ଅବତରଣ ପରେ ଲ୍ୟାଣ୍ଡର ବିକ୍ରମ, ରୋଭର ପ୍ରଜ୍ଞାନ ବାହାରିବା ପ୍ରକ୍ରିୟା ଜାରି : ଓହ୍ଲାଇବା ପରେ ଚନ୍ଦ୍ରପୃଷ୍ଠରୁ କରିବ ତଥ୍ୟ ସଂଗ୍ରହ, ଖୋଜିବ ଖଣିଜ ପଦାର୍ଥ Kanak News
କନକ ବ୍ୟୁରୋ : ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ, ଜାରି ରହିଛି ଲ୍ୟାଣ୍ଡର ବିକ୍ରମରୁ ରୋଭର ପ୍ରଜ୍ଞାନ ବାହାରିବାର ପ୍ରକ୍ରିୟା । ଚନ୍ଦ୍ରପୃଷ୍ଠର ଧୂଳିକଣା ବସିବା ପରେ ଧିରେ ଧିରେ ବିକ୍ରମରୁ ଓହ୍ଲାଉଛି ରୋଭର ପ୍ରଜ୍ଞାନ । ପାହାଚ ଦେଇ ୬ଚକ ବିଶିଷ୍ଠ ପ୍ରଜ୍ଞାନ ଓହ୍ଲାଇବା ପରେ ଚନ୍ଦ୍ରପୃଷ୍ଠରୁ କରିବ ତଥ୍ୟ ସଂଗ୍ରହ, ଖୋଜିବ ଖଣିଜ ପଦାର୍ଥ । ରୋଭର ପ୍ରଜ୍ଞାନରେ ଦୁଇଟି ପେଲୋଡ ରହିଛି ।
ପ୍ରଥମ ପେଲୋଡ ଲେଜର ଇଣ୍ଡ୍ୟୁସଡ ବ୍ରେକଡାଉନ ସ୍ପେକ୍ଟ୍ରୋସ୍କୋପ୍ ବା ଲିବ୍ସ ଓ ଦ୍ୱିତୀୟଟି ପେଲୋଡ ହେଉଛି, ଆଲଫା ପ୍ରାକ୍ଟିସ୍ ଏକ୍ସରେ ସ୍ପେକ୍ଟ୍ରୋମିଟର-ଏପିଏକ୍ସଏସ୍ । ଏହି ଦୁଇଟି ପେଲୋଡ ଚନ୍ଦ୍ରପୃଷ୍ଠରେ ବିଭିନ୍ନ ତଥ୍ୟ ସଂଗ୍ରହ କରିବ । ରୋଭର ପୃଥକ ହୋଇ ୧୪ ଦନ ପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠର ଅନୁଧ୍ୟାନ କରିବ । ପୃଥିବୀର ୧୪ ଦିନ ଚନ୍ଦ୍ରର ଗୋଟିଏ ଦିନ ହୋଇଥିବାରୁ ସୂର୍ଯ୍ୟକିରଣ ପଡୁଥିବା ବେଳେ ଭଲ ଭାବେ କାର୍ଯ୍ୟ କରିବ ପ୍ରଜ୍ଞାନ ରୋଭର । ସେହିପରି ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ୪ଟି ଯାକ ପେଲୋଡ ଚନ୍ଦ୍ରପୃଷ୍ଠରୁ ତଥ୍ୟ ସଂଗ୍ରହ କରିବେ ।
ତେବେ ଚନ୍ଦ୍ରଯାନର ସଫଳ ଅବତରଣ ପରେ ଇସ୍ରୋର କମାଣ୍ଡ୍ ସେଣ୍ଟର ତାଳିମାଡ଼ରେ କମ୍ପି ଉଠିଥିଲା। ସମଗ୍ର ଦେଶରେ ଖୁସିର ଲହରି ଖେଳିଯାଇଥିଲା । ଅବତରଣ ପୂର୍ବରୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ୧୭ ମିନିଟ୍ ସମସ୍ତଙ୍କ ହୃଦ୍ସ୍ପନ୍ଦନ ବଢ଼ାଇ ଦେଇଥିଲା । ତେବେ ସବୁକିଛି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଚାଲିଥିଲା ଏବଂ ଚନ୍ଦ୍ରରେ ସଫଳ ଅବତରଣ ସହ ଭାରତ ନୂଆ ଇତିହାସ ରଚିବାକୁ ସକ୍ଷମ ହେଲା । ସନ୍ଧ୍ୟା ଠିକ୍ ୬ଟା ୪ ମିନିଟ୍ରେ ସଫଳ ଅବତରଣ ପରେ ଇସ୍ରୋ ଦେଶବାସୀଙ୍କୁ ମିସନ ସଫଳତାର ଅଭିନନ୍ଦନ ଜଣାଇଥିଲା ।
ଇସ୍ରୋ ପକ୍ଷରୁ ଏକ୍ସ(ଟ୍ବିଟ୍ର)ରେ କୁହାଯାଇଥିଲା ‘ଚନ୍ଦ୍ରଯାନ-୩ ମିସନ: ଭାରତ, ମୁଁ ସଫଳତାର ସହ ଲକ୍ଷ୍ୟସ୍ଥଳରେ ପହଞ୍ଚିଛି ଏବଂ ଆପଣ ମଧ୍ୟ ! ଅଭିନନ୍ଦନ ଭାରତ!’ । ଏହି ଐତିହାସିକ ଅବତରଣ ପ୍ରକ୍ରିୟାର ସିଧା ପ୍ରସାରଣ ସନ୍ଧ୍ୟା ୫ଟା ୨୦ରୁ ଆରମ୍ଭ ହୋଇଥିଲା ଏବଂ ଚନ୍ଦ୍ରରେ ଅବତରଣ ସହିତ ଏହାର ପ୍ରରିସମାପ୍ତି ହୋଇଥିଲା । ଅବତରଣର ପ୍ରତ୍ୟେକଟି ସଫଳ ପର୍ଯ୍ୟାୟ ଇସ୍ରୋ ବୈଜ୍ଞାନିକଙ୍କ ମଧ୍ୟରେ ଆତ୍ମବିଶ୍ବାସ ଭରିଦେଉଥିଲା ଏବଂ ଚନ୍ଦ୍ରଯାନ ଚନ୍ଦ୍ରରେ ପାଦ ଥାପିବା ପରେ କମାଣ୍ଡ୍ ସେଣ୍ଟରରେ ଉତ୍ସବ ଆରମ୍ଭ ହୋଇଯାଇଥିଲା ।
The post ଅବତରଣ ପରେ ଲ୍ୟାଣ୍ଡର ବିକ୍ରମ, ରୋଭର ପ୍ରଜ୍ଞାନ ବାହାରିବା ପ୍ରକ୍ରିୟା ଜାରି : ଓହ୍ଲାଇବା ପରେ ଚନ୍ଦ୍ରପୃଷ୍ଠରୁ କରିବ ତଥ୍ୟ ସଂଗ୍ରହ, ଖୋଜିବ ଖଣିଜ ପଦାର୍ଥ first appeared on Kanak News.
from Kanak News https://ift.tt/lL46ucJ https://ift.tt/DWLl7x4
No comments: