ୟାଗିଂର ଶିକାର ହେଉଛନ୍ତି।



from Kanak News https://ift.tt/2YlWCXn https://ift.tt/2MC7KYY
ର‌୍ୟାଗିଂ ଜଗିବ ଆଣ୍ଟି-ର‌୍ୟାଗିଂ ସ୍କ୍ବାଡ୍: ଜାରି ହେଲା ହେଲ୍ପ ଲାଇନ୍ ନମ୍ବର,ପଦକ୍ଷେପ ନେବାକୁ ବିଶ୍ବବିଦ୍ୟାଳୟଗୁଡ଼ିକୁ ଚିଠି ଲେଖିଲା ୟୁଜିସି Kanak News ର‌୍ୟାଗିଂ ଜଗିବ ଆଣ୍ଟି-ର‌୍ୟାଗିଂ ସ୍କ୍ବାଡ୍: ଜାରି ହେଲା ହେଲ୍ପ ଲାଇନ୍ ନମ୍ବର,ପଦକ୍ଷେପ ନେବାକୁ ବିଶ୍ବବିଦ୍ୟାଳୟଗୁଡ଼ିକୁ ଚିଠି ଲେଖିଲା ୟୁଜିସି Kanak News Reviewed by SUBHENDU BARAL on August 04, 2019 Rating: 5

No comments:

Powered by Blogger.