କନକ ବ୍ୟୁରୋ : ସରକାରୀ ଶିକ୍ଷା ବ୍ୟବସ୍ଥାରେ ଏକ ବ୍ୟତିକ୍ରମ ନଜରକୁ ଆସିଛି । ହାଇସ୍କୁଲ୍, କଲେଜ, ବିଶ୍ବବିଦ୍ୟାଳୟରେ ହଜାର ହଜାର ଶିକ୍ଷକ/ଅଧ୍ୟାପକ ପଦବି ଖାଲି ପଡ଼ିଛି। ଉଭୟ ବିଭାଗର ମନ୍ତ୍ରୀ ବିଧାନସଭାରେ ଏହା ସ୍ବୀକାର କରିଛନ୍ତି । ପଦବି କେବେ ପୂରଣ ହେବ, ତାହାର ନିର୍ଦ୍ଦିଷ୍ଟ ଉତ୍ତର ବି ସରକାରଙ୍କ ପାଖରେ ନାହିଁ । ଏତେ ସଂଖ୍ୟାରେ ଶିକ୍ଷକ ଓ ଅଧ୍ୟାପକ ପଦବି ଖାଲି ପଡ଼ିଥିବା ବେଳେ ଶିକ୍ଷାଦାନ କିପରି ସ୍ବାଭାବିକ ହେବ ବୋଲି ପ୍ରଶ୍ନ ଉଠିଲାଣି ।ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପୃଥକ ପୃଥକ ଲିଖିତ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଜଣାଇଛନ୍ତି, ସରକାରୀ ହାଇସ୍କୁଲ୍ଗୁଡ଼ିକରେ ୨୪୧୭ ପ୍ରଧାନ ଶିକ୍ଷକ ଓ ୮୪୯୮ ଶିକ୍ଷକ ପଦବି ଖାଲି ଅଛି । ସେହିପରି ଅନୁଦାନପ୍ରାପ୍ତ ହାଇସ୍କୁଲ୍ଗୁଡ଼ିକରେ ୪୩୦ ପ୍ରଧାନ ଶିକ୍ଷକ ଓ ୨୫୪୩ ଶିକ୍ଷକ ପଦବି ଖାଲି ପଡ଼ିଛି । ଉଭୟ ବର୍ଗର ହାଇସ୍କୁଲ୍ରେ ପାଖାପାଖି ୨ ହଜାର କିରାଣୀ ପଦ ମଧ୍ୟ ଖାଲି ଅଛି ।
ଦାବି ପୂରଣ ସମ୍ପର୍କରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ପ୍ରଧାନ ଶିକ୍ଷକ ପଦବିଗୁଡ଼ିକ ପଦୋନ୍ନତି ମାଧ୍ୟମରେ ପୂରଣ ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ତତ୍ ସମ୍ବନ୍ଧୀୟ ମାମଲାରେ ଅଦାଲତଙ୍କ ଦ୍ବାରା ଜାରି ରହିତାଦେଶ ଯୋଗୁ ପୂରଣ କରାଯାଇ ପାରୁ ନାହିଁ । ସରକାରୀ ହାଇସ୍କୁଲ୍ରେ ଖାଲି ଥିବା ଟି ଜି ଶିକ୍ଷକ ପଦବି ପୂରଣ ପାଇଁ ଚୁକ୍ତି ଭିତ୍ତିକ ଶିକ୍ଷକ ନିୟୋଜନ ପ୍ରକ୍ରିୟା ଚାଲୁ ରହିଛି। ଅନ୍ୟାନ୍ୟ ଶିକ୍ଷକ ପଦବି ପୂରଣ ପାଇଁ ଆବଶ୍ୟକୀୟ ତଥ୍ୟ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ମଗାଯାଇଛି ।
ରିପୋର୍ଟ ପାଇବା ପରେ ଏହି ପଦବିଗୁଡ଼ିକ ପୂରଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯିବ । ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲ୍ର ଖାଲି ଥିବା ପଦବିଗୁଡ଼ିକ ପୂରଣ ନିମନ୍ତେ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ଅଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ/ଯୁକ୍ତ ଦୁଇ କଲେଜଗୁଡ଼ିକରେ ଅଧ୍ୟାପକ ପଦବି ପୂରଣ ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗର କର୍ତ୍ତୃତ୍ବାଧୀନ ଅଛି । ପରବର୍ତ୍ତୀ ସମୟରେ ଗଣଶିକ୍ଷା ବିଭାଗ ଦ୍ବାରା ସ୍ନାତକୋତ୍ତର ତାଲିମପ୍ରାପ୍ତ ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇ ଖାଲି ପଦବିଗୁଡ଼ିକ ପୂରଣ କରାଯିବାର ବ୍ୟବସ୍ଥା ରହିଛି ।
ସେହିପରି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଜଣାଇଛନ୍ତି, ରାଜ୍ୟର ବିଶ୍ବବିଦ୍ୟାଳୟରେ ୮୪୯, ସରକାରୀ ମହାବିଦ୍ୟାଳୟରେ ୧୨୬୭ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ୧୮୨୪ଟି ଅଧ୍ୟାପକ ପଦବି ଖାଲି ଅଛି । ବାରିପଦା ଏମ୍ପିସି ସ୍ବୟଂଶାସିତ କଲେଜରେ ସର୍ବାଧିକ ୬୧ ଅଧ୍ୟାପକ ପଦବି ଖାଲି ପଡ଼ିଥିଲା ବେଳେ ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ କଲେଜରେ ୬୦ଟି ଓ ପୁରୀର ଏସ୍ସିଏସ୍ ସ୍ବୟଂଶାସିତ କଲେଜରେ ୫୮ଟି ପଦବି ଖାଲି ପଡ଼ିଛି । ସେହିପରି କଟକ ଜିଲ୍ଲାରେ ୪୦ଟି ଅନୁଦାନପ୍ରାପ୍ତ କଲେଜରେ ମଞ୍ଜୁରୀପ୍ରାପ୍ତ ୬୯୫ ଅଧ୍ୟାପକ ପଦରୁ ୨୫୮ ପଦ ଖାଲି ପଡ଼ିଛି । ତାହା ତଳକୁ ରହିଛି କେନ୍ଦ୍ରାପଡ଼ା । ଏହି ଜିଲ୍ଲାରେ ୨୯ଟି ଅନୁଦାନପ୍ରାପ୍ତ କଲେଜରେ ମଞ୍ଜୁରୀପ୍ରାପ୍ତ ୪୭୭ ଅଧ୍ୟାପକ ପଦବିରୁ ୨୦୧ ଖାଲି ପଡ଼ିଛି ।
ତେବେ ଉଚ୍ଚଶିକ୍ଷା ମନ୍ତ୍ରୀ ତାଙ୍କ ଉତ୍ତରରେ ପ୍ରତିଶ୍ରୁତି ଦେଇଛନ୍ତି । , କାମଚଳା ପାଇଁ ଏବେ ୯୭୦ ଜଣ ଅତିଥି ଅଧ୍ୟାପକଙ୍କୁ ମୁତୟନ କରାଯାଇଛି । ଖାଲି ଥିବା ଅଧ୍ୟାପକ ପଦ ପୂରଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ପଦଗୁଡ଼ିକ ଚଳିତ ବର୍ଷ ଶେଷ ସୁଦ୍ଧା ପୂରଣ ହୋଇଯିବ ।
from Kanak News https://ift.tt/2y8BlRl https://ift.tt/2MdCqzw
No comments: