ଜମୁଛି କଟକ ଐତିହାସିକ ବାଲିଯାତ୍ରା । ବାଲିଯାତ୍ରାରେ କିଣାକିଣି ସାଙ୍ଗକୁ ବୁଲାବୁଲି ସହ ଚଟପଟି ଖାଦ୍ୟର ମଜା ନେଉଛନ୍ତି ଦର୍ଶକ। ତେବେ ବାଲିଯାତ୍ରାରେ ଫେଲ ମୋବାଇଲ ନେଟୱର୍କ। ଇଣ୍ଟରନେଟ ତ ଦୂରର କଥା ମୋବାଇଲ ଫୋନରେ କଥା ମଧ୍ୟ ସମ୍ଭବ ହୋଇପାରୁନି। ଫଳରେ ଦର୍ଶକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସେପଟେ ବାଲିଯାତ୍ରା ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା କାରଣରୁ ସାଙ୍ଗରେ ପଇସା ନ ଆଣି ଅନଲାଇନ୍ ପେମେଣ୍ଟ କରିବାକୁ କମିଶନରେଟ୍ ପୋଲିସ୍ ଲୋକଙ୍କୁ ସଚେତନ କରୁଥିବା ବେଳେ ଫୋନ୍ ନେଟୱର୍କ ଚାଲୁ ନଥିବାରୁ ଚିନ୍ତାରେ ଲୋକେ । ବାଲିଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାବେଶ ହେଉଥିବା ବେଳେ ପର୍ଯ୍ୟାପ୍ତ ପରିମାଣରେ ମୋବାଇଲ୍ ଟାଓ୍ୱାର ନଥିବାରୁ କାମକରୁନି ମୋବାଇଲ୍।
ୟୁପିଆଇ ପେମେଣ୍ଟ ପାଇଁ ସ୍କାନର ମେସିନ୍ ତ ଅଛି ହେଲେ କାମ କରୁନି। ଲୋକେ ମୋବାଇଲ୍ ପେମେଣ୍ଟ ଭରସାରେ କମ ଟଙ୍କା ସାଙ୍ଗରେ ଧରି ଆସୁଥିବାରୁ ଫେରିବାକୁ ବାଧ୍ୟ ହେଉଛନ୍ତି। ସେହିପରି ମୋବାଇଲ୍ ଫୋନ୍ ରେ କଥା ହୋଇପାରୂନଥିବାରୁ ବହୁ ଦର୍ଶକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ସେପଟେ ବାଲିଯାତ୍ରାରେ ଦିନ ଗଡ଼ିବା ସହ ମେଳାରେ ବଢ଼ି ବଢ଼ି ଚାଲିଥାଏ ଭିଡ । ପ୍ରତିବର୍ଷ ବାଲିଯାତ୍ରାରେ କିଛି ନୂଆ କରିବା ପାଇଁ ଅଣ୍ଟା ଭିଡ଼ିଥାଏ ଜିଲ୍ଲା ପ୍ରଶାସନ । ପୂର୍ବଥର କଟକ-ଇନ୍-କଟକରେ ଦର୍ଶକଙ୍କ ବେଶ୍ ଭିଡ଼ ଜମିଥିଲା । ଏବର୍ଷ ସେଥିରେ ଗ୍ରାମ୍ୟ ବାତାବରଣର ଛୁଙ୍କ ଦେଇଛି ଜିଲ୍ଲା ପ୍ରଶାସନ । ପ୍ରତିବର୍ଷ ଭଳି ଏବର୍ଷ ବି ପ୍ରମୁଖ ଆକର୍ଷଣ ପାଲଟିଛି ଓଡ଼ିଶାର ପାରମ୍ପରିକ ପିଠାର ସ୍ୱତନ୍ତ୍ର ଷ୍ଟଲ୍ । ଆଉ ଏସବୁ ପିଠାକୁ ପ୍ରସ୍ତୁତ କରିଛନ୍ତି ମିଶନ ଶକ୍ତିର ମହିଳା ମାନେ ।
କଟକରେ ଥିବା ମା ମହାଲକ୍ଷ୍ମୀ ମହିଳା ମିଶନ ଶକ୍ତିର ପ୍ରାୟ ୯୦ ଜଣ ମହିଳା ଓଡ଼ିଆଣୀ ଘରର ସେହି ପାରମ୍ପରିକ ପିଠା କାକରା ଠାରୁ ଆରମ୍ଭ କରି ଆରିସା, ମଣ୍ଡା,ଚକୁଳି ଆହୁରି କେତେ କଣ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ପ୍ରାୟ ୧୪୨ରୁ ଉର୍ଦ୍ଧ ପ୍ରକାରର ଏସବୁ ପିଠାର ମଜା ନେଉଛନ୍ତି ଦର୍ଶକ ।
ପ୍ରତିଦିନ ମେଳା ବୁଲିବାକୁ ଆସୁଛନ୍ତି ଲକ୍ଷାଧିକ ଲୋକ । ଚଳିତବର୍ଷ ବାଲିଯାତ୍ରା ପଡିଆରେ ଲୋକଙ୍କୁ ମିଳିଛି ଏକ ନିଆରା ଅନୁଭୂତି । ପ୍ରଥମଥର ପାଇଁ ତିଆରି ହୋଇଛି ଅଣ୍ଡର ୱାଟର୍ ଟନେଲ ଆକ୍ୱାରିୟମ । ଯେଉଁଠି ଦର୍ଶକ ସମୁଦ୍ର ଭିତରେ ଚାଲି ଚାଲି ଯିବାର ଅନୁଭବ ସହ ଅସଂଖ୍ୟ ମାଛ ଦେଖିବାର ମଜା ଉଠାଇପାରିବେ ।
from Latest Odisha News, Breaking News Today | Top Updates on Corona - OTV News https://ift.tt/CeBS6QL
No comments: