ବର୍ଷା ଯୋଗୁଁ କମିଲା ତାତି ! ସକ୍ରିୟ ହେଉଛି ମୌସୁମୀ, ୧୮ ଛୁଇଁପାରେ ଓଡିଶା Kanak News

କନକ ବ୍ୟୁରୋ : ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। କେରଳରେ ଏକ ପ୍ରକାର ସ୍ଥିର ହୋଇଯାଇଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇ ଆଗକୁ ବଢ଼ିବା ଆରମ୍ଭ କରିଛି। ସବୁ କିଛି ଠିକଠାକ ରହିଲେ, ୪ରୁ ୫ ଦିନ ମଧ୍ୟରେ ଅର୍ଥାତ୍ ଆସନ୍ତା ୧୮ ତାରିଖ ବେଳକୁ ମୌସୁମୀ ଓଡ଼ିଶା ଛୁଇଁପାରେ। ସାରା ଓଡ଼ିଶାରେ ପାଗରେ ଆସିଥିବା ଅଚାନକ ପରିବର୍ତନ ମଧ୍ୟ ଏଭଳି ସୂଚନା ଦେଉଛି ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। ତେବେ ଗତକାଲିଠାରୁ ରାଜ୍ୟର କେତେକ ଅଞ୍ଚଳରେ ହୋଇଥିବା ବର୍ଷା ପ୍ରାକ୍ ମୌସୁମୀ ବର୍ଷା କି ନୁହେଁ, ତାକୁ ନେଇ ବିଶେଷଜ୍ଞଙ୍କ ମଧ୍ୟରେ ଦ୍ବନ୍ଦ୍ବ ରହିଛି।
ପ୍ରତିଥର ପରି ଏଥର ମଧ୍ୟ ଦକ୍ଷିଣ ଓଡ଼ିଶା ଦେଇ ମୌସୁମୀ ରାଜ୍ୟରେ ପ୍ରବେଶ କରିବ। ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି, ଗଜପତି, କନ୍ଧମାଳ ଜିଲ୍ଲାରେ ପ୍ରଥମେ ମୌସୁମୀ ବର୍ଷା ଆରମ୍ଭ ହେବ। ଏହାପରେ ଉପକୂଳ ଓଡ଼ିଶାକୁ ସ୍ପର୍ଶ କରିବ। ଜୁନ୍ ୧୯ କିମ୍ବା ୨୦ ବେଳକୁ ପୁରୀ, ଖୋର୍ଧା, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, କଟକ, ବାଲେଶ୍ବର, ଭଦ୍ରକ, ନୟାଗଡ଼କୁ ମୌସୁମୀ ଛୁଇଁବ। ଆଉ ୨୦ରୁ ୨୨ ତାରିଖ ମଧ୍ୟରେ ସମ୍ପୂର୍ଣ୍ଣ ରାଜ୍ୟରେ ମୌସୁମୀ ସକ୍ରିୟ ହେବାର ସମ୍ଭାବନା ରହିଛି।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ କେରଳରେ ସ୍ଥିର ଥିବା ମୌସୁମୀ ପୁଣିଥରେ ସକ୍ରିୟ ହୋଇ ଆଗକୁ ବଢ଼ୁଛି। ଏହାର ପ୍ରଭାବରେ ୧୫ ତାରିଖ ବେଳକୁ କର୍ଣ୍ଣାଟକ ଉପକୂଳ ଏବଂ ୧୬ ତାରିଖ ବେଳକୁ ଉପକୂଳ ଆନ୍ଧ୍ରପ୍ରଦେଶରେ ବର୍ଷା ଆରମ୍ଭ ହେବ। ଏହି ସମୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ମୌସୁମୀକୁ ଅଧିକ ସକ୍ରିୟ କରାଇବ। ଯଦି ମୌସୁମୀର ଗତି ଏଭଳି ରହେ, ୧୮ କିମ୍ବା ୧୯ ତାରିଖ ବେଳକୁ ମୌସୁମୀ ଓଡ଼ିଶାକୁ ଭିଜାଇବ।
ତେବେ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ଏଚ୍.ଆର ବିଶ୍ବାସ ମୌସୁମୀ ପହଞ୍ଚିବା ନେଇ କୌଣସି ନିର୍ଦ୍ଦିଷ୍ଟ ତାରଖ ଆକଳନ କରିପାରି ନାହାନ୍ତି। ସେ କହିଛନ୍ତି ଯେ ମୌସୁମୀ କେବେ ଓଡ଼ିଶା ଛୁଇଁବ, ଏବେଠାରୁ କହିହେବ ନାହିଁ। ଗତକାଲିଠାରୁ ସାରା ଓଡ଼ିଶାରେ ବର୍ଷା ହେଉଛି। ଆଗକୁ ମଧ୍ୟ କୋହଲା ପାଗ ରହିବ। ତାପମାତ୍ରା ଆହୁରି କମିବ। ତେବେ ଏହାକୁ ଆମେ ପ୍ରାକ୍ ମୌସୁମୀ ବର୍ଷା କହିପାରିବା ନାହିଁ।
ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଉଛି ଯେ ଜୁନ୍ ୧୭ କିମ୍ବା ୧୮ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁବ। ମୌସୁମୀ ଆସିବା ପୂର୍ବରୁ ସାରା ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ନ ହେଲେ ହଠାତ୍ ଏଭଳି ପାଗ ପରିବର୍ତନ ହୋଇନଥାନ୍ତା। କାଳବୈଶାଖୀ ବର୍ଷା ହୋଇଥିଲେ ଗୋଟିଏ କିମ୍ବା ଅଳ୍ପ କିଛି ସ୍ଥାନରେ ହୋଇଥାନ୍ତା। ଏହା ପ୍ରାକ୍ ମୌସୁମୀ ବର୍ଷା ହୋଇଥିବାରୁ ସାରା ରାଜ୍ୟରେ ବର୍ଷା ହେଉଛି।


from Kanak News http://bit.ly/2KPTjzt http://bit.ly/2QSLbPV
ବର୍ଷା ଯୋଗୁଁ କମିଲା ତାତି ! ସକ୍ରିୟ ହେଉଛି ମୌସୁମୀ, ୧୮ ଛୁଇଁପାରେ ଓଡିଶା Kanak News ବର୍ଷା ଯୋଗୁଁ କମିଲା ତାତି ! ସକ୍ରିୟ ହେଉଛି ମୌସୁମୀ, ୧୮ ଛୁଇଁପାରେ ଓଡିଶା Kanak News Reviewed by SUBHENDU BARAL on June 13, 2019 Rating: 5

No comments:

Powered by Blogger.