ଏତେ ଲୋକଙ୍କ ଉପରେ ମାଡ଼ି ଯିବା ପରେ କାହିଁକି ଅଟକିଲାନି ଟ୍ରେନ୍‌?

train

ନୂଆଦିଲ୍ଲୀ: ଦଶହରା ଅବସରରେ ଗତକାଲି ସନ୍ଧ୍ୟାରେ ପଞ୍ଜାବର ଅମୃତସରରେ ରାବଣପୋଡ଼ି ଚାଲିଥିବା ବେଳେ ଟ୍ରେନ୍ ଧକ୍କାରେ ୬୦ ଜଣଙ୍କ ମୃତ୍ୟୁ ଘଟିଛି। ଜୋରା ଫାଟକର ଧୋବିଘାଟ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣା ନେଇ ଟ୍ରେନ୍ ଡ୍ରାଇଭରକୁ ପଚରାଉଚରା କରାଯାଇଛି। ତାଙ୍କୁ ଆଗକୁ ବଢ଼ିବାକୁ ସିଗ୍‌ନାଲ୍ ମିଳିଥିଲା ଓ ଟ୍ରାକ୍‌ରେ ଶହ ଶହ ଲୋକ ଛିଡ଼ା ହୋଇଥିବା ନେଇ ସେ ଜାଣି ନଥିଲେ ବୋଲି ଡ୍ରାଇଭର କହିଛନ୍ତି।

ଏନେଇ ଫିରୋଜପୁର ଡିଆର୍‌ଏମ୍ ବିବେକ କୁମାର କହିଛନ୍ତି ଯେ ଟ୍ରେନ୍‌ର ସ୍ପିଡ୍ କମିଥିଲା। କିନ୍ତୁ ତା’ସତ୍ତ୍ୱେ ଲୋକେ ଏହା ହାବୁଡ଼ରେ ପଡ଼ି ଯାଇଥିଲେ।

ସେ କହିଛନ୍ତି ଯେ ଯେଉଁ ସ୍ଥାନରେ ଏ ଘଟଣା ଘଟିଲା, ତା’ପୂର୍ବରୁ ଏକ ବୁଲାଣି ପଡ଼େ। ତେଣୁ ଡ୍ରାଇଭର ସେଠାରେ ଲୋକ ଛିଡ଼ା ହୋଇଥିବା ଦେଖି ପାରି ନଥିଲେ। ଟ୍ରେନ୍‌ର ଗତି ଘଣ୍ଟା ପ୍ରତି ୯୧ କିଲୋମିଟର ଥିଲା। ତଥାପି ଲୋକଙ୍କୁ ଦେଖିବା ପରେ ଡ୍ରାଇଭର ଟ୍ରେନ୍‌ର ବେଗ କମାଇବାକୁ ପ୍ରୟାସ କରିଥିଲେ। ସେ ଟ୍ରେନ୍‌ର ବେଗ ଘଣ୍ଟା ପ୍ରତି ୬୮ କିଲୋମିଟର କରିବାକୁ ସକ୍ଷମ ହୋଇଥିଲେ। ତେବେ ଦୁର୍ଘଟଣା ଘଟିଗଲା। ଏତିକି ବେଗରେ ଟ୍ରେନ୍‌ ଗତି କରୁଥିଲେ ଏହାକୁ ରୋକିବାକୁ ହେଲେ ୭୦୦ ମିଟର ଦୂରରୁ ବ୍ରେକ୍ ମାରିବାକୁ ହୁଏ।

ଡିଆର୍‌ଏମ୍ କହିଛନ୍ତି, ଲୋକଙ୍କୁ ଧକ୍କା ଦେବା ପରେ ଟ୍ରେନ୍‌ର ବେଗ ଘଣ୍ଟାପ୍ରତି ୧୦ କିଲୋମିଟରକୁ ଖସି ଯାଇଥିଲା। କିନ୍ତୁ ସେଠାରେ ଉପସ୍ଥିତ ଲୋକେ ଟ୍ରେନ୍‌ ଉପରକୁ ପଥର ମାଡ଼ କରିଥିଲେ। ଏକଥା ଗାର୍ଡ଼ ଡ୍ରାଇଭରଙ୍କୁ ଜଣାଇଥିଲେ। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସେଠାରେ ଟ୍ରେନ୍‌କୁ ଅଟକାଇବା ସେମାନେ ଉଚିତ୍ ମଣିଲେ ନାହିଁ। ତେଣୁ ଡ୍ରାଇଭର ଟ୍ରେନ୍‌ ନେଇ ଅମୃତସର ଯାଇଥିଲେ।

ପଞ୍ଜାବ ସରକାରଙ୍କ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଅଭିଯୋଗ କରିଥିଲେ ଯେ ଡ୍ରାଇଭର ହର୍ଣ୍ଣ ବଜାଇ ନଥିଲେ। ତେବେ ଏହାକୁ ଡିଆର୍‌ଏମ୍ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଟ୍ରେନ୍‌ର ହର୍ଣ୍ଣ ଠିକ୍ ଥିଲା ଓ ଡ୍ରାଇଭର ହର୍ଣ୍ଣ ବଜାଇଥିଲେ।

ସୂଚନାଯୋଗ୍ୟ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏ ଘଟଣାର ମାଜିଷ୍ଟ୍ରେଟ୍‌ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି ଯେ ଏ ଦୁର୍ଘଟଣାରେ ରେଳବାଇର କିଛି ଭୁଲ୍ ନାହିଁ।



from Odisha Reporter
ଏତେ ଲୋକଙ୍କ ଉପରେ ମାଡ଼ି ଯିବା ପରେ କାହିଁକି ଅଟକିଲାନି ଟ୍ରେନ୍‌? ଏତେ ଲୋକଙ୍କ ଉପରେ ମାଡ଼ି ଯିବା ପରେ କାହିଁକି ଅଟକିଲାନି ଟ୍ରେନ୍‌? Reviewed by SUBHENDU BARAL on October 20, 2018 Rating: 5

No comments:

Powered by Blogger.