
ନୂଆଦିଲ୍ଲୀ: ଖାଲି ଗୋପନରେ ନାରୀକୁ ନୁହେଁ ପୁରୁଷକୁ ବି ନିର୍ଯାତନା ଦିଆଯାଏ। ମହିଳାମାନଙ୍କ ଭଳି ପୁରୁଷମାନେ ମଧ୍ୟ ନିଜ କ୍ଷୋଭ ପ୍ରକାଶ କରି ପାରନ୍ତି ନାହିଁ। କିନ୍ତୁ ଏବେ ଏମିତି ନିର୍ଯାତିତ ପୁରୁଷମାନଙ୍କ ପାଇଁ ଅଭିଯାନ ଆରମ୍ଭ ହେଲାଣି, ଯାହାର ନାଁ ରହିଛି #mentoo।
ଆମ ଦେଶରେ ବର୍ତ୍ତମାନ #metoo ଅଭିଯାନ ମହିଳାଙ୍କ ଚାପି ହୋଇ ରହିଥିବା ସ୍ୱରକୁ ଉତ୍ତୋଳନ କରିବା ପାଇଁ ସାହସ ଯୋଗାଇଛି। ତେବେ ଏହି ଅଭିଯାନ ପରି ପୁରୁଷମାନେ ମଧ୍ୟ ଏକ ଅଭିଯାନ ଆରମ୍ଭ କରିଛନ୍ତି । ମହିଳାଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ପୁରୁଷଙ୍କୁ ନ୍ୟାୟ ଦେବା ପାଇଁ ଏହି ଅଭିଯାନ ସାହାଯ୍ୟ କରିବ ବୋଲି କୁହାଯାଉଛି।
ଶନିବାର Children Rights Initiative for Shared Parenting (Crisp) ନାମକ ଏକ NGO ଏହି ଅଭିଯାନର ଶୁଭାରମ୍ଭ କରିଛି। ଏହି ଅଭିଯାନରେ ଫ୍ରାନ୍ସର ଜଣେ ପୂର୍ବ କୂଟନୀତିଜ୍ଞ ପାସ୍କଲ୍ ମଜୁରିୟର୍ ସାମିଲ ଅଛନ୍ତି। ୨୦୧୭ରେ ତାଙ୍କ ଉପରେ ତାଙ୍କ ନିଜ ଝିଅ ଯୌନ ଉତ୍ପୀଡ଼ନ ମାମଲା ଦାୟର୍ କରିଥିଲେ। କିନ୍ତୁ ପରେ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଏହି ଅଭିଯାନରେ ବର୍ତ୍ତମାନ ୧୫ ଜଣ ପୁରୁଷ ସାମିଲ ହୋଇଛନ୍ତି।
ଅଭିଯାନରେ ସାମିଲ ହୋଇଥିବା ପୁରୁଷଙ୍କ କହିବା ଅନୁସାରେ, ମିଛ ମାମଲା ଦାୟର କରୁଥିବା ମହିଳାମାନଙ୍କୁ #mentoo ଅଭିଯାନରେ ନ୍ୟାୟ ମିଳିବ। କିନ୍ତୁ ଏହାର ଦୁରୁପଯୋଗ କରାଯିବ ନାହିଁ। ଯେଉଁମାନେ ମହିଳାଙ୍କ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିପାରୁନାହାନ୍ତି, ଏହି ଅଭିଯାନ କେବଳ ସେହି ପୁରୁଷଙ୍କ ସମସ୍ୟାର ସମାଧାନ କରିବ।
ପାସ୍କଲ୍ କହିଛନ୍ତି, “ପୁରୁଷମାନେ ମଧ୍ୟ ଦୁଃଖରେ ରହିଥାନ୍ତି, ସେମାନେ ମଧ୍ୟ ପୀଡ଼ିତ। କିନ୍ତୁ ନିଜ ଉପରେ ହେଉଥିବା ଅତ୍ୟାଚାରକୁ ସେମାନେ ସାମ୍ନାକୁ ଆଣିପାରୁନାହାନ୍ତି। ଆମେ କେବଳ ମହିଳାଙ୍କ ସୁରକ୍ଷା ପାଇଁ ଆଇନ୍ ତିଆରି କରୁଛୁ। ଏହା ଭଲ, କିନ୍ତୁ ଏହି କଥା ମଧ୍ୟ ଭୁଲିବା ଉଚିତ୍ ନୁହେଁ ଯେ, ମାନବତାର ଅଧା ଅଂଶ ପୁରୁଷଙ୍କୁ ମଧ୍ୟ କୁହାଯାଇଥାଏ।”
ଯୌନ ଉତ୍ପୀଡ଼ନ ମାମଲାରେ ଛନ୍ଦି ହୋଇଥିବା ପାସ୍କଲ ବର୍ତ୍ତମାନ ଅଦାଲତରେ ନିଜ ଲଢ଼େଇ ଜାରି ରଖିଛନ୍ତି। ସେ ନିର୍ଦ୍ଦୋସରେ ଖଲାସ ହେବା ପରେ ତାଙ୍କ ପତ୍ନୀ ତାଙ୍କ ବିରୋଧରେ କୋର୍ଟରେ ପୁଣି ଏକ ମାମଲା ଦାୟର୍ କରିଛନ୍ତି।
from Odisha Reporter
No comments: