କୋଲକାତା: ଡାକ୍ତରଙ୍କ ସମସ୍ତ ଦାବି ମାନିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜି ହେବା ପରେ ମଧ୍ୟ ଡାକ୍ତରଙ୍କ ଆନ୍ଦୋଳନ ଥମିବାର ନାଁ ଧରୁନି।
ଡାକ୍ତରଙ୍କ ୬ଟି ଦାବିକୁ ପୂରଣ କରିବା ପାଇଁ ତାଙ୍କ ସରକାର ପ୍ରସ୍ତୁତ ରହିଛନ୍ତି। ତେଣୁ ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗ ଦେବାକୁ ମମତା ଅପିଲ୍ କରିଛନ୍ତି। ଏହା ପରେ ମଧ୍ୟ ନିଜ ଜିଦ୍ରେ ଆନ୍ଦୋଳନକାରୀ ଡାକ୍ତର ଅଟଳ ଅଛନ୍ତି।
ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ ତୀବ୍ର ରୂପ ନେଉଥିବା ବେଳେ ପୁଣି ମୁହଁ ଖୋଲି ଆନ୍ଦୋଳନ ପଛରେ ଷଡ଼ଯନ୍ତ୍ର ହୋଇଛି ବୋଲି ମମତା କହିଥିଲେ।
ଗତ ୧୦ ତାରିଖରେ ଘଟଣା ଘଟିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ଆଲୋଚନା ପାଇଁ ଡକାଯାଇଥିଲେ ବି କେହି ଆସିନାହାନ୍ତି। ଚିକିତ୍ସା ନ ପାଇ ଲୋକେ ମରୁଛନ୍ତି, ତଥାପି ଆନ୍ଦୋଳନରତ ଡାକ୍ତରଙ୍କୁ ଗିରଫ ନ କରିବାକୁ ପୁଲିସ୍କୁ କୁହାଯାଇଛି ବୋଲି ମମତା କହିଛନ୍ତି।
ଅନ୍ୟପକ୍ଷେ, ଡାକ୍ତରଙ୍କୁ ସୁରକ୍ଷା ଓ ଆକ୍ରମଣକାରୀଙ୍କୁ ଦଣ୍ଡ ସହ ୬ ଦଫା ଦାବିରେ ୫ ଦିନ ଧରି ଚାଲିଥିବା ଜୁନିଅର ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି। ଏମ୍ସ୍ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ ପକ୍ଷରୁ ପଶ୍ଚିମବଙ୍ଗ ସରକାରଙ୍କୁ ୪୮ ଘଣ୍ଟାର ଅଲଟିମେଟମ୍ ଦିଆଯାଇଛି।
ପଶ୍ଚିମବଙ୍ଗ ଡାକ୍ତରଙ୍କ ଆନ୍ଦୋଳନକୁ ବିଭିନ୍ନ ରାଜ୍ୟର ଡାକ୍ତରଙ୍କ ସମର୍ଥନ ମିଳୁଛି। ଓଡ଼ିଶାରେ କଟକ, ଖୋର୍ଦ୍ଧା, ରାଉରକେଲାରେ ଡାକ୍ତରମାନେ କଳାବ୍ୟାଜ୍ ପିନ୍ଧି ଆନ୍ଦୋଳନ ଜାରି ରଖିଛନ୍ତି। ସେପଟେ ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗ ସରକାରଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜବାବ ତଲବ କରିଛି। ଆାନ୍ଦୋଳନ ପ୍ରଶମିତ କରିବାକୁ କ’ଣ ପଦକ୍ଷେପ ନିଆଯାଇଛି ସେନେଇ ଉତ୍ତର ରଖିବାକୁ କୁହାଯାଇଛି।
from OTV Khabar. http://bit.ly/2IKnANz
No comments: