
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଉପରେ ଅରୁଚିକର ମନ୍ତବ୍ୟ ଦେବା ପ୍ରସଙ୍ଗକୁ ନେଇ ବିବାଦରେ ଫସିଥିବା ଅଭିଜିତ ଆୟାର୍ ମିତ୍ର କ୍ଷମା ପ୍ରାର୍ଥନା କରିଛନ୍ତି। ଆଜି ବିଧାନସଭା ଗୃହ କମିଟି ଆଗରେ ଅଭିଜିତ୍ ହାଜର ହୋଇ କ୍ଷମା ମାଗିଛନ୍ତି। କଡ଼ା ସୁରକ୍ଷାରେ ସେ ଆଜି ବିଧାନସଭାକୁ ଆସି ଗୃହ କମିଟି ଆଗରେ ହାଜର ହୋଇଛନ୍ତି।
ପ୍ରଥମ ପର୍ଯ୍ୟାୟ ପଚରାଉଚରା ପରେ ତାଙ୍କ ବୟାନ ରେକର୍ଡ କରାଯାଇଥିବା ସୂଚନା ମିଳିଛି।
କିଛି ସମୟ ପରେ ଦ୍ୱିତୀୟ ପର୍ଯ୍ୟାୟ ପଚରାଉଚରା ହେବ।
ସୂଚନାଯୋଗ୍ୟ ଯେ ଅଭିଜିତ ଓଡ଼ିଶା, କୋଣାର୍କ ମନ୍ଦିର ଓ ବିଧାୟକଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିଲେ।
ଏହାକୁ ନେଇ ସାରା ରାଜ୍ୟରେ ତମ୍ବିତୋଫାନ ହୋଇଥିଲା। ଏପରିକି ଦିଲ୍ଲୀରେ ତାଙ୍କୁ ଗିରଫ କରାଯାଇଥିଲା। ପରେ ସେ ଜାମିନ ପାଇଥିଲେ।
ସୁପ୍ରିମକୋର୍ଟ କିନ୍ତୁ ଜାମିନ ଅବଧିକୁ ବୃଦ୍ଧି ନ କରିବାରୁ ବାଧ୍ୟ ହୋଇ ପୂର୍ବରୁ ଥରେ କ୍ଷମା ମାଗିଥିଲେ ଅଭିଜିତ୍।
ସେ କହିଥିଲେ, “ମୁଁ ଦେଇଥିବା ମନ୍ତବ୍ୟ ଯଦି କାହାକୁ ଆଘାତ ଦେଇଛି, ସେଥିପାଇଁ ଦୁଃଖିତ। ଭିଡିଓରେ ଦେଇଥିବା ମନ୍ତବ୍ୟର କୌଣସି ମନ୍ଦ ଉଦ୍ଦେଶ୍ୟ ନ ଥିଲା।”
ଏହାସହ ନିଜ ଟ୍ୱିଟ୍ର ଆକାଉଣ୍ଟକୁ ମନୋରଞ୍ଜନ ଓ ଥଟ୍ଟାମଜା ପାଇଁ ବ୍ୟବହାର କରିଥାନ୍ତି ବୋଲି ସେ କହିଥିଲେ।
ଗୋଟିଏ ପଟେ ଅଭିଜିତ ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇଥିବା ବେଳେ ସେପଟେ ଡିଜିପି କ୍ୟାମ୍ପ ଅଫିସରେ ଏକ ବୈଠକ ଚାଲିଛି।
ଏଥିରେ ଯୋଗ ଦେଇଛନ୍ତି ପୁରୀ ଏସ୍ପି ସାର୍ଥକ ଷଡ଼ଙ୍ଗୀ। କେଉଁ ପ୍ରସଙ୍ଗରେ ଏହି ବୈଠକ ହେଉଛି, ତାହା ଜଣାପ଼ଡ଼ି ନଥିଲେ ମଧ୍ୟ ଅଭିଜିତଙ୍କ ପ୍ରସଙ୍ଗରେ ଆଲୋଚନା ହେଉଥିବା କୁହାଯାଉଛି।
from Odisha Reporter
No comments: