କଲବଲ କରୁଛି ତାତି ! ଛଟପଟ ହେଉଛି ସାରା ଓଡିଶା, ୪୦ ଡିଗ୍ରୀ ଉପରେ ୧୩ ସହର Kanak News

କନକ ବ୍ୟୁରୋ : ସକାଳ ୯ଟାରୁ ଟାଇଁ ଟାଇଁ ଖରା। ଘରୁ ବାହାରିବା ମୁସ୍କିଲ୍। ରାସ୍ତାଘାଟ ବି ଶୂନଶାନ। କାଁ ଭାଁ ଗାଡ଼ି ଗଡ଼ୁଛି। ଯିଏ ବି ଘରୁ ବାହାରୁଛନ୍ତି, ସାଙ୍ଗରେ ଛତା, ଜୋତା, ଓଦା ଗାମୁଛା ପକାଇ ଯିବା ଆସିବା କରୁଛନ୍ତି। ତା’ ସାଙ୍ଗକୁ ଘନ ଘନ ବିଜୁଳି କାଟ୍। ଅସ୍ତବ୍ୟସ୍ତ ହୋଇପଡ଼ୁଛି ଜନଜୀବନ। ଦୁଇ ଦିନ ହେଲା ସାରା ଓଡ଼ିଶାରେ ଏଭଳି ଅସମ୍ଭାଳ ତାତି ଲାଗି ରହିଛି। ସମ୍ବଲପୁରରୁ ଭୁବନେଶ୍ବର ହେଉ ଅଥବା ମାଲକାନଗିରିରୁ ଚାନ୍ଦବାଲି; ସବୁଠି ପାରଦ ଏବେ ଉପରମୁହାଁ। ଗୋଟିଏ ଦିନରେ ସବୁଠି ପାରଦ ୩ରୁ ୫ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି। ଭୁବନେଶ୍ବର ଓ ଚାନ୍ଦବାଲିରେ ତାପମାତ୍ରା ୪୦ ଡିଗ୍ରି ଡେଇଁଛି। କଟକରେ ବି ସମାନ ସ୍ଥିତି। ୧୩ଟି ସହରରେ ପାରଦ ୪୦ ଡିଗ୍ରି ଡେଇଁଥିବା ବେଳେ ସମ୍ବଲପୁର ତାପମାତ୍ରା ପୁଣିଥରେ ୪୫ଡିଗ୍ରି ଛୁଇଁଛି। ଆହୁରି ୩ ଦିନ ଯାଏ ଏଭଳି ତାତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡି ଲାଗି ହିଟୱେଭ ଜାରି କରାଯାଇଛି। ସତର୍କତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ ଯେତେଦୂର ସମ୍ଭବ ଛାଇରେ ରହିବାକୁ କୁହାଯାଇଛି। ପ୍ରଚୁର ପାନୀୟ ଜଳ ପିଇବା ସହ ଅପରାହ୍ଣ ୪ଟା ଯାଏ ବୟସ୍କ ଓ ପିଲାମାନେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।
ଅନ୍ୟପକ୍ଷରେ ୧୫ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶା ତତଲା ତାୱାରେ ସିଝିବ। ତାହାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ(ଓସଡମା) ୪ ଦିନ ଲାଗି ୧୬୫ ବ୍ଲକକୁ ରେଡ୍ ଆଲର୍ଟ ଓ ୭୧ ବ୍ଲକ ଲାଗି ୟେଲୋ ଆଲର୍ଟ ଜାରି କରିଛି। କୁହାଯାଇଛି ଯେ ୧୫ତାରିଖ ଯାଏ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ପାରଦ ଅପରିବର୍ତ୍ତିତ ରହିବ। ସବୁଠି ୪୨ରୁ ୪୬ ଡିଗ୍ରି ମଧ୍ୟରେ ରହିବ। ତେବେ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରଚଣ୍ଡ ତାତି ଅନୁଭୂତ ହେବ। ପାରଦ ୪୪ ଡିଗ୍ରି ଛୁଇଁବାର ଆଶଙ୍କା ରହିଛି। କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ଯାଜପୁର, ବଲେଶ୍ବର, ଗଞ୍ଜାମ, ଭଦ୍ରକର କେତେକ ବ୍ଲକରେ ପାରଦ ୪୩ ଡିଗ୍ରିରେ ପହଞ୍ଚିପାରେ। ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ଦେବଗଡ଼, ବରଗଡ଼ ଆଦି ସ୍ଥାନରେ ତାପମାତ୍ରା ସେତେଟା ବଢ଼ିବ ନାହିଁ। ତେଣୁ ଲୋକେ ଏହି ୪ ଦିନ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।


from Kanak News http://bit.ly/2XF1xOH http://bit.ly/2R7uVL3
କଲବଲ କରୁଛି ତାତି ! ଛଟପଟ ହେଉଛି ସାରା ଓଡିଶା, ୪୦ ଡିଗ୍ରୀ ଉପରେ ୧୩ ସହର Kanak News କଲବଲ କରୁଛି ତାତି ! ଛଟପଟ ହେଉଛି ସାରା ଓଡିଶା, ୪୦ ଡିଗ୍ରୀ ଉପରେ ୧୩ ସହର Kanak News Reviewed by SUBHENDU BARAL on June 11, 2019 Rating: 5

No comments:

Powered by Blogger.