ମହଙ୍ଗା ପଡ଼ିବ ଫେସଆପ୍ ମୋହ! ଚୋରି ହେଇଯିବ ଚେହେରା, ବାରଣ କଲା ଆମେରିକା Kanak News

କନକ ବ୍ୟୁରୋ: ଟଙ୍କା ଓ ସୁନା ଚୋରି କଥା ତ ଆପଣ ଜାଣନ୍ତି। କିନ୍ତୁ କେବେ ଚେହେରା ଚୋରି କଥା ଶୁଣିଛନ୍ତି କି? ଥରେ ଭାବନ୍ତୁ ତ, ଯଦି ଆପଣଙ୍କ ଚେହେରା ଚୋରି ହୁଏ ତେବେ କାହା ବିରୋଧରେ ଅଭିଯୋଗ ଆଣିବେ? କେଉଁ ନ୍ୟାୟାଳୟରେ ମକଦ୍ଦମା କରିବେ? ମାତ୍ର ଏବେ ‘ଫେସଆପ୍’ ନାମକ ଏକ ଆପ୍ ତା’ର ମୋହିନୀ ମନ୍ତ୍ରରେ ଆପଣଙ୍କ ଚେହେରାକୁ ଚୋରି କରିବାର ଜାଲ ବିଛାଇଛି। ଯଦି ଆପଣଙ୍କ ପାଖରେ ସ୍ମାର୍ଟଫୋନ୍ ଅଛି, କେଉଁ ମୁହୂର୍ତ୍ତରେ ବି ଆପଣ ଏହି ଜାଲରେ ପଡ଼ିପାରନ୍ତି। ଏସବୁ ଅବତାରଣା କରିବାର ଉଦ୍ଦେଶ୍ୟ ଏହି ଯେ, ସେଲେବ୍ରିଟିଙ୍କଠୁ ନେଇ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ଫେସଆପ୍ ମୋହରେ ଏତେ ଉବୁଟୁବୁ ଯେ, କୌଣସି ମୁହୂର୍ତରେ ଏହା ଆପଣଙ୍କର ସମସ୍ତଙ୍କ ତଥ୍ୟ ଚୋରି କରି ଅସୁବିଧାରେ ପକାଇପାରେ। ଆମେ ନୁହେଁ, ସାଇବର ଏକ୍ସପର୍ଟମାନେ ଏହା କହୁଛନ୍ତି। ରାଜଧାନୀରେ ବି ଏହି ଆପ୍ ଏବେ ବହୁ ଛାତ୍ରଛାତ୍ରୀଙ୍କୁ କବଳିତ କଲାଣି। ତେବେ ସ୍ମାର୍ଟଫୋନର ଏହି ଖେଳ ଯେ ଆପଣଙ୍କ ପାଇଁ କାଳ ସାଜିପାରେ ତାହା ଭୁଲିଯିବା ଉଚିତ୍ ନୁହେଁ।

କ’ଣ ଏଇ ଫେସ୍ଆପ୍?

ଫେସଆପ୍ ହେଉଛି ଏକ ଋଷିଆନ୍ ଆପ୍। ଯାହା ଟୋକାଙ୍କୁ ବୁଢ଼ା ଓ ବୁଢ଼ାଙ୍କୁ ଟୋକା ଚେହେରାରେ ରୂପାନ୍ତର କରେ। ଏମିତିକି ପୁଅଙ୍କୁ ଝିଅ ଓ ଝିଅଙ୍କୁ ପୁଅ ଚେହେରାରେ ରୂପାନ୍ତର କରିପାରୁଛି। ଅନେକ ନିଜର ବୃଦ୍ଧକାଳର ଚେହେରାକୁ ଦେଖିବା ପାଇଁ ଉତ୍ସୁକତା ପ୍ରକାଶ କରୁଥିବା ବେଳେ ଏହି ସ୍ବତନ୍ତ୍ର ଆପ୍ ସେଇ ଆକାଂକ୍ଷାକୁ ପୂରଣ କରୁଛି। ଆପଣଙ୍କ ଚେହେରାକୁ ଲୋଚାକୋଚା କରି ବୁଢ଼ାପଣ ଭରିଦେବା ସହ ଚୁଟିକୁ ଧଳା କରିଦେଉଥିବାରୁ ଜଣେ ୩୦ ବର୍ଷର ଯୁବକ/ଯୁବତୀ ନିଜର ୭୦ ବର୍ଷୀୟ ଚେହେରାକୁ ଦେଖିପାରୁଛି। ବାସ୍ତବରେ ଯେ ଆପଣଙ୍କ ଚେହେରା ଏମିତି ହୋଇଯିବ ଅବଶ୍ୟ ତା’ର କୌଣସି ଗ୍ୟାରେଣ୍ଟି ଦେଉନାହିଁ ଏହି ଆପ୍। ମାତ୍ର ନିଜକୁ ନୂଆ ରୂପରେ ଦେଖିବାକୁ ଏବେ ପ୍ରତିଯୋଗିତା ଚାଲିଛି।

୧୨୧ଟି ଦେଶରେ ଏହି ଆପ୍ ୧ ନମ୍ବର

ଡିଜିଟାଲର ଯୁଗ ଚାଲିଥିବାରୁ ଅଧିକାଂଶ ସ୍ମାର୍ଟଫୋନ୍ରେ ଅଭ୍ୟସ୍ତ। ସ୍ମାର୍ଟଫୋନ୍ରେ ବି ନୂଆନୂଆ ଆପ୍ ଡାଉନ୍ଲୋଡ୍ କରିବାର ଉତ୍ସୁକତା ବଢ଼ି ଚାଲିଛି। ସଂପ୍ରତି ୧୨୧ଟି ଦେଶରେ ଏହି ଆପ୍ ଏବେ ୧ ନମ୍ବର ସ୍ଥାନରେ ରହିଛି। ଜାଣି ଆଶ୍ଚର‌୍ୟ୍ୟ ହେବେ ଏପର୍ଯ୍ୟନ୍ତ ୧୨ କୋଟି ଲୋକ ଏହି ଆପ୍କୁ ଡାଉନ୍ ଲୋଡ୍ କରିସାରିଲେଣି। ଏହି ଆପ୍ ଲୋକପ୍ରିୟ ହେବାର ବଡ଼ କାରଣ ହେଉଛି, ବହୁ ସେଲେବ୍ରିଟି, କ୍ରୀଡ଼ାବିତ୍ ଏହି ଆପ୍କୁ ବ୍ୟବହାର କରି ନିଜ ବର୍ତମାନର ଚେହେରା ଓ ବୁଢ଼ା ବୟସର ଚେହେରାକୁ ବିଭିନ୍ନ ସୋସିଆଲ୍ ମିଡିଆରେ ସେୟାର କରୁଛନ୍ତି। ଫଳରେ ସାଧାରଣ ଲୋକେ ବି ଏହାକୁ ନିର୍ଦ୍ବନ୍ଦ୍ବରେ ଆପଣାଇ ନେଉଛନ୍ତି। ଓଡ଼ିଶାରେ ମଧ୍ୟ କିଛି ଅଭିନେତା ଅଭିନେତ୍ରୀ ନିଜର ଚେହେରାକୁ ଫେସ୍ଆପ୍ରେ ପରିବର୍ତନ କରି ସୋସିଆଲ୍ ମିଡିଆରେ ଛାଡ଼ିଛନ୍ତି।

ସର୍ତ ହିଁ ସାଂଘାତିକ

ଆପଣଙ୍କୁ ଗୋଟେ କଥା ମନେ ରଖିବାକୁ ହେବ ଯେ ଆପଣ ନିର୍ଦ୍ବନ୍ଦ୍ବରେ ନିଜର ଯେଉଁ ଫଟୋ ଏହି ଆପରେ ଦେଉଛନ୍ତି ତାହା ସିଧା ସେମାନଙ୍କର ସର୍ଭରକୁ ଚାଲିଯାଏ। ଯଦିଓ ସେଗୁଡ଼ିକୁ ୪୮ ଘଣ୍ଟା ମଧ୍ୟରେ କାଟି ଦିଆଯାଏ ବୋଲି ଫେସଆପ୍ ପକ୍ଷରୁ ସଫେଇ ଦିଆଯାଇଛି ମାତ୍ର ଟର୍ମ ଆଣ୍ଡ୍ କଣ୍ଡିସନରେ ସେପରି କୌଣସି ଉଲ୍ଲେଖ ନାହିଁ। ଏନେଇ ସାଇବର ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଅଧିକାଂଶ ସମୟରେ କିଛି ନୂଆ ଆପ୍ର ମୋହରେ ପଡ଼ି ଆମେ ତାକୁ ନିର୍ଦ୍ବନ୍ଦ୍ବରେ ଡାଉନ୍‌‌ଲୋଡ୍‌ କରିଦେଉ। ତା’ର ସର୍ତ ତଥା ଟର୍ମ ଆଣ୍ଡ୍ କଣ୍ଡିସନ୍କୁ ନପଢ଼ି ସେ ସବୁକୁ ଗ୍ରହଣ କରିନେଉ, ସେତେବେଳେ ହିଁ ମସ୍ତବଡ଼ ଭୁଲ କରୁ। ଏଇ ଆପରେ ମଧ୍ୟ ସେଇ ସମସ୍ୟାଟି ରହିଛି।

ଏଥିରେ ସର୍ତ ରଖାଯାଇଛି ଯେ, ଆମେ ଆପଣଙ୍କ ଫଟୋକୁ ଯେକୌଣସି ସ୍ଥାନରେ, ସମୟରେ ଆପଣଙ୍କ ବିନା ଅନୁମତିରେ ବ୍ୟବହାର କରିପାରିବୁ। ଆମେମାନେ ଏକଥା ବି ଜାଣିରଖିବା ଉଚିତ୍ ଯେ ଆମ ଚେହେରା ସମସ୍ତ ପରିଚୟ ପତ୍ରରେ ରହିଛି। ଏମିତି କି ଆଧାରକାର୍ଡ ବ୍ୟାଙ୍କ୍ ଆକାଉଣ୍ଟ୍ ସହ ଲିଙ୍କ୍ ରହିଛି। ଯଦି ଫଟୋକୁ କୌଣସି ସଫ୍ଟୱେର୍ର ସହାୟତା ନେଇ ଅପବ୍ୟବହାର କରାଯାଏ ଏବଂ ପରବର୍ତୀ ସମୟରେ ନିଜର ଚେହେରା ଛାଡ଼ିଥିବା ସମ୍ପୃକ୍ତ ବ୍ୟକ୍ତିଟି ହଇରାଣ ହୁଏ ତେବେ କୋଉ ଥାନା କି ନ୍ୟାୟାଳୟ ତାଙ୍କ ପକ୍ଷ ନେଇପାରିବ ନାହିଁ। କାରଣ ସେମାନେ ଆପଣଙ୍କ ଚେହେରାକୁ କୌଣସିଠାରେ ବ୍ୟବହାର କରିପାରିବେ ବୋଲି ଆଗରୁ ସର୍ତ ରଖିଛନ୍ତି ଏବଂ ତାକୁ ସମ୍ପୃକ୍ତ ବ୍ୟକ୍ତିଟି ଗ୍ରହଣ କରିସାରିଛି। ତେଣୁ ସତର୍କ ନରହିଲେ ଯେକୌଣସି ବ୍ୟକ୍ତି କୌଣସି ମୁହୂର୍ତ୍ତରେ ଫସିପାରନ୍ତି ବୋଲି ସାଇବର ଏକ୍ସପର୍ଟ କହିଛନ୍ତି।



from Kanak News https://ift.tt/2StpLtm https://ift.tt/2JDjSqQ
ମହଙ୍ଗା ପଡ଼ିବ ଫେସଆପ୍ ମୋହ! ଚୋରି ହେଇଯିବ ଚେହେରା, ବାରଣ କଲା ଆମେରିକା Kanak News ମହଙ୍ଗା ପଡ଼ିବ ଫେସଆପ୍ ମୋହ! ଚୋରି ହେଇଯିବ ଚେହେରା, ବାରଣ କଲା ଆମେରିକା Kanak News Reviewed by SUBHENDU BARAL on July 21, 2019 Rating: 5

No comments:

Powered by Blogger.