କନକ ବ୍ୟୁରୋ : ନ୍ୟାସନାଲ ହେରାଲ୍ଡ ଅର୍ଥ ହେରଫେର ମାମଲାରେ ଇଡି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ସୋମବାର ଆଠ ଘଣ୍ଟା ଜେରା କରିଛି । ପୂର୍ବରୁ ଇଡି ପକ୍ଷରୁ ରାହୁଲଙ୍କୁ ସମନ କରାଯାଇଥିଲା । କିନ୍ତୁ ସେ ବିଦେଶ ଗସ୍ତରୁ ଫେରିବା ପରେ ଇଡି ନିକଟରେ ହାଜର ହେବାକୁ ବାଧ ହୋଇଛନ୍ତି । ତେବେ ଆଜି ପୁଣି ଥରେ ରାହୁଲ ଗାନ୍ଧୀ ଇଡିରେ ହାଜର ହେବେ । ସୋମବାର ପ୍ରଥମ ପର୍ଯ୍ୟାୟ ଜେରା ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା । ଲଞ୍ଚ ବ୍ରେକ୍ ପରେ ଦ୍ବିତୀୟ ପର୍ଯ୍ୟାୟ ଜେରା ଅପରାହ୍ଣ ୩ଟା ୪୫ରୁ ଆରମ୍ଭ ହୋଇ ୬ ଘଣ୍ଟା ଧରି ଚାଲିଥିଲା। ରାହୁଲଙ୍କୁ ଇଡିର ଜଣେ ଉପନିର୍ଦ୍ଦେଶକ ପାହ୍ୟା ଅଧିକାରୀ ଜେରା କରିଥିଲେ । ଆଉ ଦୁଇ ଜଣ ଅଧିକାରୀ ପର୍ଯ୍ୟବେକ୍ଷଣ କରିଥିଲେ । ମନି ଲଣ୍ଡରିଂ ନିବାରଣ ଆଇନର ଧାରା ୫୦ ଅନୁସାରେ ରାହୁଲଙ୍କୁ ପଚରାଯାଇଥିବା ପ୍ରଶ୍ନ ଓ ତା’ର ଉତ୍ତରକୁ ରେକର୍ଡ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ ନ୍ୟାସନାଲ ହେରାଲ୍ଡ ଖବରକାଗଜ ଆସୋସିଏଟେଡ୍ ଜର୍ନାଲ୍ସ ଲିମିଟେଡ୍ ଦ୍ବାରା ପ୍ରକାଶିତ ହେଉଥିଲା । ଆର୍ଥିକ ସଙ୍କଟରୁ ଉଦ୍ଧାର କରିବା ଲାଗି କଂଗ୍ରେସ ଏଜେଏଲ୍କୁ ଋଣ ଦେଇଥିଲା । ଏଜେଏଲ୍ ଋଣ ସୁଝି ନପାରିବାରୁ ୱାଇଆଇଏଲ୍ ଏହାକୁ ଅଧିଗ୍ରହଣ କରିଥିଲା । ଏହି ସଂସ୍ଥା ସହିତ ଗାନ୍ଧି ପରିବାର ଓ ଅନେକ କଂଗ୍ରେସ ନେତା ସଂପୃକ୍ତ ଅଛନ୍ତି । ଏହି ଅଧିଗ୍ରହଣକୁ ନେଇ ବିବାଦ ଉଠିଛି । ଅଭିଯୋଗ ହୋଇଛି ଏହି ମାମଲାରେ କୋଟି କୋଟି ଟଙ୍କା ହେଫେର ହୋଇଛି । ଏହାକୁ ଆଧାର କରି ଇଡି ରାହୁଲଙ୍କୁ ଜେରା କରୁଛି । ଏହି ମାମଲାରେ ସୋନିଆ ଗାନ୍ଧିଙ୍କୁ ମଧ୍ୟ ଇଡି ଜେରା କରିବ । ଅସୁସ୍ଥତା କାରଣରୁ ସେ ହସ୍ପିଟାଲରେ ଥିବା ବେଳେ ଜୁନ୍ ୨୩ରେ ତାଙ୍କୁ ଇଡି ମୁଖ୍ୟାଳୟରେ ହାଜର ହେବାକୁ ସାନି ସମନ ଜାରି କରାଯାଇଛି ।
ରାହୁଲ ସୋମବାର ଦିନ ଇଡି ଅଫିସ ଯିବା ସମୟରେ କଂଗ୍ରେସ ବଡ଼ ଧରଣର ବିକ୍ଷୋଭ କରିବାକୁ ଯୋଜନା କରିଥିଲା । କିନ୍ତୁ ଦିଲ୍ଲୀ ପୁଲିସ ଏଥିଲାଗି ଅନୁମତି ଦେଇନଥିଲା । ରାହୁଲଙ୍କ ସହିତ ଆସୁଥିବା ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ଅଟକାଇବା ଲାଗି ଇଡି ଅଫିସ ସମ୍ମୁଖରେ ବ୍ୟାରିକେଡ୍ ଲଗାଇଥିଲା । ବ୍ୟାରିକେଡ୍ ପାଖରେ ସେମାନଙ୍କୁ ଅଟକାଇବାରୁ ଚିଦମ୍ବରମ, ବେଣୁଗୋପାଳ, ଜୟରାମ ରମେଶ ପ୍ରମୁଖ ଧାରଣାରେ ବସିଥିଲେ । ସେମାନଙ୍କୁ ପୁଲିସ ଉଠାଇନେଇଥିଲା । ଜେରା ପୂର୍ବରୁ ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟ ବାହାରେ ବିକ୍ଷୋଭରତ ଅନେକ କଂଗ୍ରେସ କର୍ମୀଙ୍କୁ ଅଟକ ରଖାଯାଇଥିଲା । ବିଭିନ୍ନ ଥାନାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, କେସି ବେଣୁଗୋପାଳ ପ୍ରମୁଖଙ୍କୁ ଅଟକ ରଖାଯାଇଛି ।
The post ଆଜି ପୁଣି ଇଡିରେ ହାଜର ହେବେ ରାହୁଲ ଗାନ୍ଧୀ : ପଚରାଉଚରା କରିବେ ବରିଷ୍ଠ ଅଧିକାରୀ first appeared on Kanak News.
from Kanak News https://ift.tt/urCwyI9 https://ift.tt/9L3PXzF
No comments: