ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ସମ୍ବୋଧନ : ଜାତୀୟ ମହିଳା କମିଶନଙ୍କ ନିକଟରେ ପହଞ୍ଚିଲା ମାମଲା, ଅଧୀରଙ୍କୁ ହାଜର ହେବାକୁ ନୋଟିସ୍ Kanak News

କନକ ବ୍ୟୁରୋ : ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ବିବାଦିୟ ବୟାନକୁ ନେଇ ସଂସଦରେ ହଟଗୋଳ । ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହିବା କଂଗ୍ରେସର ମହିଳା ବିରୋଧୀ, ଦଳିତ ବିରୋଧୀ ନୀତି ବୋଲି କହିଛନ୍ତି ସ୍ମୃତି ଇରାନି । କଂଗ୍ରେସ ସାଂସଦଙ୍କ ଏଭଳି ବୟାନ ପାଇଁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ଦୁଇ ମହିଳା କେନ୍ଦ୍ରମନ୍ତ୍ରୀ । ମଙ୍ଗଳବାର କଂଗ୍ରେସ ସାଂସଦମାନେ ବିଜୟ ଚୌକରେ ବିକ୍ଷୋଭ କରୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ କୁଆଡେ ଯିବେ ବୋଲି ପ୍ରଶ୍ନ କରି୍ଥିଲେ । ଆଉ ପ୍ରଶ୍ନର ଉତ୍ତର ଦେଇ ସେମାନେ ରାଷ୍ଟ୍ରପତ୍ନୀ ଭବନ ଯିବେ ବୋଲି ଅଧୀର ରଞ୍ଜନ କହିଥିଲେ ।
ସେପଟେ ମାମଲା ଯାଇ ପହଞ୍ଚିଛି ରାଷ୍ଟ୍ରୀୟ ମହିଳା କମିଶନଙ୍କ ନିକଟରେ । କଂଗ୍ରେସ ନେତାଙ୍କୁ ନୋଟିସ ପଠାଇ ଜବାବ ମାଗିଛି ମହିଳା କମିଶନ । ଅଗଷ୍ଟ ୩ରେ ମହିଳା କମିଶନ ନିକଟରେ ହାଜର ହୋଇ ସ୍ପଷ୍ଟୀକରଣ ରଖିବାକୁ ନୋଟିସରେ କୁହାଯାଇଛି । କେବଳ ସେତିକି ନୁହେଁ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ହସ୍ତକ୍ଷେପ ଲୋଡିଛି ମହିଳା କମିଶନ । ଅଧୀରଙ୍କ ବୟାନକୁ ଗୁରୁତର ସହ ନେଇ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛି ରାଷ୍ଟ୍ରୀୟ ମହିଳା କମିଶନ ।
ଇତି ମଧ୍ୟରେ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ସେ ତାଙ୍କ ଭୁଲ୍ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବ୍ୟକ୍ତିଗତ ଭାବେ ଭେଟିବେ ଏବଂ କ୍ଷମା ମାଗିବେ । ଠକ ମାନଙ୍କୁ ସେ କ୍ଷମା ମାଗିବେନି ବୋଲି କହିଛନ୍ତି । ରାଷ୍ଟ୍ରପତିଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟରେ ସେ କିଛି କହିନାହାନ୍ତି କି ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା । ଏହା ତାଙ୍କ ପାଟିରୁ ଖସି ଯାଇଛି । ଅଧୀର କହିଛନ୍ତି, ‘ଏଭଳି ଭୁଲ୍ କରିବାପରେ ଏହି ଭିଡିଓ ପ୍ରସାରଣ ନକରିବାପାଇଁ ମୁଁ ସାମ୍ବାଦିକମାନଙ୍କୁ ଅନୁରୋଧ କରିବାକୁ ଚାହୁଥିଲି, କିନ୍ତୁ ସେମାନଙ୍କୁ ମୁଁ ପାଇନଥିଲି । ବିଜେପି ତିଳକୁ ତାଳ କରୁଛି। ମୁଁ କ’ଣ କରିପାରିବି । ମୁଁ ଜାଣିଛି ମୁଁ ଭୁଲ୍ କହିଦେଇଛି ।’
The post ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ସମ୍ବୋଧନ : ଜାତୀୟ ମହିଳା କମିଶନଙ୍କ ନିକଟରେ ପହଞ୍ଚିଲା ମାମଲା, ଅଧୀରଙ୍କୁ ହାଜର ହେବାକୁ ନୋଟିସ୍ first appeared on Kanak News.
from Kanak News https://ift.tt/i7CMrKO https://ift.tt/n6Pu5yf
No comments: