
କନକ ବ୍ୟୁରୋ : ରାଜସ୍ଥାନରୁ ଓଡ଼ିଶା ଦେଇ ମଣିପୁର ପର୍ଯ୍ୟନ୍ତ ଏକ ମୌସୁମୀ ଟ୍ରଫଲାଇନ ସୃଷ୍ଟି ହୋଇଛି। ଏଥିସହ ଆସନ୍ତା ୪ ତାରିଖ ବେଳକୁ ଉତ୍ତରପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବ। ଶୁକ୍ରବାରଠାରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ଆରମ୍ଭ ହେବ। ଏହାପରେ ଉପକୂଳ, ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
କୁହାଯାଇଛି ଯେ ଲଘୁଚାପ ପ୍ରଭାବରେ ୩ ତାରିଖଠାରୁ ରାଜ୍ୟରେ ବର୍ଷା ପରିମାଣ ବଢିବ। ମାଲକାନଗିରି, ନବରଙ୍ଗପୁର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, କୋରାପୁଟ, କଳାହାଣ୍ଡି, ସୁନ୍ଦରଗଡ଼ ଓ ସମ୍ବଲପୁର ଆଦି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ୪ ଓ ୫ ତାରିଖରେ ରାଜ୍ୟର ଅର୍ଧାଧିକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ଅତିପ୍ରବଳ ବର୍ଷା(୧୦୦ରୁ ୧୨୦ ମିମି) ହୋଇପାରେ। ଉତ୍ତର ଓଡ଼ିଶାରେ ବି ୭୦ରୁ ୮୦ ମିମି ବର୍ଷା ହେବ। ଲଘୁଚାପ ପ୍ରଭାବରେ ଉତ୍ତରପୂର୍ବ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ଯେଉଁ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ଯାଇଛନ୍ତି ସେମାନେ ୩ ତାରିଖ ରାତି ସୁଦ୍ଧା କୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି।୪ ତାରିଖଠାରୁ ସମୁଦ୍ର ଭିତରକୁ ନ ଯିବାକୁ ବି କୁହାଯାଇଛି। ଜୁନ ଓ ଜୁଲାଇ ମାସରେ ରାଜ୍ୟର ୧୮ଟି ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି। ତେବେ ଅଗଷ୍ଟ ପ୍ରଥମ ସପ୍ତାହରେ ସ୍ୱାଭାବିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୧ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି। ଗତ ୧୨ ଘଣ୍ଟା ମଧ୍ୟରେ ପାରାଦୀପରେ ସର୍ବାଧିକ ୧୦.୭ ମିମି ବର୍ଷା ହୋଇଛି। ଏହାବ୍ୟତୀତ ମାଲକାନଗିରିରେ ୬.୪, କୋରାପୁଟରେ ୩.୪, କେନ୍ଦୁଝରରେ ୨.୩, ଦାରିଙ୍ଗବାଡ଼ିରେ ୨ ମିମି ବର୍ଷା ହୋଇଛି।
from Kanak News https://ift.tt/2YCU9Tx https://ift.tt/2LHBDqb
ଅଗଷ୍ଟ ୮ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳ ବର୍ଷିବ ! ୪ ଓ ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା Kanak News
Reviewed by SUBHENDU BARAL
on
August 01, 2019
Rating:
No comments: