ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ୟାସ ଘୋଷଣା କଲେ ଡ୍ୱେନ୍‌ ବ୍ରାଭୋ

ଦୁବାଇ: ଦେଶର କ୍ରିକେଟ୍‌ ବୋର୍ଡ ସହ ଲାଗି ରହିଥିବା ବିବାଦ ଯୋଗୁ ଶେଷରେ ୱେଷ୍ଟଇଣ୍ଡିଜ୍‌ର ପୁରୁଖା ଅଲରାଉଣ୍ଡର୍‌ ଡ୍ୱେନ୍‌ ବ୍ରାଭୋ(ଡିଜେ ବ୍ରାଭୋ) ଅପ୍ରତ୍ୟାଶିତ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କହିଛନ୍ତି। ତେବେ ଏହି ୩୫ ବର୍ଷୀୟ ଅଲରାଉଣ୍ଡର୍‌ ପୂର୍ବଭଳି ବିଶ୍ୱର ବିଭିନ୍ନ ଦେଶରେ ହେଉଥିବା ଘରୋଇ ଟି-୨୦ ମ୍ୟାଚ୍‌ରେ ନିଜର କ୍ରିକେଟ୍‌ ଖେଳ ଜାରି ରଖିବେ।

ଅର୍ଥାତ ବ୍ରାଭୋଙ୍କୁ ଏବେ କ୍ରିକେଟପ୍ରେମୀମାନେ କେବଳ ଆଇପିଏଲ୍‌ରେ ହିଁ ଦେଖିପାରିବେ।

୨୦୦୪ରେ ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିବା ବ୍ରାଭୋ ବୋର୍ଡ ସହ ବିବାଦ ଯୋଗୁ ଦୀର୍ଘ ୨ ବର୍ଷ ହେଲା ଜାତୀୟ ଦଳରୁ ଦୂରେଇ ରହିଥିଲେ। ଶେଷରେ ସେ ଅବସର ଘୋଷଣା କରିବା ଶ୍ରେୟସ୍କର ମନେ କରିଛନ୍ତି।

ଅବସର ସମ୍ପର୍କରେ ଘୋଷଣା କରି ବ୍ରାଭୋ କହିଛନ୍ତି, “ ଆଜି ସମଗ୍ର ବିଶ୍ୱକୁ ମୁଁ ବିଧିବଦ୍ଧ ଭାବେ ସମସ୍ତ ପ୍ରକାରର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରୁଛି ବୋଲି ଜଣାଇବାକୁ ଚାହୁଁଛି। ଦୀର୍ଘ ୧୪ ବର୍ଷ ତଳେ ମୁଁ ଯେତେବେଳେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପାଇଁ ଐତିହାସିକ ଲର୍ଡସ୍‌ ଗ୍ରାଉଣ୍ଡକୁ ଓହ୍ଲାଇଥିଲି, ସେକଥା ଆଜି ବି ମୋର ମନେ ଅଛି।

ପ୍ରଥମ ମ୍ୟାଚ୍‌ରେ ଯେଉଁ ଜୋସ୍‌ ନେଇ ମୁଁ ପଡ଼ିଆକୁ ଓହ୍ଲାଇଥିଲି, ମୋର ପୂରା କ୍ରିକେଟ୍‌ କ୍ୟାରିୟର୍‌ରେ ସେହି ଜୋସ୍‌ ଜାରି ରହିଥିଲା। ମୁଁ ଏବେ ପରବର୍ତ୍ତୀ ପିଢ଼ିଙ୍କ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିବା ଉଚିତ୍ ମନେ କଲି।”

୨୦୦୪ରେ ଡେବ୍ୟୁ କରିଥିବା ବ୍ରାଭୋ ୪୦ଟି ଟେଷ୍ଟ୍‌, ୧୬୪ଟି ଦିନିକିଆ ଓ ୬୬ଟି ଟି-୨୦ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ଖେଳିଛନ୍ତି। କିନ୍ତୁ ବୋର୍ଡ ସହ ବିବାଦ ଯୋଗୁ ୨ ବର୍ଷ ତଳେ ଅବୁଧାବିରେ ପାକିସ୍ତାନ ବିପକ୍ଷ ଟି-୨୦ ମ୍ୟାଚ୍‌ ପରେ ତାଙ୍କୁ ଆଉ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ରେ ଦେଖିବାକୁ ମିଳି ନଥିଲା।

ସେହିପରି ବ୍ରାଭୋ ୨୦୧୪ରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଭାରତ ବିପକ୍ଷରେ ଖେଳିଥିଲେ। ୨୦୧୦ରୁ ସେ ୱେଷ୍ଟଇଣ୍ଡିଜ୍‌ ଟେଷ୍ଟ୍‌ ଟିମ୍‌ରୁ ଦୂରେଇ ରହିଥିଲେ।

୨୦୧୪ରେ ବ୍ରାଭୋ ୱେଷ୍ଟ୍‌ଇଣ୍ଡିଜ୍‌ ଟିମ୍‌ର ଅଧିନାୟକ ଥିବା ବେଳେ ଦଳ ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଧର୍ମଶାଳା ଆସିଥିଲା। ତେବେ ସିରିଜ୍‌ ଅଧାରୁ ହିଁ ୱେଷ୍ଟଇଣ୍ଡିଜ୍‌ ବୋର୍ଡ ସହ ଖେଳାଳିମାନଙ୍କ ବିବାଦ ଉପୁଜିବାରୁ ଦଳ ସ୍ୱଦେଶ ଫେରିଯାଇଥିଲା।

୪୦ଟି ଟେଷ୍ଟ୍‌ରେ ବ୍ରାଭୋ ୨୨୦୦ ରନ୍‌ କରିଥିବା ବେଳେ ୮୬ଟି ୱିକେଟ୍‌ ନେଇଛନ୍ତି। ସେହିଭଳି ଦିନିକିଆରେ ବ୍ରାଭୋ ୨,୯୬୮ ରନ୍‌ କରି ୧୯୯ଟି ୱିକେଟ୍‌ ପାଇଛନ୍ତି। ଟି-୨୦ ଫର୍ମାଟରେ କିନ୍ତୁ ବ୍ରାଭୋଙ୍କ ଦବଦବା ଅଧିକ ଥିଲା। ସେ ୬୬ଟି ଟି-୨୦ରେ ୧୧୪୨ ରନ୍‌ କରିଥିବା ବେଳେ ୫୨ଟି ୱିକେଟ୍‌ ଦଖଲ କରିଛନ୍ତି।

ବ୍ରାଭୋ ଏକାକୀ ଅନେକ ଥର ୱେଷ୍ଟଇଣ୍ଡିଜ୍‌କୁ ଜିତାଇବାର ରେକର୍ଡ କରିଛନ୍ତି। ବୋର୍ଡ ସହ ବିବାଦ ଉପୁଜିବାରୁ ଏହି କାରିବିୟାନ୍‌ ଅଲରାଉଣ୍ଡର ଆଇପିଏଲ୍‌ ଭଳି ଘରୋଇ ଟୁର୍ଣ୍ଣାମେଣ୍ଟ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। କେବଳ ବୋଲିଂ କିମ୍ବା ବ୍ୟାଟିଂ ନୁହେଁ, ବ୍ରାଭୋ ତାଙ୍କ ଫିଲ୍ଡିଂ ପାଇଁ ମଧ୍ୟ ବେଶ ଜଣାଶୁଣା ଥିଲେ।



from Odisha Reporter
ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ୟାସ ଘୋଷଣା କଲେ ଡ୍ୱେନ୍‌ ବ୍ରାଭୋ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ୟାସ ଘୋଷଣା କଲେ ଡ୍ୱେନ୍‌ ବ୍ରାଭୋ Reviewed by SUBHENDU BARAL on October 25, 2018 Rating: 5

No comments:

Powered by Blogger.