
କନକ ବ୍ୟୁରୋ: ୧୯୭୦ ଦଶକର ଶେଷ ଭାଗରୁ ୧୯୮୦ ଦଶକର ପ୍ରାରମ୍ଭ ମଧ୍ୟରେ ଉତ୍ତରପ୍ରଦେଶର ଲୋଖାରୀସ୍ଥିତ ଏକ ମନ୍ଦିରରୁ ଚୋରି ହୋଇଥିବା ଅଷ୍ଟମ ଶତାବ୍ଦୀର ଦୁଇଟି ମନ୍ଦିର ମୂର୍ତ୍ତି ଯୋଗିନୀ ଚାମୁଣ୍ଡା ଏବଂ ଯୋଗିନୀ ଗୋମୁଖୀ ଏବେ ଭାରତ ଫେରିବ। ଏହାକୁ ଫେରାଇ ଆଣିବା ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ବୁଧବାର ଲଣ୍ଡନରେ ଏକ ସମାରୋହରେ ଅଧ୍ୟକ୍ଷତା କରିଥିଲେ। ଲଣ୍ଡନସ୍ଥିତ ଭାରତର ବାଣିଜ୍ୟ ଦୂତାବାସ, ଇଣ୍ଡିଆ ପ୍ରାଇଡ୍ ପ୍ରୋଜେକ୍ଟ ଓ ଆର୍ଟ ରିକଭରି ଇଣ୍ଟରନ୍ୟାସନାଲର ମିଳିତ ଉଦ୍ୟମ ଯୋଗୁ ଉକ୍ତ ମୂର୍ତ୍ତି ଫେରସ୍ତ କାର୍ୟ୍ୟ ସମ୍ଭବ ହୋଇପାରିଛି।
ପାଞ୍ଚ ଦିନିଆ ବ୍ରିଟେନ ଗସ୍ତର ଶେଷ ଦିନରେ ଇଣ୍ଡିଆ ହାଉସରେ ଆୟୋଜିତ ଏକ ସମାରୋହରେ ଜୟଶଙ୍କର ମୂର୍ତ୍ତିଗୁଡ଼ିକୁ ଉନ୍ମୋଚନ କରିବା ସହ ଏଗୁଡ଼ିକ ଭାରତକୁ ଅତି ଶୀଘ୍ର ଫେରିବ ବୋଲି ଆଶା ବ୍ୟକ୍ତ କରିଥିଲେ। ସାଂସ୍କୃତିକ ଆଦାନପ୍ରଦାନ ଯେପରି ଆଇନଗତ, ସ୍ୱଚ୍ଛ ଏବଂ ପ୍ରତିଷ୍ଠିତ ନିୟମାବଳୀ ଅନୁଯାୟୀ ସମ୍ପନ୍ନ ହୁଏ ତାହା ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ‘ଯୋଗିନୀ’ ଶବ୍ଦଟି ଯୋଗ କଳାର ନାରୀ ଗୁରୁମାନଙ୍କ ସହିତ ସମ୍ବନ୍ଧିତ। ଲୋଖାରୀ ଭଳି ଯୋଗିନୀ ମନ୍ଦିରରେ ୬୪ ଜଣ ଦିବ୍ୟ ଯୋଗିନୀଙ୍କୁ ଦେବୀ ଭାବରେ ପୂଜା କରାଯାଏ। ଲୋଖାରୀ ମନ୍ଦିରରେ ପ୍ରଥମେ ୨୦ଟି ଯୋଗିନୀ ମୂର୍ତ୍ତି ଥିଲା, ଯେଉଁଥିରେ ପଶୁ ମୁଣ୍ଡ ଥିବା ସୁନ୍ଦରୀ ମହିଳାମାନଙ୍କୁ ଚିତ୍ରିତ କରାଯାଇଥିଲା।
୧୯୭୦ ଦଶକରେ ଏହି ମୂର୍ତ୍ତି ରାଜସ୍ଥାନ ଓ ମହାରାଷ୍ଟ୍ରରୁ ସୁଇଜରଲାଣ୍ଡ ଦେଇ ୟୁରୋପକୁ ଚୋରା ସାମଗ୍ରୀ ଚାଲାଣ କରୁଥିବା କିଛି ଲୁଟେରାଙ୍କ ଶିକାର ହୋଇଥିଲା। ଚୋରମାନେ କେତେ ମୂର୍ତ୍ତି ଚୋରି କରିଥିଲେ ଜଣାନାହିଁ। ସେଥିରୁ କିଛି ଭାଙ୍ଗି ଯାଇଥିଲା ଏବଂ ଅବଶିଷ୍ଟ କ୍ଷତିଗ୍ରସ୍ତ ମୂର୍ତ୍ତିଗୁଡ଼ିକୁ ଗୁପ୍ତଭାବରେ ସ୍ଥାନାନ୍ତର କରି ସ୍ଥାନୀୟ ଗ୍ରାମବାସୀ ଲୁଚାଇ ରଖିଥିଲେ। ଲଣ୍ଡନସ୍ଥିତ ଭାରତୀୟ ହାଇକମିସନ୍ର ବାଣିଜ୍ୟ ଓ ଅର୍ଥନୀତିର ପ୍ରଥମ ସଚିବ ଜସପ୍ରୀତ ସିଂହ ସୁଖିଜା ଭାରତର ହଜିଯାଇଥିବା କଳାକୃତିର ପୁନରୁଦ୍ଧାର ପାଇଁ ସମର୍ପିତ ଅନୁଷ୍ଠାନ ଇଣ୍ଡିଆ ପ୍ରାଇଡ୍ ପ୍ରୋଜେକ୍ଟ ସହିତ ପୁନରୁଦ୍ଧାର ପ୍ରକ୍ରିୟାରେ ସକ୍ରିୟ ଭାବେ ନିୟୋଜିତ ଅଛନ୍ତି। ବ୍ରିଟେନରେ ଅବସ୍ଥାପିତ ଭାରତୀୟ ହାଇକମିସନର ବିକ୍ରମ ଦୋରାଇସ୍ୱାମୀ ଏଭଳି ଅବସରରେ ଐତିହ୍ୟକୁ ଏହାର ପ୍ରକୃତ ଉତ୍ପତ୍ତି ସ୍ଥାନକୁ ଫେରାଇ ଆଣିବା ପାଇଁ ଗ୍ରହଣୀୟ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ଖୋଜିବା ଉପରେ ଗୁରୁତ୍ୱାରୋପ କରିଥିଲେ।
The post ଭାରତ ଫେରିବ ଯୋଗିନୀ ଚାମୁଣ୍ଡା ଓ ଗୋମୁଖୀଙ୍କ ଚୋରି ପଥର ମୂର୍ତ୍ତି first appeared on Kanak News.
from Kanak News https://ift.tt/i8aCcx5 https://ift.tt/xhiEXbr
No comments: