ହକିର ଯାଦୁଗର, ଭାରତୀୟ ହକିର ଜନ୍ମଦାତା । ଜନ୍ମଦିନରେ ମନେ ପଡୁଛନ୍ତି ମେଜର ଧ୍ୟାନଚାନ୍ଦ । ୩ଟି ଅଲମ୍ପିକ୍ସରେ ଭାରତକୁ ଜିତେଇଥିଲେ ସ୍ୱର୍ଣ୍ଣ । Kanak News
କନକ ବ୍ୟୁରୋ: ମେଜର ଧାନଚାନ୍ଦ । ବାସ୍, ଏ ନାଁ ହିଁ କାଫି ତାଙ୍କୁ ଚିହ୍ନିବା ପାଇଁ ତାଙ୍କୁ ଜାଣିବା ପାଇଁ । ୩-୩ ଥର ଅଲିମ୍ପିକ ଗୋଲ୍ଡ ମେଡାଲ । ୧୮୫ ମ୍ୟାଚରେ ୫୭୦ ଇଣ୍ଟରନ୍ୟାସନାଲ ଗୋଲ । ଆଜିର ଦିନରେ ହକି ଖେଳାଳି ଯେତିକି ଗୋଲ୍ କରିପାରୁନାହାଁନ୍ତି । ତାଠୁ ଢେର ଗୁଣା ଅଧିକ ମ୍ୟାଚ୍ ଖେଳିଥିଲେ ମେଜର ଧ୍ୟାନଚାନ୍ଦ ।
ଆଜିର ଦିନ ଆମକୁ ଯାହା ସ୍ୱପ୍ନ ଭଳି ଦିଶୁଛି, ଦିନେ ସେଇ କଥାକୁ ସତ କରି ଦେଖାଉଥିଲେ ଧ୍ୟାନଚାନ୍ଦ । ଖାସ୍ ସେଇଥି ପାଇଁ ତ, ତାଙ୍କୁ ସମସ୍ତେ କହୁଥିଲେ ସେ ହେଉଛନ୍ତି କୁଆଡେ ଜଣେ ହକି ମ୍ୟାଜିସିଆନ୍ । ତାଙ୍କ ହକି ଷ୍ଟିକରେ ଚୁମ୍ବକ ଖଞ୍ଜା ହେଇ ରହିଛି । ଆଉ ହକି ବଲ, କୁଆଡେ କେବଳ ତାଙ୍କ ଷ୍ଟିକର ବୋଲ ମାନୁଛି ।
ଅଗଷ୍ଟ ୨୯, ୧୯୦୫ ମସିହା । ଇତିହାସର କ୍ୟାଲେଣ୍ଡର ପୃଷ୍ଠାରେ ଆମ ପାଇଁ କେବଳ ବର୍ଷ ଆଉ ତାରିଖ ଭାବେ ପରିଚିତ ଏ ଦିନ କିନ୍ତୁ ଧ୍ୟାନଚାନ୍ଦ ପାଇଁ ଥିଲା କିଛି ଖାସ୍ ଦିନ । ଏହି ଦିନ ହିଁ ପ୍ରୟାଗରାଜର ଏକ ସାଧାରଣ ପରିବାରରେ ଜନ୍ମ ନେଇଥିଲେ ଧ୍ୟାନ ସିଂହ । କୁନି ଧ୍ୟାନ ସିଂହଙ୍କ ପିଲାଦିନ ଅତି ସାଧାରଣ ଥିଲା । ହେଲେ ମାତ୍ର ୧୬ ବର୍ଷ ବୟସରେ ସେ ଭାରତୀୟ ସେନାରେ ଜଣେ ସିପାହୀ ଭାବେ ସାମିଲ ହେଇଯାଇଥିଲେ । ଆଉ ହକି ଖେଳିବା ଆରମ୍ଭ କରିଦେଇଥିଲେ । ଧ୍ୟାନ ସିଂହ ରାତିର ଜହ୍ନ ଆଲୁଆରେ ହକି ଅଭ୍ୟାସ କରୁଥିବାରୁ, ସାଙ୍ଗମାନେ ତାଙ୍କୁ ଚାନ୍ଦ ବୋଲି ଡାକୁଥିଲେ । ବାସ୍ ଏଇଠି ହିଁ ଧ୍ୟାନ ସିଂହ, ଧ୍ୟାନ ଚାନ୍ଦରେ ବଦଳିଯାଇଥିଲେ ।
୧୯୨୮,୧୯୩୨ ଆଉ ୧୯୩୬ ମସିହା । ଅଲମ୍ପିକରେ ଦେଶ ପାଇଁ ହକି ଖେଳିଥିଲେ ମେଜର ଧ୍ୟାନଚାନ୍ଦ । ଆଉ ମ୍ୟାଚ୍ ଏମିତି ଖେଳିଥିଲେ ଯେ, ତିନି ଥର ଯାକ ଅଲମ୍ପିକରେ ଭାରତ ଗୋଲ୍ଡ ମେଡାଲ ଜିତିଥିଲା । କୁହାଯାଏ, ଧ୍ୟାନଚାନ୍ଦଙ୍କ ଖେଳ ଦେଖି ତାନାସାହୀ ହିଟଲର ବି ତାଙ୍କୁ ସାଲ୍ୟୁଟ୍ କରିଥିଲା । ଆଉ ଜର୍ମାନ ସେନାରେ ଭର୍ତି ହେବାକୁ ଅଫର୍ ବି ଦେଇଥିଲା । ହେଲେ ହିଟଲରର ସେ ଅଫରକୁ ସିଧା ସିଧା ମନା କରିଦେଇଥିଲେ ଧ୍ୟାନଚାନ୍ଦ । ଯାହା ତାଙ୍କର ଦେଶପ୍ରେମର ପରିଚୟ ଦିଏ ।
- ୧୯୩୬ ମସିହା
- ଅଗଷ୍ଟ ୧୫ ତାରିଖ
ଭାରତ ସ୍ୱାଧୀନ ହେବାର ଠିକ୍ ୧୧ ବର୍ଷ ପୂର୍ବରୁ ଠିକ୍ ଏହି ଦିନରେ ବିଦେଶ ମାଟିରେ ସବୁଠୁ ଉଚ୍ଚରେ ଉଡିଥିଲା ଭାରତୀୟ ପତାକା । କାହିଁକି ନା ଜର୍ମାନୀକୁ ହରାଇ ବିଦେଶ ମାଟିରେ ଗୋଲ୍ଡ ମେଡାଲ ଜିତିଥିଲା ଭାରତୀୟ ହକି ଦଳ । ଯାହାର ଷ୍ଟାର ଥଲେ ମେଜର ଧ୍ୟାନଚାନ୍ଦ ।
୧୯୩୬ ଅଲିମ୍ପିକର ଫାଇନାଲରେ ଭାରତ ସହ ମୁହାଁମୁହିଁ ହେଇଥିଲା ଜର୍ମାନୀ । କୁହାଯାଏ, ସେତେବେଳେ ଏହି ମ୍ୟାଚ୍ ଦେଖିବାକୁ ୪୦ ହଜାର ଦର୍ଶକ ଷ୍ଟାଡିୟମରେ ଭର୍ତି ହେଇ ରହିଥିଲେ । ଖୋଦ୍ ଜର୍ମାନ ଶାସକ ଆଡଲଫ୍ ହିଟଲର ବି ଏହି ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମକୁ ଆସିଥିଲେ । ଆଉ ସମସ୍ତଙ୍କ ସାମ୍ନାରେ ଜର୍ମାନକୁ ହରାଇ ରେକର୍ଡ କରିଥିଲା ଟିମ୍ ଇଣ୍ଡିଆ । ୮ଟି ଗୋଲରୁ ଏକା ଧ୍ୟାନଚାନ୍ଦ ୬ଟି ଗୋଲ ଦେଇଥିଲେ । ଯାହାକୁ ଦେଖି ହିଟଲର ନିଜେ ତାଙ୍କୁ ହକିର ଯାଦୁଗର ଉପାଧି ଦେଇଥିଲେ । ଏହା ଭିତରେ ଭାରତୀୟ ହକିରେ ଅନେକ ପରିବର୍ତନ ହେଇଛି । ଅନେକ ଖେଳାଳି ଆସିଛନ୍ତି,ଯାଇଛନ୍ତି । ହେଲେ ଆଜି ବି ଧ୍ୟାନଚାନ୍ଦ ହକି ଆକାଶର ସେମିତି ଗୋଟେ ଚାନ୍ଦ ହେଇ ରହିଛନ୍ତି ଆଉ ଆଗକୁ ରହିବେ ମଧ୍ୟ ।
The post ହକିର ଯାଦୁଗର, ଭାରତୀୟ ହକିର ଜନ୍ମଦାତା । ଜନ୍ମଦିନରେ ମନେ ପଡୁଛନ୍ତି ମେଜର ଧ୍ୟାନଚାନ୍ଦ । ୩ଟି ଅଲମ୍ପିକ୍ସରେ ଭାରତକୁ ଜିତେଇଥିଲେ ସ୍ୱର୍ଣ୍ଣ । first appeared on Kanak News.
from Kanak News https://ift.tt/NvG9Z4Y https://ift.tt/0z5HR9t
No comments: