କଟକ ପରେ ରାଜଧାନୀରେ ଷ୍ଟୋନମ୍ୟାନ ଆତଙ୍କ ! ସୋଶିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଜୋରଧରିଲା ଚର୍ଚ୍ଚା Kanak News

କନକ ବ୍ୟୁରୋ : କଟକରେ ତିନି ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ସାଇକୋ କିଲର୍ ‘ଷ୍ଟୋନମ୍ୟାନ’ ଏବେ ରାଜଧାନୀରେ। ଗତକାଲି ସନ୍ଧ୍ୟାରେ ଏଭଳି ଖବର ପ୍ରଚାରିତ ହେବା ପରେ ରାଜଧାନୀରେ ଖେଳି ଯାଇଛି ଆତଙ୍କ। କେହି ଜଣେ ସୋସିଆଲ ମିଡିଆରେ ଏକ ସିସିଟିଭି ଫୁଟେଜ୍ ପକାଇ ‘ଷ୍ଟୋନ୍ମ୍ୟାନ୍’ ବୋଲି ଦର୍ଶାଇବା ପରେ ଅଳ୍ପ ସମୟ ପେର ଭାଇରାଲ୍ ହୋଇଯାଇଛି। ଅନେକ ଲୋକ ଏହାକୁ ସତ ବୋଲି ଭାବି ଭୟଭୀତ ହୋଇ ପଡ଼ିଥିବାବେଳେ ପୁଲିସ ଏହାକୁ ଗୁଜବ ବୋଲି କହିଛି ଏବଂ ଏ ନେଇ ଭୟଭୀତ ନ ହେବାକୁ ଲୋକଙ୍କୁ ଅନୁରୋଧ କରିଛି।
କଟକରେ ଏହି ଷ୍ଟୋନମ୍ୟାନ୍କୁ ଧରିବା ପାଇଁ ପୁଲିସ ସହର ସାରା କଡ଼ା ପ୍ରହରା ବ୍ୟବସ୍ଥା କରିଛି। ପାଞ୍ଚ ପ୍ଲାଟୁନ୍ ପୁଲିସ ମୁତୟନ କରି ଜାଲ ବିଛାଇଛି। ତେଣୁ ସାଇକୋ କିଲର୍ ଭୁବନେଶ୍ବରକୁ ଚାଲି ଆସିଥିବା ଆଲୋଚନା ହେଉଛି। ସିସିଟିଭି ଫୁଟେଜରେ ଥିବା ଲୋକଟି ହାତରେ ଏକ ବ୍ୟାଗ୍ ରହିଛି ଓ ସେଥିରେ ସେ ମାରଣାସ୍ତ୍ର ରଖିଥିବା ସନ୍ଦେହ କରାଯାଉଛି। ବିଳମ୍ବିତ ରାତିରେ ଲୋକଟି ଏକୁଟିଆ ରାସ୍ତାରେ ବୁଲୁଥିବାରୁ ସେ ହିଁ ଷ୍ଟୋନମ୍ୟାନ ବୋଲି ଦର୍ଶାଯାଇଛି। ମାତ୍ର ଏହି ଆଶଙ୍କାକୁ ଡିସିପି ଅନୁପ ସାହୁ ଖଣ୍ଡନ କରିବା ସହ ଏହା ଏକ ଗୁଜବ ବୋଲି କହିଛନ୍ତି। ତେବେ ଭୁବନେଶ୍ବରେର ମଧ୍ୟ ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ପାଟ୍ରୋଲିଂ ତଦାରଖ ପାଇଁ ଅଚାନକ ପୁଲିସ କମିସନର (ସିପି) ସତ୍ୟଜିତ୍ ମହାନ୍ତି ରାତିରେ ସହର ବୁଲିଛନ୍ତି। ତେଣୁ ପୁଲିସର ଏଭଳି ତତ୍ପରତା ରାଜଧାନୀବାସୀଙ୍କ ଷ୍ଟୋନମ୍ୟାନ ଆଶଙ୍କାକୁ ବଢ଼ାଇ ଦେଇଛି।
ତେବେ ଏହା କମିସନରେଟ ପୁଲିସର ନିୟମିତ ଯାଞ୍ଚ। ଏହା ସହିତ ଷ୍ଟୋନମ୍ୟାନର କୌଣସି ସମ୍ପର୍କ ନାହିଁ ବୋଲି ଡିସିପି ଶ୍ରୀ ସାହୁ କହିଛନ୍ତି। ରାତିରେ ସିପି ଶ୍ରୀ ମହାନ୍ତି, ରାଜଧାନୀର ଖଣ୍ଡଗିରି ଥାନା ଅଞ୍ଚଳରୁ ଆରମ୍ଭ କରି ଏୟାର୍ ଫିଲ୍ଡ ଥାନା ଆଦି ଅଞ୍ଚଳରେ ପହଞ୍ଚି ପୁଲିସ ପାଟ୍ରୋଲିଂ ବୁଲି ଦେଖିଛନ୍ତି। ଏମିତିକି ଡିସିପି କାର‌୍ୟ୍ୟାଳୟସ୍ଥିତ ପୁଲିସ କଣ୍ଟ୍ରୋଲ ରୁମ୍ ମଧ୍ୟ ଏହି ପରିଦର୍ଶନରେ ଅନ୍ତର୍ଭୁକ୍ତ ହୋଇଛି। ସିପିଙ୍କର ଏଭଳି ଅଚାନକ ପାଟ୍ରୋଲିଂ ପରିଦର୍ଶନକୁ ନେଇ ନାନା ଆଲୋଚନା ହେଉଥିବା ବେଳେ କଟକ ଷ୍ଟୋନମ୍ୟାନ ଆତଙ୍କର ମୁକାବିଲା ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି। ଏହି ଖବର ପ୍ରଚାରିତ ହେବା ପରେ ସହର ସାରା ପିସିଆର୍ ଭ୍ୟାନ୍ ସଜାଗ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ରାତି ପ୍ରାୟ ସାଢ଼େ ୮ଟାବେଳେ ସିପି ଶ୍ରୀ ମହାନ୍ତି ପ୍ରଥମେ ଖଣ୍ଡଗିରି ଥାନା କଳିଙ୍ଗ ଷ୍ଟୁଡିଓ ଛକରେ ପହଞ୍ଚିଥିଲେ। ସେଠାରୁ ସେ ଏୟାରଫିଲ୍ଡ ଥାନା ପୋଖରୀପୁଟ ଅଞ୍ଚଳ ଯିବା ପରେ ଲିଙ୍ଗରାଜ ଥାନା ଅଞ୍ଚଳ ଦେଇ ଡିସିପିଙ୍କ କାର୍ଯ୍ୟାଳୟସ୍ଥିତ ପୁଲିସ କଣ୍ଟ୍ରୋଲ ରୁମରେ ପହଞ୍ଚିଥିଲେ।
କଣ୍ଟ୍ରୋଲ ରୁମରେ କର୍ମଚାରୀମାନେ କିଭଳି ସଜାଗ ରହୁଛନ୍ତି ଓ ଜନ ସାଧାରଣଙ୍କ କଲ୍ ଆଟେଣ୍ଡ କରୁଛନ୍ତି, ତାହା ତଦାରଖ କରିଥିଲେ। ଏହି ପରିଦର୍ଶନ ସମୟରେ ସେ ରାସ୍ତାକଡ଼ରେ ଶୋଉଥିବା ଲୋକଙ୍କ ପ୍ରତି ପୁଲିସର ଧ୍ୟାନ ବାବଦରେ ପଚାରି ବୁଝିଥିଲେ। ରାସ୍ତା କଡ଼ରେ ଶୋଉଥିବା ଲୋକଙ୍କୁ ବିଭିନ୍ନ ରାତ୍ରି ଆଶ୍ରୟସ୍ଥଳକୁ ପଠାଇବା ପାଇଁ ସେ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ। ପିସିଆର୍ କର୍ମଚାରୀମାନେ ରାସ୍ତା କଡ଼ରେ ଶୋଉଥିବା ଲୋକଙ୍କ ଉପରେ ନଜର ରଖିବାକୁ ସେ କଡ଼ା ତାଗିଦ୍ କରିଥିବା ଜଣାପଡ଼ିଛି।
ଏ ନେଇ ସିପି ଶ୍ରୀ ମହାନ୍ତିଙ୍କ କହିବା କଥା ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ଉଦ୍ଦେଶ୍ୟ ନେଇ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। କଟକରେ ଷ୍ଟୋନମ୍ୟାନ ଦ୍ବାରା ଘଟୁଥିବା ହତ୍ୟାକାଣ୍ଡ ରାଜଧାନୀରେ ଘଟିବା ଆଶଙ୍କା ଉପରେ ମତ ରଖି ସେ କହିଛନ୍ତି ଯେ, ରାତିରେ ଘଟୁଥିବା ସବୁ ପ୍ରକାର ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଅଧିକ ସତର୍କ ରହିବା ଜରୁରି ହୋଇ ପଡ଼ିଛି। ତେଣୁ କମିସନରେଟ୍ ଅଞ୍ଚଳରେ ଏଣିକି ନିୟମିତ ଏଭଳି କାର୍ଯ୍ୟକ୍ରମ ଜାରି ରହିବ।


from Kanak News https://ift.tt/2ZfmLnc https://ift.tt/2ZbP9Gz
କଟକ ପରେ ରାଜଧାନୀରେ ଷ୍ଟୋନମ୍ୟାନ ଆତଙ୍କ ! ସୋଶିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଜୋରଧରିଲା ଚର୍ଚ୍ଚା Kanak News କଟକ ପରେ ରାଜଧାନୀରେ ଷ୍ଟୋନମ୍ୟାନ ଆତଙ୍କ ! ସୋଶିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଜୋରଧରିଲା ଚର୍ଚ୍ଚା Kanak News Reviewed by SUBHENDU BARAL on July 25, 2019 Rating: 5

No comments:

Powered by Blogger.