Makar Sankranti 2024: ମକର ସଂକ୍ରାନ୍ତିରେ କାହିଁକି ଉଡାଯାଏ ଗୁଡି; ଜାଣନ୍ତୁ ଏହା ପଛରେ ଥିବା ବିଜ୍ଞାନ Pramod Behera
ଚଳିତ ବର୍ଷ ଆଜି ଅର୍ଥାତ ଜାନୁୟାରୀ ୧୫ରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କଲେ। ଏନେଇ ଆଜି ଦିନଟିକୁ ସାରା ଭାରତରେ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଏ। ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଯିବା ପ୍ରକ୍ରିୟାକୁ ସଂକ୍ରାନ୍ତି କୁହାଯାଏ।
ପୌଷ ମାସରେ, ଯେତେବେଳେ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିରେ ପ୍ରବେଶ କରନ୍ତି, ସେତେବେଳେ ଏହି ଦିନକୁ ଦେଶର ବିଭିନ୍ନ ପ୍ରଦେଶରେ ଭିନ୍ନ ଭିନ୍ନ ଉତ୍ସବ ଭାବେ ପାଳନ କରାଯାଏ। ଏହିଦିନ ପ୍ରାୟ ସ୍ଥାନରେ ସୂର୍ଯ୍ୟଙ୍କୁ ପୂଜା କରାଯାଏ।
ମକର ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆଫସଲ ଅମଳ ହୋଇଥାଏ। ତେଣୁ ସେଦିନ ନୂଆ ଧାନରୁ ପ୍ରସ୍ତୁତ ଅପକ୍ୱ ଅରୁଆ ଚାଉଳ, ନୂଆଗୁଡ଼, ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଇତ୍ୟାଦି ଗୋଳିଆ ଗୋଟିଏ ସୁମିଷ୍ଟ ଭୋଗ ପ୍ରସ୍ତୁତ ହୋଇ ଗୃହଦେବତାଙ୍କୁ ଓ ଧାନଖଳାରେ ଭୋଗ ଲଗାଯାଏ।
ଏହି ଭୋଗକୁ ‘ମକର ଚାଉଳ’ ବୋଲି କୁହାଯାଏ। ଏହି ଭୋଗ ପରସ୍ପରଙ୍କୁ ଖିଆଖିଇ ହୋଇ ଲୋକେ 'ମକର' ବସନ୍ତି। କେତେକ ଅଞ୍ଚଳରେ ନୂଆଧାନର ଚାଉଳରେ ପ୍ରସ୍ତୁତ ପୋଡ଼ପିଠା ସହିତ ଗୁଡ, କଦଳୀ, ନଡ଼ିଆ ଓ ଅରୁଆ ଚାଉଳରେ ଭୋଗ କରାଯାଇ ଦେବାଦେବୀଙ୍କ ପାଖରେ ଦିଆଯାଏ। ସୂର୍ଯ୍ୟଙ୍କ ଯୋଗୁଁ କୃଷିକ୍ଷେତରେ ଶସ୍ୟ ଉତ୍ପନ ହେଉଥିବାରୁ କୃଷକମାନେ ମକର ସଂକ୍ରାନ୍ତିର ପୂଣ୍ୟକାଳରେ ସୂର୍ଯ୍ୟଙ୍କୁ ନୂତନ ଶସ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିଥା'ନ୍ତି।
ମକର ସଂକ୍ରାନ୍ତି ହିନ୍ଦୁ ଧର୍ମରେ ଏପରି ଏକ ପର୍ବ, ଯାହାର ଉଭ୍ୟ ଧାର୍ମିକ ସହିତ ବୈଜ୍ଞାନିକ ମହତ୍ତ୍ୱ ମଧ୍ୟ ରହିଛି। ଆସନ୍ତୁ ସେ ବିଷୟରେ ଜାଣିବା।
ମକର ସଂକ୍ରାନ୍ତିର ଧାର୍ମିକ ମହତ୍ତ୍ୱ:
ଦାନର ଫଳ:
ପୁରାଣରେ ମକର ସଂକ୍ରାନ୍ତିଙ୍କୁ ଦେବତାମାନଙ୍କର ଦିନ ବୋଲି ବର୍ଣ୍ଣନା କରାଯାଇଛି। ବିଶ୍ୱାସ କରାଯାଏ ଯେ ଏହି ଦିନ ଦିଆଯାଇଥିବା ଦାନ ଶହେ ଗୁଣ ହୋଇ ନିଜକୁ ପ୍ରାପ୍ତ ହୁଏ।
ମାଙ୍ଗଳିକ କାମ ଆରମ୍ଭ:
ମକର ସଂକ୍ରାନ୍ତିଠାରୁ ଭଲ ଦିନ ଆରମ୍ଭ ହୁଏ, କାରଣ ଏହି ଦିନ ମଳମାସ ଶେଷ ହୁଏ। ଏହା ପରେ ବିବାହ, ମୁଣ୍ଡନ, ପବିତ୍ର ସୂତ୍ର ସମାରୋହ ଇତ୍ୟାଦି ସମସ୍ତ ଶୁଭ କାମ ଆରମ୍ଭ ହୁଏ।
ସ୍ୱର୍ଗର ଦ୍ୱାର ଖୋଲେ:
ଧାର୍ମିକ ବିଶ୍ୱାସ ଅନୁସାରେ ମକର ସଂକ୍ରାନ୍ତି ଦିନ ସ୍ୱର୍ଗର ଦ୍ୱାର ଖୋଲିଯାଏ। ଏହି ଦିନ ପୂଜା, ପାଠ, ଦାନ ଏବଂ ପବିତ୍ର ନଦୀରେ ସ୍ନାନ କଲେ ମୋକ୍ଷ ପ୍ରାପ୍ତ ହୁଏ। କିମ୍ବଦନ୍ତୀ ଅନୁଯାୟୀ, ଭୀଷ୍ମ ପିତାମହଙ୍କୁ ଇଛା ମୃତ୍ୟୁର ବରଦାନ ପ୍ରାପ୍ତ ହୋଇଥିଲା। କିନ୍ତୁ ସୂର୍ଯ୍ୟଙ୍କ ଦକ୍ଷିଣାୟନ କାରଣରୁ ସେ ସରଶଯ୍ୟାରେ ରହି ଉତ୍ତରାୟଣ ସୂର୍ଯ୍ୟଙ୍କୁ ଅପେକ୍ଷା କରିଥିଲେ। ମକର ସଂକ୍ରାନ୍ତିରେ ସୂର୍ଯ୍ୟଙ୍କ ଉତ୍ତରାୟନ ଦିନ ସେ ନିହ ଦେହତ୍ୟାଗ କରିଥିଲେ। ଏହାପରେ ସେ ଜନ୍ମ ଓ ମୃତ୍ୟୁର ବନ୍ଧନରୁ ମୁକ୍ତ ହୋଇଥିଲେ ଓ ସ୍ୱର୍ଗ ପ୍ରାପ୍ତ ହୋଇଥିଲେ।
ଗଙ୍ଗାଙ୍କ ପୃଥିବୀ ଆଗମନ:
ପୌରାଣିକ କାହାଣୀ ଅନୁଯାୟୀ ମକର ସଂକ୍ରାନ୍ତି ଦିନ ମାତା ଗଙ୍ଗା ପୃଥିବୀକୁ ଆସିଥିଲେ। ଗଙ୍ଗା ଜଳ ମାଧ୍ୟମରେ ହିଁ ରାଜା ଭାଗୀରଥଙ୍କ ୬୦,୦୦୦ ପୁତ୍ର ମୋକ୍ଷ ପାଇଥିଲେ। ଏହା ପରେ ମା ଗଙ୍ଗା କପିଲ ମୁନିଙ୍କ ଆଶ୍ରମ ବାହାରେ ଯାଇ ସମୁଦ୍ରରେ ମିଶିଥିଲେ।
ମକର ସଂକ୍ରାନ୍ତିର ବୈଜ୍ଞାନିକ ମହତ୍ତ୍ୱ:
କାହିଁକି ଖାଆନ୍ତି ରାଶି-ଗୁଡ:
ସୂର୍ଯ୍ୟଙ୍କ ଉତ୍ତରାୟଣ ହେବା ପରେ ପ୍ରକୃତିର ପରିବର୍ତ୍ତନ ଆରମ୍ଭ ହୁଏ। ଏଇଠୁ ସୂର୍ଯ୍ୟର କିରଣ ସିଧାସଳଖ ପୃଥିବୀ ଉପରେ ପଡିବା ଆରମ୍ଭ ହୁଏ। ଶୀତର ପ୍ରକୋପରେ ଅତିଷ୍ଠ ଲୋକମାନେ ସୂର୍ଯ୍ୟଙ୍କ ଉଜ୍ଜ୍ୱଳ କିରଣ ପାଇ ଶୀତରୁ ଆରାମ ପାଇବା ଆରମ୍ଭ କରନ୍ତି। ତଥାପି ମକର ସଂକ୍ରାନ୍ତିରେ ପ୍ରବଳ ଥଣ୍ଡା ହୋଇଥାଏ। ଏପରି ପରିସ୍ଥିତିରେ ଶରୀରକୁ ଉତ୍ତାପ ଯୋଗାଉଥିବା ଖାଦ୍ୟ ପଦାର୍ଥ ଖିଆଯାଏ। ଏହି କାରଣରୁ ମକର ସଂକ୍ରାନ୍ତିରେ ଲୋକେ ରାଶି, ଗୁଡ ଓ ଖେଚେଡି ଆଦି ଖାଆନ୍ତି।
ଦିନ ବଡ ହୋଇଯାଏ:
ଉଭୟ ପୁରାଣ ଏବଂ ବିଜ୍ଞାନରେ ମକର ସଂକ୍ରାନ୍ତି ଅର୍ଥାତ୍ ସୂର୍ଯ୍ୟଙ୍କ ଉତ୍ତରାୟଣ ସ୍ଥିତିର ଅଧିକ ଗୁରୁତ୍ୱ ରହିଛି। ସୂର୍ଯ୍ୟଙ୍କ ଉତ୍ତରାୟଣ ସହିତ ରାତି ଛୋଟ ହୋଇଯାଏ ଏବଂ ଦିନ ବଡ ହୋଇଯାଏ। କୁହାଯାଏ ଯେ ଉତ୍ତରାୟଣରେ ମନୁଷ୍ୟ ପ୍ରଗତି ଆଡ଼କୁ ଗତି କରେ। ଅନ୍ଧକାର କମ ହେବା ଏବଂ ଆଲୋକର ବୃଦ୍ଧି ହେବା କାରଣରୁ ମାନବ ଶକ୍ତି ବୃଦ୍ଧି ହୋଇଥାଏ।
କାହିଁକି ଉଡାଯାଏ ଗୁଡି:
ମକର ସଂକ୍ରାନ୍ତିରେ ଗୁଡି ଉଡେଇବାର ପରମ୍ପରା ମଧ୍ୟ ବିଜ୍ଞାନ ସହିତ ଜଡିତ। ସୂର୍ଯ୍ୟଙ୍କ ଉତ୍ତରାୟଣ କାରଣରୁ ପୃଥିବୀପୃଷ୍ଠକୁ ଯେଉଁ କିରଣ ଆସେ ତାହା ଶରୀର ପାଇଁ ଅତ୍ୟନ୍ତ ଉପକାର। ଏହା ଶରୀରକୁ ସୁସ୍ଥ ରଖିବା ସହିତ ଚର୍ମ ଏବଂ ହାଡ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହି କାରଣରୁ ଗୁଡି ଉଡେଇବା ଦ୍ୱାରା ଆମେ ସୂର୍ଯ୍ୟ କିରଣରେ କିଛି ସମୟ ବିତାଇଥାଉ, ଯାହା ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରେ। ଏହି ସମୟରେ ଆମେ ପ୍ରାୟ ମୁହଁକୁ ଉପରକୁ ରଖୁ। ଫଳରେ ସୂର୍ଯ୍ୟ କିରଣ ମୁହଁରେ ପଡିବାରୁ ମୁଖ ସମ୍ବନ୍ଧୀୟ ରୋଗ ଦୂର ହୁଏ।
from Latest Odisha News, Breaking News Today | Top Updates on Corona - OTV News https://ift.tt/lPsL9kH
No comments: