ସିବିଆଇ ପରେ ର’: ତଦନ୍ତ ଘେରରେ ଶୀର୍ଷ ତଦନ୍ତକାରୀ ସଂସ୍ଥା

ନୂଆଦିଲ୍ଲୀ : ସିବିଆଇର ଦୁଇ ସର୍ବୋଚ୍ଚ ଅଧିକାରୀଙ୍କ ମଧ୍ୟରେ ଥିବା ବିବାଦ ଏବେ ଅନ୍ୟ ସଂସ୍ଥାକୁ ମଧ୍ୟ ପ୍ରଭାବିତ କଲାଣି। ଏହି ବିବାଦରେ ଏବେ ଦେଶର ବାହ୍ୟିକ ଗୁଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ୍ (ର’)ର ନାମ ମଧ୍ୟ ଯୋଡ଼ି ହୋଇଛି। ସିବିଆଇ ମୁଖ୍ୟ ଆଲୋକ ବର୍ମା ଏବଂ ତାଙ୍କ ପରେ ଦ୍ୱିତୀୟ କ୍ଷମତାଶାଳୀ ରାକେଶ ଅସ୍ଥାନାଙ୍କ ମଧ୍ୟରେ ବିବାଦ ଚିଠି, ଚଢ଼ଉ ପରେ ଏବେ ଗିରଫଦାରୀ ସ୍ଥିତିରେ ପହଞ୍ଚି ସାରିଛି। ସିବିଆଇ ମୁଖ୍ୟ ଆଲୋକ ବର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ବ୍ଲୁ ଆଇଡ୍‌ ବୟ’ କୁହାଯାଉଥିବା ରାକେଶଙ୍କ ନାମରେ ଅନେକ ମାମଲା ରୁଜୁ କରିଥିବାବେଳେ ରାକେଶ ମଧ୍ୟ ଆଲୋକଙ୍କ ନାମରେ ସରକାରଙ୍କ ପାଖରେ ଅଭିଯୋଗ କରିଛନ୍ତି।

ର’ ଅଧିକାରୀଙ୍କ ଉପରେ ଅଭିଯୋଗ ଆସିବାପରେ ପ୍ରଧାନମନ୍ତ୍ରୀ ମୋଦି ର’ ମୁଖ୍ୟ ଅନୀଲ ଦାସ୍‌ମନାଙ୍କ ସହିତ ଆଲୋଚନା କରିଛନ୍ତି। ରାକେଶ ଅସ୍ଥାନାଙ୍କ ନାମରେ ହୋଇଥିବା ଏଫ୍‌ଆଇଆରରେ ବରିଷ୍ଠ ଅଧିକାରୀ ସାମନ୍ତ ଗୋଏଲଙ୍କ ନାମ ଆସିବା ପରେ ର’ ମଧ୍ୟ ଅଡ଼ୁଆରେ ପଡ଼ିଯାଇଛି। ସାମନ୍ତ ସ୍ୱତନ୍ତ୍ର ସଚିବ ଦାୟିତ୍ୱରେ ଅଛନ୍ତି ଏବଂ କ୍ଷମତା ଦୃଷ୍ଟିରୁ ସେ ନମ୍ବର୪।

‘ମିଟ୍‌ ଏକ୍ସପୋର୍ଟର’ ମୋଇନ୍‌ କୁ୍ୟରେସି ମନି ଲଣ୍ଡରିଂ ମାମଲାରେ ସତୀଶ ସାନା ନାମକ ଜଣେ ବ୍ୟବସାୟୀଙ୍କୁ ଜେରା କରିବା ଅବସରରେ ତାଙ୍କ ବୟାନ ଭିତ୍ତିରେ ହିଁ ରାକେଶଙ୍କ ନାମ ଏଥିରେ ଯୋଡ଼ା ହୋଇଛି। ସେ କହିବା ଅନୁଯାୟୀ ରାକେଶ କୁଆଡ଼େ ତାଙ୍କୁ ୫ କୋଟିର ଲାଞ୍ଚ ମାଗିଥିଲେ। ଏପରିକି ମାଜିଷ୍ଟ୍ରେଟ୍‌ଙ୍କ ସାମ୍‌ନାରେ ସେ ସ୍ୱୀକାର ମଧ୍ୟ କରିସାରିଛନ୍ତି ଯେ, ସେ ଗତ ବର୍ଷ ଡିସେମ୍ବରରୁ ଆରମ୍ଭ କରି ୧୦ ମାସ ଯାଏ ୨ କୋଟି ଟଙ୍କା ଦେଇ ସାରିଛନ୍ତି। ଏଥିରେ ମଧ୍ୟସ୍ଥତା କରିଥିବା ସୋମେଶ ପ୍ରସାଦ ନାମକ ଜଣେ ବ୍ୟକ୍ତି ର’ ଅଧିକାରୀ ସାମନ୍ତ ଗୋଏଲଙ୍କୁ ଭଲଭାବେ ଜାଣିଥିବା ଅଭିଯୋଗ ହୋଇଥିଲା।

ସୋମେଶ ପ୍ରସାଦ ଏବଂ ତାଙ୍କ ଭାଇ ମନୋଜ ପ୍ରସାଦ ଉଭୟ ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର ଏବଂ ପୂର୍ବତନ ର’ ଅଧିକାରୀ ଦେବେଶ୍ୱର ପ୍ରସାଦଙ୍କ ପୁଅ। ବର୍ତ୍ତମାନ ମନୋଜ ପୁଲିସ୍‌ ହେପାଜତରେ ଥିବାବେଳେ ସୋମେଶ ଫେରାର ଥିବା ଜଣାଯାଇଛି। ଦିଲ୍ଲୀ ପ୍ରେସ୍‌କ୍ଲବ୍‌ଠାରେ ସତୀଶ ସାନାଙ୍କଠାରୁ ଟଙ୍କା ସଂଗ୍ରହ କରିଥିବା ସୋମେଶଙ୍କ ଶ୍ୱଶୁର ସୁନୀଲ ମିତ୍ତଲଙ୍କ ନାମ ମଧ୍ୟ ଏହି ଏଫ୍‌ଆଇଆରରେ ଅଛି। ସୋମେଶଙ୍କ ଭାଇ ମନୋଜ ପ୍ରସାଦଙ୍କ ଫେସବୁକ୍‌ ପ୍ରୋଫାଇଲ୍‌ରୁ ସ୍ପଷ୍ଟ ଜଣାପଡ଼ୁଛି ତାଙ୍କ ପହଞ୍ଚ ଏବଂ ନେଟ୍‌ୱର୍କ ବହୁତ ବଡ଼। ସେ ଯୋଗଗୁରୁ ରାମଦେବ, ଫିଲ୍ମ ମେକର ମଧୁର ଭଣ୍ଡାରକର, ବିଭିନ୍ନ କୂଟନୀତିଜ୍ଞ ଏବଂ ସରକାରୀ ଅଧିକାରୀଙ୍କ ସହିତ ଫଟୋ ଉଠାଇଥିବା ସେଥିରୁ ଜଣାପଡ଼ୁଛି।



from Odisha Reporter
ସିବିଆଇ ପରେ ର’: ତଦନ୍ତ ଘେରରେ ଶୀର୍ଷ ତଦନ୍ତକାରୀ ସଂସ୍ଥା ସିବିଆଇ ପରେ ର’: ତଦନ୍ତ ଘେରରେ ଶୀର୍ଷ ତଦନ୍ତକାରୀ ସଂସ୍ଥା Reviewed by SUBHENDU BARAL on October 23, 2018 Rating: 5

No comments:

Powered by Blogger.