
ଭୁବନେଶ୍ୱର: ଲୁଚି ଲୁଚି ବୁଲୁଛି ବାଘୁଣୀ ‘ସୁନ୍ଦରୀ’। ୩ ଦିନ ଧରି ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବା ଉଦ୍ୟମ ଫେଲ୍ ମାରିବା ପରେ ବନ ବିଭାଗ ଏବେ ମଧ୍ୟପ୍ରଦେଶ ଏକ୍ସପର୍ଟଙ୍କ ସହାୟତା ଲୋଡ଼ିଛି।
ଦିନେ ଦୁଇଦିନ ଭିତରେ ମଧ୍ୟପ୍ରଦେଶର ଟିମ୍ ପହଞ୍ଚିବା ପରେ ସୁନ୍ଦରୀ କାବୁ ହେବବୋଲି ଆଶା କରାଯାଉଛି। ସେପଟେ ସୁନ୍ଦରୀକୁ ଧରିବାରେ ଯେତିକି ବିଳମ୍ବ ହେଉଛି, ସ୍ଥାନୀୟ ଅଞ୍ଚଳବାସୀ ସେତିକି ଅଧିକ ଆତଙ୍କିତ ହୋଇପଡୁଛନ୍ତି।
ସାତକୋଶିଆର ବାଘମୁଣ୍ଡା ନିକଟବର୍ତ୍ତୀ ଛାଞ୍ଚୁଣିଆ ଜଙ୍ଗଲରେ ଲୁଚି ଲୁଚି ବୁଲୁଛି ସୁନ୍ଦରୀ। ଜଙ୍ଗଲରେ ଭୋର ସମୟରୁ ବନ ବିଭାଗ କର୍ମଚାରୀ ଓ ପୁଲିସ୍ ଜଗି ରହିଥିଲେ ମଧ୍ୟ ଧରିବାରେ ବିଫଳ ହୋଇଥିଲେ। ସୁନ୍ଦରୀକୁ ଧରିବା ପାଇଁ ମଧ୍ୟପ୍ରଦେଶର କାହ୍ନା ଓ ପେଞ୍ଚ୍ରୁ ୨ଟି ଟ୍ରାଙ୍କୁଲାଇଜେସନ୍ ଟିମ୍ ସାତକୋଶିଆ ଗସ୍ତରେ ଆସୁଥିବା ଅତିରିକ୍ତ ପିସିସିଏଫ୍ ସୂଚନା ଦେଇଛନ୍ତି।
ବନ ବିଭାଗର ସତର୍କତା ପଦକ୍ଷେପ ସ୍ୱରୂପ ଲୋକେ ଘରୁ ବାହାରୁ ନାହାନ୍ତି। ଏପରିକି ଗାଈ ଗୋରୁ ମଧ୍ୟ ପଦାକୁ ନବାହାରି କେବଳ ଗୁହାଳ ଭିତରେ ରହୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଛୁଟି ପରେ ସ୍କୁଲ ଖୋଲିଥିଲେ ମଧ୍ୟ ଉପସ୍ଥାନ କମ୍। କାହିଁକି ନା ଭୟରେ ପିଲାଙ୍କୁ ସ୍କୁଲ ଛାଡିବାକୁ ବାପା ମା’ ନାରାଜ ହେଉଥିବା ଜଣାପଡ଼ିଛି।
ଏବେ ଅପେକ୍ଷା, ମଧ୍ୟପ୍ରଦେଶରୁ ବିଶେଷଜ୍ଞ ଆସିବା ପରେ କିଭଳି ଓ କେତେ ଶୀଘ୍ର ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରାଯାଉଛି।
from OTV Khabar https://ift.tt/2AsOw1G
No comments: