ପୁଣି ଆସୁଛି ଆଉ ଏକ ବାତ୍ୟା! ସତର୍କ କଲା ପାଣିପାଗ ବିଭାଗ Rajalaxmi Sahoo

ନୂଆଦିଲ୍ଲୀ: ଦକ୍ଷିଣପୂର୍ବ, ଲାକ୍ଷାଦ୍ୱୀପ ଓ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଏହା ଘନୀଭୂତ ହୋଇ ପ୍ରଥମେ ଗଭୀର ଅବପାତ ଓ ପରେ ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବାତ୍ୟାର ନାଁ ‘ବାୟୁ’ ରହିଛି।

ଆଜି କିମ୍ବା ବୁଧବାର ଏହି ବାତ୍ୟା ଭାରତର ପଶ୍ଚିମ ଉପକୂଳ ଠାରୁ ୩୦୦ କିମି ଦୂରରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମୁମ୍ବାଇ, କେରଳ, ଲାକ୍ଷାଦ୍ୱୀପ, କର୍ଣ୍ଣାଟକ ସହିତ ଗୋଆ ଓ ସୌରାଷ୍ଟ ଏବଂ କଚ୍ଛ ପାଇଁ ସତର୍କ ସୂଚନା ଜାରି କରିଛି। ଏଭଳି ସାମୁଦ୍ରିକ ଝଡ଼ ମୁମ୍ବାଇ ଓ କୋଙ୍କଣକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବେଶ ପାଇଁ ପଥ ପରିଷ୍କାର କରିବ। ଏହି ବାୟୁ ବାତ୍ୟା କୋଙ୍କଣ ଏବଂ ଗୋଆ ଉପକୂଳ ଦେଇ ଅତିକ୍ରମ କରିବ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ମହାରାଷ୍ଟ୍ରକୁ ହିଟ୍‌ କରିବ ନାହିଁ। ସେହିପରି ଭାରତର ଅନ୍ୟ ପ୍ରାନ୍ତରେ ମଧ୍ୟ ଏହାର ସିଧାସଳଖ ପ୍ରଭାବ ରହିବ ନାହିଁ। କିନ୍ତୁ ଏହାର ପ୍ରଭାବରେ ଦକ୍ଷିଣ ପ୍ରାନ୍ତରେ ସମୁଦ୍ର ଅଶାନ୍ତ ରହିବା ସହ ପବନର ବେଗ ଅଧିକ ରହିବ। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

ବାତ୍ୟା ‘ବାୟୁ’ ଓ ବର୍ଷାକୁ ଦୃଷ୍ଟିରେ ରଖି ଆଜି କେରଳ, ଦକ୍ଷିଣ କର୍ଣ୍ଣାଟକ, କୋଙ୍କଣ ଓ ଗୋଆ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାର ଅର୍ଥ ଏଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ଜୁନ୍‌ ୧୧ରେ କେରଳ, ଉପକୂଳବର୍ତ୍ତୀ କର୍ଣ୍ଣାଟକ, କୋଙ୍କଣ ଓ ଗୋଆ ପାଇଁ ୱେଲ୍‌ ୱାର୍ଣ୍ଣିଂ, ୧୨ ଜୁନ୍‌ରେ କେରଳ, ଉପକୂଳବର୍ତ୍ତୀ କର୍ଣ୍ଣାଟକରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ କୋଙ୍କଣ, ଗୋଆ, ସୌରାଷ୍ଟ୍ର ଏବଂ କଚ୍ଛ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଜୁନ୍‌ ୧୩ରେ ମଧ୍ୟ କେରଳ, ଉପକୂଳ କର୍ଣ୍ଣାଟକ, କୋଙ୍କଣ, ଗୋଆ, ସୌରାଷ୍ଟ୍ର ଏବଂ କଚ୍ଛ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ।

ଅନ୍ୟପକ୍ଷରେ, ବାତ୍ୟା ବାୟୁର ସିଧାସଳଖ ପ୍ରଭାବ ଭାରତ ଉପରେ ପଡ଼ିବାକୁ ନଥିଲେ ହେଁ ଗୁଜରାଟ, ମୁମ୍ବାଇ, ପୁଣେ, କୋଙ୍କଣ ଏବଂ ଗୋଆ ସମେତ ପଶ୍ଚିମ-ପୂର୍ବ ଉପକୂଳରେ ଥିବା ରାଜ୍ୟଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ପକ୍ଷରୁ କୁହାଯାଇଛି।

ଏହି ବାତ୍ୟା ପୂର୍ବରୁ ବଙ୍ଗୋପସାଗରରେ ବାତ୍ୟା ‘ଫୋନି’ ସୃଷ୍ଟି ହୋଇଥିଲା। ଏହାଦ୍ୱାରା ଓଡ଼ିଶାର ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବାତ୍ୟାରେ ପ୍ରାୟ ୯ ହଜାର କୋଟି ଟଙ୍କାର କ୍ଷତି ହୋଇଥିବା ବେଳେ ୬୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।



from OTV Khabar. http://bit.ly/2MDDf6M
ପୁଣି ଆସୁଛି ଆଉ ଏକ ବାତ୍ୟା! ସତର୍କ କଲା ପାଣିପାଗ ବିଭାଗ Rajalaxmi Sahoo ପୁଣି ଆସୁଛି ଆଉ ଏକ ବାତ୍ୟା! ସତର୍କ କଲା ପାଣିପାଗ ବିଭାଗ Rajalaxmi Sahoo Reviewed by SUBHENDU BARAL on June 10, 2019 Rating: 5

No comments:

Powered by Blogger.