ଆସନ୍ତାକାଲି ସାମୁଦ୍ରିକ ବାତ୍ୟା ଫନିକୁ ମାସେ ପୂରିବ : ଏଯାଏଁ ହୋଇପାରିନି ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ, ରିପୋର୍ଟକୁ ଅପେକ୍ଷା କରିଛି କେନ୍ଦ୍ରୀୟ ଟିମ୍ Kanak News

କନକ ବ୍ୟୁରୋ : ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ରାଜ୍ୟରେ ବିତ୍ପାତ ଘଟାଇଲା । ଗୋଟିଏ କି ଦୁଇଟି ନୁେହଁ, ରାଜ୍ୟର ୧୪ଟି ଜିଲ୍ଲା ପ୍ରଭାବିତ ହେଲେ । କେନ୍ଦ୍ର ସରକାରଙ୍କଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ କ୍ଷତି ଭରଣା ପାଇଁ ଅଣ୍ଟା ଭିଡ଼ିଛନ୍ତି । ହେଲେ ଏ ଯାଏ ପୁରୀ ଜିଲ୍ଲାର ଲୋକେ ଦୁର୍ଦଶା ଭିତରୁ ବାହାରି ପାରିନାହାନ୍ତି । ବିଜୁଳି ସେଂଯାଗ ବ୍ୟବସ୍ଥାରେ ମଧ୍ୟ ସୁଧାର ଆସିପାରିନାହିଁ ।
ଏପଟେ ବିପର୍ଯ୍ୟୟକୁ ମାସେ ପୂରିବାକୁ ଯାଉଥିଲେ ବି ଜିଲ୍ଲା ପ୍ରଶାସନର ସ୍ଥାଣୁତା କାରଣରୁ କ୍ଷୟକ୍ଷତି ରିପୋର୍ଟ ମଧ୍ୟ ଅଧପନ୍ତରିଆ ଅବସ୍ଥାରେ ରହିଛି । ଖାସ୍ ଏହି କାରଣରୁ ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଗତ ମାସ ୧୩ରେ ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିଥିବା କେନ୍ଦ୍ରୀୟ ଟିମ୍କୁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଚୂଡ଼ାନ୍ତ ରିେପାର୍ଟଦେଇପାରିନାହାନ୍ତି ଓ କେନ୍ଦ୍ରୀୟ ଟିମ୍ ମଧ୍ୟ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରିପାରୁନାହାନ୍ତି ।
ଏପଟେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ରିଲିଫ ପ୍ୟାକେଜ୍ ଘୋଷଣା କରିଥିଲେ ହେଁ, ବିପର୍ଯ୍ୟୟର ଶିକାର ହେଉଥିବା ଲୋକଙ୍କ ପାଖରେ ତାହା ଏଯାଏ ପହଞ୍ଚିପାରିନି । ପ୍ରଭାବିତ ୧୪ଟି ଜିଲ୍ଲାରୁ ୧୩ଟି ଜିଲ୍ଲା ସ୍ବତନ୍ତ୍ର ରିଲିଫ କମିସନରଙ୍କୁ ଦେଇଥିବା ରିପୋର୍ଟ ସମ୍ପୂର୍ଣ୍ଣ ନୁହେଁ । କଟକ ଜିଲ୍ଲାରୁ ଆସିଥିବା କ୍ଷୟକ୍ଷତି ରିପୋର୍ଟ ପୁଣି ଥରେ ସଂଶୋଧନ କରିବାକୁ ୩ ଦିନ ସମୟ ଲାଗିବ । ସବୁଠାରୁ ଅଧିକ ପ୍ରଭାବିତ ପୁରୀ ଜିଲ୍ଲାରୁ ଏ ଯାଏଁ ରିପୋର୍ଟ ମିଳିନାହିଁ ।
ବାତ୍ୟା ପ୍ରଭାବିତ ପୁରୀ ଜିଲ୍ଲାରେ ବାସଗୃହ, ନଡ଼ିଆ ଗଛ ଓ ପାନବରଜ ନଷ୍ଟ ହୋଇଥିବା ବିପନ୍ନଙ୍କ କ୍ଷୟକ୍ଷତି ଆକଳନ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ରାଜସ୍ବ ନିରୀକ୍ଷକଙ୍କୁ ଦାୟିତ୍ବ ଦିଆଯାଇଛି । କିଛି ଅଞ୍ଚଳରେ ନିୟମିତ ସର୍ଭେ ହେଉନାହିଁ । ଆଉ କିଛି ଅଞ୍ଚଳରେ କ୍ଷତି ଏତେ ପରିମାଣରେହୋଇଛି ଗୋଟିଏ ଲେଖାଏଁ ଗ୍ରାମ କିମ୍ବା ମଉଜାକୁ ସର୍ଭେ ପାଇଁ ସପ୍ତାହ ବିତିଯାଉଛି ।
ଫନି ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ର ଗୃହ ବିଭାଗର ଅତିରିକ୍ତ ସଚିବ ବିବେକ ଭରଦ୍ବାଜଙ୍କ ନେତୃତ୍ବରେ ୧୧ ଜଣିଆ କେନ୍ଦ୍ରୀୟ ଟିମ୍ ଦୁଇ ଭାଗରେ ବିଭକ୍ତ ହୋଇ ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତି ଆକଳନ କରିଥିଲେ । ଏହା ପରେ କେନ୍ଦ୍ରୀୟ ଟିମ୍କୁ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଅନୁସାରେ ବାତ୍ୟାରେ ୧୧ ହଜାର ୯୪୨ କୋଟି ୬୮ ଲକ୍ଷ ଟଙ୍କା କ୍ଷୟକ୍ଷତି ହୋଇଥିବା ଅବଗତ କରାଯାଇଥିଲା । କ୍ଷତି ପାଇଁ ୫ ହଜାର କୋଟି ଟଙ୍କା ଓ ଏସଡିଆରଏଫ୍ ସର୍ତ୍ତାବଳୀ ଅନୁସାରେ ୭ ହଜାର କୋଟି ଟଙ୍କା ଯୋଗାଇ ଦେବା ପାଇଁ ଓଡ଼ିଶା ପକ୍ଷରୁ ଦାବି କରାଯାଇଥିଲା ।
from Kanak News http://bit.ly/2JRj8PY http://bit.ly/2XlBVGq
No comments: