ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ନବୀନ ସରକାରଙ୍କ କଡା ଆଭିମୁଖ୍ୟ : ୧୫ ଅଧିକାରୀ ବରଖାସ୍ତ, ୨ ପୂର୍ବତନ ଅଧିକାରୀଙ୍କ ପେନସନ୍ ବନ୍ଦ Kanak News

କନକ ବ୍ୟୁରୋ : ତ୍ରାହି ପାଇବେନି ଦୁର୍ନୀତିଗ୍ରସ୍ତ ଅଧିକାରୀ । ଅଭିଯୋଗ ପ୍ରମାଣିତ ହେଲେ ଚାକିରିରୁ ବିଦା ହେବା ଥୟ। ଦୁର୍ନୀତି ବିରୋଧରେ କଡା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲରାନ୍ସ ନୀତି ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ପ୍ରଶାସନରେ ସ୍ବଚ୍ଛତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫‘ଟି’ ପ୍ରଣୟନ କରିଛନ୍ତି । ମନ୍ତ୍ରୀଙ୍କ ଦପ୍ତରଠୁ ଆରମ୍ଭ କରି ବ୍ଲକ ସ୍ତର ପର‌୍ୟ୍ୟନ୍ତ ସବୁଠି ସ୍ବଚ୍ଛତା ଆଣିବାକୁ ବାରମ୍ବାର ତାଗିଦ କରିଆସୁଛନ୍ତି । ପିସି କାରବାର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ବି ବ୍ଲକ୍ ସ୍ତରରେ ଏବେ ବି ପିସି କାରବାର ଚାଲୁଥିବା ନେଇ ବିରୋଧୀ ବିଧାନସଭା ଭିତରେ ଓ ବାହାରେ ଅଭିଯୋଗ କରିଆସୁଛନ୍ତି । ତେବେ ଗତକାଲି ଏକାଥରକେ ୧୫ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବରଖାସ୍ତ କରି ସରକାରଙ୍କ ଦୁର୍ନୀତିମୁକ୍ତ ଆଭିମୁଖ୍ୟର ପ୍ରମାଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ କଡ଼ା ଚେତାବନୀ ଦେବାକୁ ଉଦ୍ୟମ କରିଛନ୍ତି।

ଏହି ନୀତି ଆଧାରରେ ରାଜ୍ୟ ସରକାର ୧୫ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିଛନ୍ତି । ଏହା ସହ ୨ ଜଣ ପୂର୍ବତନ ଅଧିକାରୀଙ୍କ ପେନ୍ସନ୍କୁ ସଂପୂର୍ଣ୍ଣ ବନ୍ଦ କରିଛନ୍ତି ରାଜ୍ୟ ସରକାର । ଏହିସବୁ ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି କଠୋର ପଦକ୍ଷେପ ସରକାରୀ କର୍ମଚାରୀ ମହଲରେ ଏକପ୍ରକାର କୋକୁଆଭୟ ସୃଷ୍ଟି କରିଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଏହି ଦୁର୍ନୀତି ବିରୋଧୀ ବାର୍ତାକୁ ବିରୋଧୀ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି । ଏହା କେବଳ ସିଏମଙ୍କର ପ୍ରଚାର ସର୍ବସ୍ବ ବା ପବ୍ଲିସିଟି ଷ୍ଟଣ୍ଟ ବୋଲି କହିଛନ୍ତି ବିରୋଧୀ ।

ଏହି ତାଲିକାରେ ବିଭିନ୍ନ ଜିଲ୍ଲାର ଅଧିକାରୀ ମାନେ ରହିଛନ୍ତି । ଜଳସମ୍ପଦ ବିଭାଗର ସର୍ବାଧିକ ୬ ଜଣ ଓ ପଂଚାୟତିରାଜ ବିଭାଗର ୫ ଜଣ ଅଧିକାରୀଙ୍କୁ ବରଖାସ୍ତ କରିଛନ୍ତି ରାଜ୍ୟ ସରକାର । ଏହା ସହ ବାଣିଜ୍ୟ ଓ ପରିବହନ ବିଭାଗର ଜଣେ, ସମବାୟ ବିଭାଗର ଜଣେ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଜଣେ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜଣେ ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି ।

ବୌଦ୍ଧ ଜିଲ୍ଲାର ପୂର୍ବତନ ଏମ୍‌ଭିଆଇ ଦେବୀ ପ୍ରସାଦ ପାଢ଼ୀ, ସମବାୟ ବିଭାଗରେ କାର୍ଯ୍ୟରତ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସମବାୟ ସମିତିର ପୂର୍ବତନ ସମ୍ପାଦକ ଦେବଦତ୍ତ ଦାଶ, ଉମରକୋଟ ମ୍ୟୁନିସିପାଲଟି ଅକ୍ଟ୍ରାଇ ଟାକ୍ସ ସରକାର କାଳୀପ୍ରସାଦ ସିଂହ, ଭଦ୍ରକ ଧାମନଗର ତହସିଲର ପୂର୍ବତନ କନିଷ୍ଠ କିରାଣି ବଟକୃଷ୍ଣ ବାରିକ, କଳାହାଣ୍ଡି ଏମ.ରାମପୁର ବ୍ଲକର ପୂର୍ବତନ ଗ୍ରାମସେବକ କୃଷ୍ଣମୋହନ ଦାସ, ପଞ୍ଚାୟତିରାଜ ବିଭାଗରେ କାର୍ଯ୍ୟରତ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ପୂର୍ବତନ ସମ୍ପାଦକ ଓ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଅଶୋକ କୁମାର ସାହା, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ପୂର୍ବତନ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପଦ୍ମମୁଖ ଶବର, ବୌଦ୍ଧ ଜିଲ୍ଲା ମୁର୍ଷୁଣ୍ଢି ଗ୍ରାମ ପଞ୍ଚାୟତର ପୂର୍ବତନ ସମ୍ପାଦକ କିଶୋର ଚନ୍ଦ୍ର ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ବାଣପୁର ସାଳିଆ ଜଳସେଚନ ପ୍ରକଳ୍ପର ପୂର୍ବତନ ସହାୟକ ଯନ୍ତ୍ରୀ ବିଜୟ କୁମାର ସାହୁ, ଭବାନୀପାଟଣା ଆଇଟିଡିଏର ପୂର୍ବତନ କନିଷ୍ଠ ଯନ୍ତ୍ରୀ କରୁଣାକର ପଣ୍ଡା, ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକର ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ମଙ୍ଗଳ ସିଂ ମୁଣ୍ଡା, ଜଳସମ୍ପଦ ବିଭାଗର କୁଳିଅଣା ବ୍ଲକର ପୂର୍ବତନ ସହାୟକ ଯନ୍ତ୍ରୀ ବୈଦ୍ୟନାଥ ମାଝି, ଜଳସମ୍ପଦ ବିଭାଗର ମୟୁରଭଞ୍ଜ ସରକଣା ବ୍ଲକର ପୂର୍ବତନ କନିଷ୍ଠ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ରାଉତ, ଜଳସମ୍ପଦ ବିଭାଗର କଳାହାଣ୍ଡି ଥୁଆମୂଳ-ରାମପୁର ଆଇଟିଡିଏର ପୂର୍ବତନ କନିଷ୍ଠ ଯନ୍ତ୍ରୀ ନିଗମାନନ୍ଦ ପଣ୍ଡା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଥିବା ବିଏମସି ନଗର ସ୍ବାସ୍ଥ୍ୟ କାର୍ଯ୍ୟାଳୟର ବରିଷ୍ଠ କିରାଣି ଚିତ୍ତରଞ୍ଜନ ଲାଲଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ପେନସନ୍ ସୁବିଧା ବନ୍ଦ ହୋଇଥିବା ଦୁଇ ଅଧିକାରୀ ହେଲେ ଜଳସମ୍ପଦ ବିଭାଗର କଳାହାଣ୍ଡି ଆଇଟିଡିଏର ଅବସରପ୍ରାପ୍ତ ସହାୟକ ଯନ୍ତ୍ରୀ ଅଶ୍ବିନୀ କୁମାର ଶର୍ମା ଓ ଜଳସମ୍ପଦ ବିଭାଗର କଳାହାଣ୍ଡି ଡିଆରଡିଏର ଅବସରପ୍ରାପ୍ତ ପୂର୍ବତନ ଏପିଡି ଶଶାଙ୍କ ଶେଖର ପଟ୍ଟନାୟକ ।



from Kanak News https://ift.tt/2TLJzc7 https://ift.tt/2Ne4qn8

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ନବୀନ ସରକାରଙ୍କ କଡା ଆଭିମୁଖ୍ୟ : ୧୫ ଅଧିକାରୀ ବରଖାସ୍ତ, ୨ ପୂର୍ବତନ ଅଧିକାରୀଙ୍କ ପେନସନ୍ ବନ୍ଦ Kanak News ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ନବୀନ ସରକାରଙ୍କ କଡା ଆଭିମୁଖ୍ୟ : ୧୫ ଅଧିକାରୀ ବରଖାସ୍ତ, ୨ ପୂର୍ବତନ ଅଧିକାରୀଙ୍କ ପେନସନ୍ ବନ୍ଦ Kanak News Reviewed by SUBHENDU BARAL on August 17, 2019 Rating: 5

No comments:

Powered by Blogger.