ପ୍ରତିବର୍ଷ ୪ ଜାନୁଆରୀରେ ଆନ୍ତର୍ଜାତୀୟ ସ୍ତରରେ ‘ବିଶ୍ୱ ବ୍ରେଲି ଦିବସ’ ପାଳନ କରାଯାଏ। ନେତ୍ରହୀନ ଲୋକଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ, କାରଣ ଏହି ଦିନ ସେମାନଙ୍କ ଜୀବନରେ ଆଲୋକ ଆଣିଥିବା ଲୁଇସ୍ ବ୍ରେଲି ଜନ୍ମ ହୋଇଥିଲେ। ଲୁଇସ୍ ବ୍ରେଲି ହିଁ ବ୍ରେଲି ସ୍କ୍ରିପ୍ଟକୁ ଜନ୍ମ ଦେଇଥିଲେ, ଯେଉଁ କାରଣରୁ ଆଜି ମଧ୍ୟ ନେତ୍ରହୀନ ଲୋକମାନେ ପଢିପାରୁଛନ୍ତି, ଲେଖିପାରୁଛନ୍ତି ଏବଂ ଆଗକୁ ଯାଇପାରୁଛନ୍ତି।
ଇତିହାସ:
ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା ୬ ନଭେମ୍ବର ୨୦୧୮ରେ ଏକ ପ୍ରସ୍ତାବ ପାରିତ ହୋଇଥିଲା ଯେଉଁଥିରେ ପ୍ରତିବର୍ଷ ୪ ଜାନୁଆରୀ, ବ୍ରେଲି ସ୍କ୍ରିପ୍ଟର ଜନକ ଲୁଇସ୍ ବ୍ରେଲିଙ୍କ ଜନ୍ମଦିନକୁ 'ବିଶ୍ୱ ବ୍ରେଲି ଦିବସ' ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହା ପରେ ୪ ଜାନୁଆରୀ ୨୦୧୯ରେ ପ୍ରଥମ ଥର ପାଇଁ ‘ବିଶ୍ୱ ବ୍ରେଲି ଦିବସ’ ପାଳନ କରାଯାଇଥିଲା।
ମିଳିତ ଜାତିସଂଘର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱର ପ୍ରାୟ ୩ କୋଟି ୯୦ ଲକ୍ଷ ଲୋକ ନେତ୍ରହୀନ ହୋଇଥିବାବେଳେ ପ୍ରାୟ ୨୫ କୋଟି ୩ ଲକ୍ଷ ଚକ୍ଷୁ ଜନିତ ବିଭିନ୍ନ ସମସ୍ୟାରେ ପୀଡିତ। ଏପରି ଲୋକଙ୍କ ପାଇଁ ବ୍ରେଲି ସ୍କ୍ରିପ୍ଟ ବହୁତ ସାହାଯ୍ୟକାରୀ ହେବ।
ଲୁଇସ୍ ବ୍ରେଲି କିଏ:
ବ୍ରେଲି ସ୍କ୍ରିପ୍ଟର ଜନକ ଲୁଇସ୍ ବ୍ରେଲି, ୦୪ ଜାନୁଆରୀ ୧୮୦୯ରେ ଫ୍ରାନ୍ସର କୁପ୍ରେରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନରେ ଏକ ଦୁର୍ଘଟଣା ହେତୁ ଲୁଇସ୍ ବ୍ରେଲି ଆଖି ହରାଇଥିଲେ। ସେହି ସମୟରେ ଗୋଟିଏ ଛୁରୀ ତାଙ୍କ ଆଖିରେ ବାଜିଥିଲା।
ତେବେ ଠିକ ସମୟରେ ଚିକିତ୍ସା ନ ହେବା ହେତୁ ଧୀରେ ଧୀରେ ତାଙ୍କର ଅନ୍ୟ ଆଖି ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା। ଯାହା ପରେ ଲୁଇସ୍ ବ୍ରେଲି ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। କିନ୍ତୁ ସେ କେବେ ବି ହାର ମାନି ନାହାନ୍ତି। ତାଙ୍କ ଭଳି ଲୋକଙ୍କ ସମସ୍ୟାକୁ ସେ ବୁଝି ମାତ୍ର ୧୫ ବର୍ଷ ବୟସରେ ବ୍ରେଲି ସ୍କ୍ରିପ୍ଟ ଉଦ୍ଭାବନ କରିଥିଲେ, ଯାହା ଆଜି ନେତ୍ରହୀନମାନଙ୍କ ପାଇଁ ଏକ ବଡ଼ ବରଦାନ।
ବ୍ରେଲି ସ୍କ୍ରିପ୍ଟ କ’ଣ:
ବ୍ରେଲି ସ୍କ୍ରିପ୍ଟ ହେଉଛି ଏପରି ଏକ ଲିପି ଯାହା ଦୃଷ୍ଟିହୀନ ଲୋକଙ୍କୁ ଶିକ୍ଷା ଦେବା ପାଇଁ ସହଯୋଗ ହୋଇଥାଏ। ଏହି ଲିପିକୁ ବ୍ୟବହାର କରି ନେତ୍ରହୀନ ଲୋକମାନେ ସ୍ପର୍ଶ ମାଧ୍ୟମରେ ପଢିବା ସହ ଲେଖିପାରନ୍ତି। ଏହି ସ୍କ୍ରିପ୍ଟରେ, ଦୃଷ୍ଟିହୀନ ଲୋକଙ୍କୁ କାଗଜରେ ଉଚ୍ଚାଳିଆ ବିନ୍ଦୁକୁ ସ୍ପର୍ଶ କରିବା ମାଧ୍ୟମରେ ଶିକ୍ଷା ଦିଆଯାଏ। ପଢିବା ବ୍ୟତୀତ ଏହି ସ୍କ୍ରିପ୍ଟ ବ୍ୟବହାର କରି ବହି ମଧ୍ୟ ଲେଖାଯାଇପାରିବ। ଯେପରି ଟାଇପ୍ ରାଇଟର୍ ମାଧ୍ୟମରେ ବହିଗୁଡ଼ିକ ଲେଖାଯାଏ, ସେହିଭଳି ବ୍ରେଲି ସ୍କ୍ରିପ୍ଟରେ ଲେଖିବା ପାଇଁ ବ୍ରେଲି ରାଇଟର୍ ବ୍ୟବହୃତ ହୁଏ।
from Latest Odisha News, Breaking News Today | Top Updates on Corona - OTV News https://ift.tt/kBlLPsI
No comments: