ଦାରିଦ୍ର‌୍ୟର କରୁଣ ସ୍ଥିତି ! ସ୍ୱାମୀଙ୍କ ଶୁଦ୍ଧିକ୍ରିୟା ପାଇଁ ଝିଅ ବିକିବ ହତଭାଗିନୀ ମା’ । Kanak News

ସ୍ବାମୀଙ୍କ ଅକାଳ ମୃତ୍ୟୁ ପରେ ବେସାହାରା ହୋଇ ଯାଇଛନ୍ତି ପୂର୍ଣ୍ଣିମା। ଯେଣୁତେଣୁ କରି ସ୍ବାମୀଙ୍କ ଅନ୍ତ୍ୟେଷ୍ଟି ସିନା ସାରିଦେଲେ; ହେଲେ ଦଶାହ ପାଇଁ ହାତରେ ଆଉ ସମ୍ବଳ ନାହିଁ। ପୂର୍ଣ୍ଣିମାଙ୍କ ଲୁହ ପୋଛିବାକୁ କି ଆହା ପଦେ କହିବାକୁ କେହି ନାହାନ୍ତି। ସାଧାରଣ ବର୍ଗର ପୂର୍ଣ୍ଣିମା ଦଳିତ ସଂପ୍ରଦାୟର ଭଜମନଙ୍କୁ ପ୍ରେମ ବିବାହ କରିଥିଲେ ବୋଲି ବାପ ଘର ଓ ଶ୍ବଶୁର ଘର ଲୋକ ପର କରିଦେଇଛନ୍ତି। ଛୋଟଛୋଟ ଚାରି ଝିଅ। ସେମାନେ ଏତେ କଥା କେଉଁଠୁ ଜାଣିବେ ? ଘର ଚାରି କାନ୍ଥ ଭିତରେ ସେମାନଙ୍କ କାନ୍ଦଣା ହଜି ଯାଉଛି। ଚାରି ଚାରି ଝିଅଙ୍କୁ ଦୁଇ ବେଳା ଖାଇବାକୁ ଦେଇ ପୋଷିବା, ପାଠ ପଢ଼ାଇବା କଥା ଚିନ୍ତା କଲେ ବିଧବା ପୂର୍ଣ୍ଣିମାଙ୍କ ଚେତା ହଜି ଯାଉଛି। ସ୍ବାମୀଙ୍କ ଦଶାହ କରିବାକୁ ହାତରେ ଟଙ୍କା ନାହିଁ ବୋଲି ଚାରି ଝିଅଙ୍କ ମଧ୍ୟରୁ ଜଣକୁ ବିକ୍ରି କରି ଦେବେ ବୋଲି ବିନା ସଙ୍କୋଚରେ କହୁଛନ୍ତି ଅସହାୟ ମା’ ପୂର୍ଣ୍ଣିମା।

ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଗୁଡ଼ଭେଲିପଦର ଗାଁର ଭଜମନ ଗେଜ(୩୮) ତିନିମାସ ହେଲା ବଲାଙ୍ଗୀର ଜିଲ୍ଲା ଚନ୍ଦନଭାଟି ରାସ୍ତା ନିକଟ ବୁରୋମୁଣ୍ଡାସ୍ଥିତ ଜତିନ ପଟେଲଙ୍କ କ୍ରସରରେ କାମ କରୁଥିଲେ। ମାସକୁ ପାଞ୍ଚ ହଜାର ଟଙ୍କା ପାଇ ପରିବାର କଷ୍ଟେମଷ୍ଟେ ଚଳିଯାଉଥିଲା। ଗତ ମେ’ ମାସ ୨୫ ତାରିଖ ଦିନ କାମ କରୁଥିବା ବେଳେ କ୍ରସରରୁ ପଡ଼ି ଭଜମନଙ୍କ ମେରୁଦଣ୍ଡ, ଅଣ୍ଟା ତଥା ପିଠିର ଏକାଧିକ ହାଡ଼ ଭାଙ୍ଗି ଗୁରୁତର ଆହତ ହୋଇଥିଲେ। ତାଙ୍କୁ କ୍ରସର ମାଲିକ ବଲାଙ୍ଗୀର ମେଡିକାଲ, ବୁର୍ଲା ମେଡିକାଲ ଓ ପରେ କଟକ ବଡ଼ ମେଡିକାଲକୁ ନେଇ ଚିକିତ୍ସା କରାଇଥିଲେ। ୧୫ଦିନ ପର‌୍ୟ୍ୟନ୍ତ ଚିକିତ୍ସା ଚାଲିଲା। ହେଲେ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଭଜମନ।ସ୍ବାମୀଙ୍କ ଚିକିତ୍ସାରେ କେବଳ ଘରଖଣ୍ଡିକ ଛାଡ଼ି ଦେଲେ ବାକି ସମସ୍ତ ସ୍ଥାବର ଅସ୍ଥାବର ସଂପତ୍ତିକୁ ବିକ୍ରି କରିଦେଇଛନ୍ତି ପୂର୍ଣ୍ଣିମା। ସ୍ବାମୀଙ୍କ ମୃତ୍ୟୁ ପରେ ସର୍ବହରା ପାଲଟିଥିବା ସ୍ତ୍ରୀ ଓ ପିଲା ଏବେ ସଂପୂର୍ଣ୍ଣ ଅସହାୟ। ସ୍ବାମୀଙ୍କ ଦଶାହ କାର‌୍ୟ୍ୟ ପାଇଁ ହାତରେ ଟଙ୍କା ନଥିବାରୁ ୪ଝିଅଙ୍କ ମଧ୍ୟରୁ ଜଣକୁ ବିକ୍ରି କରିବାକୁ ଗ୍ରାହକ ଖୋଜୁଛନ୍ତି ପୂର୍ଣ୍ଣିମା। ବାପଘର କି ଶାଶୂଘର ଲୋକ କେହି ତାଙ୍କୁ ସାହାଯ୍ୟ କରୁ ନାହାନ୍ତି। ସେ ରହୁଥିବା ପଡ଼ାର କେତେକ ବ୍ୟକ୍ତିଙ୍କୁ ସ୍ବାମୀଙ୍କ ଦଶାହ କାର‌୍ୟ୍ୟ ପାଇଁ ଆର୍ଥିକ ସାହାଯ୍ୟ ମାଗିଛନ୍ତି। ଝିଅ ବିକ୍ରି ପରେ ତାଙ୍କ ଟଙ୍କା ଫେରାଇବାକୁ କଥା ଦେଇଥିବା ପୂର୍ଣ୍ଣିମା କହିଛନ୍ତି। ମାତ୍ର ଏ ଯାଏ କେହି ତାଙ୍କୁ ସହାୟତା କରିବାକୁ ଆଗେଇ ଆସି ନାହାନ୍ତି।

 

ଅପରପକ୍ଷେ ଗତବର୍ଷ ଭଜମନ ଖଣ୍ଡିଏ ଇନ୍ଦିରା ଆବାସ ପାଇ ଘର ସଂପୂର୍ଣ୍ଣ କରିଥିବା ବେଳେ ଏଯାଏଁ ଶେଷ ବିଲ୍ ବାବଦକୁ ୩୦ ହଜାର ଟଙ୍କା, ଶ୍ରମିକ ମଜୁରି ବାବଦକୁ ୧୬ ହଜାର ଟଙ୍କା ପାଇନାହାନ୍ତି। ଅଥଚ ସେ ନିଜେ ନିର୍ମାଣ କରିଥିବା ପାଇଖାନାକୁ ଠିକାଦାର ବିଲ୍ କରି ୧୨ହଜାର ଟଙ୍କା ନେଇ ଯାଇଥିବା ପୂର୍ଣ୍ଣିମା ପ୍ରକାଶ କରିଛନ୍ତି। ଏବେ ପୂର୍ଣ୍ଣିମା ବେସାହାରା ହୋଇ ନିଜର ୪ ଝିଅଙ୍କୁ ଧରି ଦିନରାତି କେବଳ କାନ୍ଦୁଛନ୍ତି। ସ୍ବାମୀଙ୍କ ଶବ ସତ୍କାର ପାଇଁ ମଧ୍ୟ ପୂର୍ଣ୍ଣିମା ପଞ୍ଚାୟତରୁ ହରିଶ୍ଚନ୍ଦ୍ର ଯୋଜନାରୁ ସାହାଯ୍ୟ ପାଇନାହାନ୍ତି। ଗୁଡ଼ଭେଲିପଦର ପଞ୍ଚାୟତର ଇଓ ଶେଷଦେବ ଜାନିଙ୍କୁ ଏ ସଂପର୍କରେ ପଚରାଯିବାରୁ ୬ମାସ ହେଲା ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କା ନାହିଁ ବୋଲି କହିଛନ୍ତି। ଏ ସଂପର୍କରେ ବୌଦ୍ଧ ଜିଲ୍ଲାପାଳ ସୀତାଂଶୁ ରାଉତଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।



from Kanak News http://bit.ly/2Ztiso0 http://bit.ly/2WMKqJH
ଦାରିଦ୍ର‌୍ୟର କରୁଣ ସ୍ଥିତି ! ସ୍ୱାମୀଙ୍କ ଶୁଦ୍ଧିକ୍ରିୟା ପାଇଁ ଝିଅ ବିକିବ ହତଭାଗିନୀ ମା’ । Kanak News ଦାରିଦ୍ର‌୍ୟର କରୁଣ ସ୍ଥିତି ! ସ୍ୱାମୀଙ୍କ ଶୁଦ୍ଧିକ୍ରିୟା ପାଇଁ ଝିଅ ବିକିବ ହତଭାଗିନୀ ମା’ । Kanak News Reviewed by SUBHENDU BARAL on June 15, 2019 Rating: 5

No comments:

Powered by Blogger.