ସପ୍ତାହେ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ ! ୫ ଜିଲ୍ଲାରେ ସ୍ଥିତି ହୋଇପାରେ ସାଙ୍ଘାତିକ Kanak News

କନକ ବ୍ୟୁରୋ : ଆସନ୍ତା ୮ ତାରିଖ ଯାଏ ଜାରି ରହିବ ବର୍ଷା। ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକ ତୁଳନାରେ ଦକ୍ଷିଣ ଓଡ଼ିଶାରେ ସ୍ଥିତି ଖରାପ ହେବ। କିଛି ସ୍ଥାନରେ ଏହି ୬ ଦିନ ମଧ୍ୟରେ ୨୦୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏଭଳି ସୂଚନା ମିଳିବା ପରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ(ବିପର୍ଯ୍ୟୟ ପରିଚାଳନା) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ବତନ୍ତ୍ର ରିଲିଫ୍ କମିସନର ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି।

ଚିଠି ଲେଖି ଶ୍ରୀ ସେଠୀ କହିଛନ୍ତି ଯେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଅଗଷ୍ଟ ୨ରୁ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବିଶେଷକରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ଖରାପ ହେବ। ଏସବୁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ପ୍ରବଳ ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ପ୍ରଶାସନିକ ସ୍ତରରେ ପ୍ରସ୍ତୁତ ରହିବାକୁ କୁହାଯାଇଛି। ହଷ୍ଟେଲ ଓ ଆବାସିକ ସ୍କୁଲଗୁଡ଼ିକରେ ରହୁଥିବା ଅନ୍ତେବାସୀ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଗୁଆ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି।

ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଯଥେଷ୍ଟ ପରିମାଣର ଖାଦ୍ୟ ସାମଗ୍ରୀ, ପାନୀୟ ଜଳ, ମହମବତି ଓ ଆଲୋକ ବ୍ୟବସ୍ଥା କରିବାକୁ କୁହାଯାଇଛି। ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମକୁ ସଜାଗ ରଖାଯାଇଛି। ରିଲିଫ୍ କାର୍ଯ୍ୟ ପରିଚାଳନା ଲାଗି ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଅନ୍ୟ ଜିଲ୍ଲାର ଜିଲ୍ଲାପାଳମାମାନଙ୍କୁ ମଧ୍ୟ ସ୍ଥିତି ଉପରେ ଦୃଷ୍ଟି ରଖିବାକୁ କୁହାଯାଇଛି। ୬ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମାଛ ଧରିବା ପାଇଁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ଏଚ୍. ଆର ବିଶ୍ବାସ କହିଛନ୍ତି ଯେ ୪ ତାରିଖ ସକାଳ ପର୍ଯ୍ୟନ୍ତ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବା ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ବରଗଡ଼, ଢେଙ୍କାନାଳ, ଅନୁଗୁଳ, ପୁରୀ, କେନ୍ଦୁଝର, ଗଞ୍ଜାମ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଓ ବୌଦ୍ଧରେ ପ୍ରବଳ ବର୍ଷା ହୋଇପାରେ। ଏହାପରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସାମାନ୍ୟ କମିବ। ତେବେ ୫ ତାରିଖରେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ୬ ତାରିଖରେ ଉପକୂଳ ଓଡ଼ିଶା ସମେତ କେରାପୁଟ, ନବରଙ୍ଗପୁର ଓ ଢେଙ୍କାନାଳ ଜିଲ୍ଲା ଓ ୭ ତାରିଖରେ ସମଗ୍ର ଓଡ଼ିଶାରେ ବର୍ଷା ହେବ।

ଅଗଷ୍ଟ ୪ ନୁହେଁ, ୬ରେ ହୋଇପାରେ ଲଘୁଚାପ

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ ୪ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ହେବ ନାହିଁ। ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବିସ୍ତୀର୍ଣ୍ଣ ଘୂର୍ଣ୍ଣିବଳୟ ପୂର୍ବପଶ୍ଚିମ ଦିଗରେ ରହିଛି। ୬ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶାରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ଏହା ଦକ୍ଷିଣକୁ ଢଳି ରହିବ। ଅନୁମାନ କରାଯାଉଛି ଯେ ୩ ତାରିଖ ଦିନ ଉତ୍ତର ଉପକୂଳରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଅନ୍ୟାନ୍ୟ ଅଞ୍ଚଳରେ ବିକ୍ଷିପ୍ତ ସ୍ପଳ୍ପ ବର୍ଷା ହୋଇପାରେ। ୪ରେ ସାରା ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ୫ରେ ମେଘୁଆ ପାଗ ସହ ଅଳ୍ପ ସ୍ଥାନରେ ସ୍ବଳ୍ପ ବର୍ଷା ହୋଇପାରେ। ୬ରୁ ୮ ତାରିଖ ମଧ୍ୟରେ ସାରା ରାଜ୍ୟରେ ମଧ୍ୟମ ଧରଣର ବର୍ଷା ଓ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। ୯ ତାରିଖରେ ଭୁବନେଶ୍ବର ସମେତ ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ସପ୍ତାହକ ମଧ୍ୟରେ ରାଜ୍ୟରେ ସମୁଦାୟ ବର୍ଷା ପରିମାଣ ୭୦ ମିମିରୁ ଅଧିକ ହୋଇପାରେ। ଏହା ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ୭୦ରୁ ୮୦ ମିମି ହେବ, ଯାହାକି ପ୍ରାୟତଃ ସ୍ବାଭାବିକ। ତେବେ ପଶ୍ଚିମ ଓଡ଼ିଶାରେ ଏହି ସପ୍ତାହରେ ବର୍ଷା ପରିମାଣ ୬୦ରୁ ୭୫ ମିମି ରହିବ, ଯାହାକି ସ୍ବାଭାବିକଠାରୁ ସାମାନ୍ୟ କମିପାରେ।



from Kanak News https://ift.tt/2KkhzIm https://ift.tt/2YcxZv9
ସପ୍ତାହେ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ ! ୫ ଜିଲ୍ଲାରେ ସ୍ଥିତି ହୋଇପାରେ ସାଙ୍ଘାତିକ Kanak News ସପ୍ତାହେ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ ! ୫ ଜିଲ୍ଲାରେ ସ୍ଥିତି ହୋଇପାରେ ସାଙ୍ଘାତିକ Kanak News Reviewed by SUBHENDU BARAL on August 02, 2019 Rating: 5

No comments:

Powered by Blogger.