ଶୀତର ପ୍ରକୋପ କମିବା ସମ୍ଭାବନା, ଅଧିକାଂଶ ଅଞ୍ଚଳରେ ଘନ କୁହୁଡି Swadesi Megha Mallhar Prusty

ସାରା ରାଜ୍ୟରେ ଅସହ୍ୟ ଜାଡ । ପାରଦ ତଳକୁ ତଳକୁ ଖସୁଛି । ଥଣ୍ଡାରେ ଥରୁଛନ୍ତି ସମସ୍ତେ । ତେବେ ରାଜ୍ୟ ମଧ୍ୟକୁ ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ଦୁର୍ବଳ ଏବଂ ଆକାଶ ନିର୍ମଳ ଥିବାରୁ ଆଜିଠୁ ଶୀତର ପ୍ରକୋପ ସାମାନ୍ୟ କମିବା ସମ୍ଭାବନା ରହିଛି ।

ଏଥିସହ ୨୫ ତାରିଖ ଯାଏଁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଘନ କୁହୁଡି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ୍ ରହିବା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ବାୟୁମଣ୍ଡଳରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବାକୁ ଥିବାରୁ ୨୩ ଏବଂ ୨୪ ତାରିଖରେ ପ୍ରବଳ କୁହୁଡ଼ି ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଉପକୂଳ ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ କୁହୁଡ଼ିର ମାତ୍ରା ଅଧିକ ରହିବ । ୨୩ ତାରିଖରେ ୧୦ ଜିଲ୍ଲା ଏବଂ ୨୪ ତାରିଖରେ ୧୮ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅନ୍ୟପଟେ ଗତ କିଛି ଦିନ ଧରି ରାଜ୍ୟରେ ହାଡ଼ଭଙ୍ଗା ଜାଡ଼ ଜାରି ରହିଛି । କଲବଲ କରୁଛି କାଲୁଆ ପବନ । କେନ୍ଦୁଝରରୁ କନ୍ଧମାଳ, ସୁନ୍ଦରଗଡ଼ଠୁ ଭୁବନେଶ୍ୱର, ହାଡ଼ଭଙ୍ଗା ଶୀତରେ ଥରୁଛନ୍ତି ରାଜ୍ୟବାସୀ । ସକାଳ ହେଉ କି ରାତି ବିନା ଶୀତବସ୍ତ୍ରରେ ଘରୁ ପଦାକୁ ବାହରିବା ମୁସ୍କିଲ ହୋଇ ଯାଉଛି ।

ସପ୍ତାହେ ହେଲା ଅଧିକାଂଶ ଅଞ୍ଚଳରେ ରାତି ପାରଦ ୧୫ ଡିଗ୍ରୀ ତଳକୁ ଚାଲିଯାଉଛି । ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଜି. ଉଦୟଗିରିରେ ପାରଦ ସର୍ବନିମ୍ନ ୪ ଡିଗ୍ରୀକୁ ଖସିଛି । ସିମିଳିଗୁଡାରେ ୫.୭ , ଫୁଲବାଣୀ ୬.୫, କିରେଇ ୬.୬, କୋରାପୁଟ ୭.୬, ଅନୁଗୁଳ ୮ ଡିଗ୍ରୀ ସମେତ ୧୬ ସ୍ଥାନର ସର୍ବନିମ୍ନ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ।

ଟ୍ୱିନସିଟିରେ ମଧ୍ୟ ସମାନ ଅବସ୍ଥା । ଗତ ୪ ଦିନ ହେଲା ଦୁଇ ମହାନଗରର ତାପମାତ୍ରା ଚଳିତ ବର୍ଷର ସର୍ବନିମ୍ନ ରେକର୍ଡ ହୋଇଛି । ୨୪ ଘଣ୍ଟାରେ ଭୁବନେଶ୍ୱରର ସର୍ବନିମ୍ନ ରାତି ତାପମାତ୍ରା ୧୨.୪ ଡିଗ୍ରୀ ଓ କଟକରେ ୧୨.୮ ଡିଗ୍ରୀ ରହିଛି । ଗତ ୫ ବର୍ଷର ତଥ୍ୟକୁ ନଜର ପକାଇଲେ ୨୦୧୮ରେ ଭୁବନେଶ୍ୱର ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି ୨୦୧୯ରେ ୯.୮ ଡିଗ୍ରୀ, ୨୦୨୦ରେ ୧୧.୭, ୨୦୨୧ରେ ୧୦ ଡିଗ୍ରୀ ଓ ୨୦୨୨ରେ ସର୍ବନିମ୍ନ ତାପମାତ୍ରା ୧୨.୨ ଡିଗ୍ରୀ ରହିଥିଲା ।



from Latest Odisha News, Breaking News Today | Top Updates on Corona - OTV News https://ift.tt/07sTAEq
ଶୀତର ପ୍ରକୋପ କମିବା ସମ୍ଭାବନା, ଅଧିକାଂଶ ଅଞ୍ଚଳରେ ଘନ କୁହୁଡି Swadesi Megha Mallhar Prusty ଶୀତର ପ୍ରକୋପ କମିବା ସମ୍ଭାବନା, ଅଧିକାଂଶ ଅଞ୍ଚଳରେ ଘନ କୁହୁଡି Swadesi Megha Mallhar Prusty Reviewed by SUBHENDU BARAL on December 22, 2023 Rating: 5

No comments:

Powered by Blogger.