ମହାପ୍ରଭୁ ଜଗନ୍ନାଥଙ୍କ ରୋଷଘର ନୀତି; ଜାଣନ୍ତୁ କେଉଁସବୁ ପରିବା ବ୍ୟବହୃତ ହୁଏ Pramod Behera

ପରମ୍ପରାରେ ବନ୍ଧା ମହାପ୍ରଭୁ ଜଗନ୍ନାଥଙ୍କ ସମସ୍ତ ନୀତିକାନ୍ତି। ସେଥିମଧ୍ୟରୁ ରୋଷଘର ବା ଭୋଗ ପରମ୍ପରା ଅନ୍ୟତମ। ସ୍ୱତ୍ତ୍ୱଲିପି ମୁତାବକ ଶ୍ରୀମନ୍ଦିର ରୋଷ ଘରେ ୨୪୦ଟି ଚୁଲି ଅଛି ଓ ସେଥିମଧ୍ୟରୁ କେତେକ କୋଠ ଭୋଗ ଚୁଲି ରୂପେ ପରିଚିତ। ଶ୍ରୀମନ୍ଦିରରେ ବିରାଜିତ ଶ୍ରୀବିଗ୍ରହମାନଙ୍କ ଉଦ୍ଦେଶ୍ୟରେ ନାନାଦି ନୈବେଦ୍ୟ ଭୋଗ ଲାଗି କରାଯାଇଥାଏ। ସେଥି ମଧ୍ୟରୁ ଦୁଇଟି ପ୍ରମୁଖ ନୈବେଦ୍ୟ ହେଉଛି ବଲ୍ଲଭ ଭୋଗ ଓ ସକାଳ ଧୂପ।

ବଲ୍ଲଭ ଭୋଗ :

ଏହି ଭୋଗ ଗୋପାଳ ବଲ୍ଲଭ ନାମରେ ମଧ୍ୟ ଜଣା। ଏଇ ଭୋଗରେ ପାଗ ଖଇ, ପାଚିଲା କଦଳୀ, ଦହି, ସର, ଖୁଆ ମଣ୍ଡା, ସେଓ, ଚାଉଳିଆ, ନଡ଼ିଆ ପାତି, କମଳା, ସେପେଟା, କାକୁଡ଼ି ଆଦି ନୈବେଦ୍ୟ ହୋଇଥାଏ। ଏହା ହିଁ ମହାପ୍ରଭୁଙ୍କ ପ୍ରଥମ ଶୁଖିଲା ଭୋଗ। ଏ ସବୁ ଜିନିଷ ମନ୍ଦିର ସୁପରିଟେଣ୍ଡେଣ୍ଟ୍(ରାଜା)ଙ୍କ ତରଫରୁ ଯୋଗାଇ ଦିଆଯାଏ। ଏହି ଭୋଗ ଅଣସର ପିଣ୍ଡିରେ ହୁଏ।

ସକାଳ ଧୂପ :

ସକାଳ ଧୂପକୁ ରାଜଭୋଗ ମଧ୍ୟ କୁହାଯାଏ। ଏହା ସକାଳ ୧୦ଟାରେ କରାଯାଏ। ଏହା ହେଉଛି ମହାପ୍ରଭୁଙ୍କର ପ୍ରଥମ ସଙ୍କୁଡି ଭୋଗ।

ସକାଳ ଧୂପରେ ସାଦା ଅନ୍ନ, ମୁଗ ଖେଚୁଡ଼ି, ପାଚେଡି, ଖେଚେଡି, ଘିଅ ଅନ୍ନ, ଡାଲି, ଡାଲମା, ଶାଗ, ବେସର, ଭଜା, ମହୁର, ଖଟା, ବିଭିନ୍ନ ବିରି ଓ ଅଟା ଜାତୀୟ ପିଠା, ପଠାପୁଳୀ, ବୁନ୍ଦିଆ କ୍ଷୀରି ଇତ୍ୟାଦି ନିର୍ଦ୍ଦିଷ୍ଟ ସଂଖ୍ୟା ଓ ପରିମାଣରେ ଲାଗିଥାଏ। ସ୍ଥଳ ବିଶେଷରେ ମାଟି କୁଡୁଆ, ପିତଳ ହାଣ୍ଡିରେ ରନ୍ଧନ କରାଯାଇ ଭୋଗ ବଢାଯାଏ। ପଞ୍ଚୋପଚାର/ଷୋଡ଼ଶପଚାର ମନ୍ତ୍ରରେ ପୂଜା କରାଯାଏ। ଏହି ପୂଜା ଅଷ୍ଟାଦଶାକ୍ଷର ଗୋପାଳ ମନ୍ତ୍ର / ଏକାକ୍ଷରୀ ଭୁବନେଶ୍ୱରୀ ମନ୍ତ୍ର ଏବଂ ଓଁ ନମୋ ଭଗବତେ ବାସୁଦେବାୟ (ଦ୍ୱାଦଶାକ୍ଷର) ମନ୍ତ୍ରରେ ପୂଜା କରାଯାଏ।

ଅନ୍ୟାନ୍ୟ ଭୋଗ-

ଦ୍ୱିତୀୟ ସଙ୍କୁଡି ଧୂପ:

ମହାପ୍ରଭୁଙ୍କ ମଧ୍ୟାହ୍ନ ଭୋଜନକୁ ଦ୍ୱିତୀୟ ସଙ୍କୁଡି ଧୂପ କୁହାଯାଏ। ଏହି ଧୂପରେ ବହୁ ପ୍ରକାର ଅନ୍ନ, ଶାକର ଏବଂ କଦମ୍ବା ଆରିସା, ଧାଉଳା, ମାଠପୁଳି, ବଡା, ତ୍ରିପୁରୀ, ନାଡି, ମନୋହର, କାକରା, ମରିଚ ଲଡୁ, ପିଠା, ସର, ପଣା, ମୁଗ, ବଡିଖିରିଷା, ଦୁଧ ଓ ଗଜା ପ୍ରଭୁତି ମିଷ୍ଠାନ ଭୋଗ ଦିଆଯାଏ। ୧୯୧୦ ମସିହାରେ ଏହି ଭୋଗର ସଂଖ୍ୟା ୪୩୫ ଥିଲା।

ସନ୍ଧ୍ୟା ଧୂପ:

ଏହି ଧୂପରେ ଅନ୍ନ ଭୋଗ ହୁଏ ନାହିଁ। କେବଳ କଅଁଳ ପୁଳି, ଟାଗୁଆ, ମାଠପୁଳି, ଭୋଗପିଠା, ଗୋଟାଳି, କାକରା, ଖରୁମା, ଅମାଲୁ, ଚଢେଇନେଦା, କଡମ୍ବା ଓ ସୁବାସ ପଖାଳ ପ୍ରଭୁତି ମିଷ୍ଟାନ୍ନ ଓ ଅନ୍ୟାନ୍ୟ ଭୋଗମାନ ଲାଗି କରାଯାଏ।

ବଡସିଂହାର ଧୂପ:

ଏହି ଧୂପରେ କେବଳ କଦଳିବଡା, ପିଠା, କ୍ଷୀରୀ, କାଞ୍ଜି ଓ ଶାକର ଭୋଗ ଦିଆଯାଏ।

ବ୍ୟବହୃତ ପରିବା:

ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଭୋଗରେ ଦେଶୀଆଳୁ, କଖାରୁ, କଞ୍ଚା କଦଳୀ, ପଣସ, ମୂଳା, ପୋଟଳ, ଶିମ୍ବ, କାଙ୍କଡ଼, ଜହ୍ନି, ବାଇଗଣ, ସାରୁ, କନ୍ଦମୂଳ, ଅଦା, ଧନିଆପତ୍ର, ନଡ଼ିଆ ପ୍ରଭୃତି ଡାଲମା ଓ ତରକାରୀ ଇତ୍ୟାଦିରେ ବ୍ୟବହୃତ ହୋଇଥାଏ। କୋଶଳା, ଲେଉଟିଆ ଓ ଅଗସ୍ତି ଶାଗ ବ୍ୟତିତ ଅନ୍ୟ କୌଣସି ଶାଗ ଭୋଗରେ ବ୍ୟବହାର କରାଯାଏ ନାହିଁ।

ତେଲ ଓ ମସଲା:

ଭୋଗ ପ୍ରସ୍ତୁତିରେ ତେଲ ବ୍ୟବହାର କରାଯାଏ ନାହିଁ, କେବଳ ଘିଅ ବ୍ୟବହୃତ ହୁଏ। ଜିରା, ଗୋଲମରିଚ, ଡାଲଚିନି, ବଡ଼ ଅଳେଇଚ, ହେଙ୍ଗୁ, ପାନମଧୁରୀ, ସୋରିଷ ଇତ୍ୟାଦି ଭୋଗ ଦ୍ରବ୍ୟ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ।

ମନ୍ଦିରରେ ନିଷିଦ୍ଧ:

ପରିବା : ବିଲାତି ଆଳୁ, ଟମାଟୋ, ସଜନା ଛୁଇଁ, ଅମୃତଭଣ୍ଡା, ଲାଉ, ଭେଣ୍ଡି, ପିଆଜ ଷଣ୍ଢା, ଝୁଡ଼ଙ୍ଗ, କ୍ୟାପ୍‌ସିକମ୍‌, କଞ୍ଚାଲଙ୍କା, ଫୁଲ କୋବି, ପତ୍ର କୋବି, ବିମ୍, କଲରା, ବିଟ୍, ଗାଜର, ମଟର ଛୁଇଁ, ଇତ୍ୟାଦି ନିଷିଦ୍ଧ।

ମସଲା : ପିଆଜ, ରସୁଣ, ଲଙ୍କାଗୁଣ୍ଡ, ଗରମ ମସଲା, କଳାଜିରା, କାଜୁ, ଗୁଜୁରାତି ନିଷିଦ୍ଧ।

ଆନନ୍ଦବଜାରଠାରେ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଭକ୍ତମାନେ ଏକାଠି ବସି ମହାପ୍ରସାଦ ସେବନ କରି ଥାଆନ୍ତି।



from Latest Odisha News, Breaking News Today | Top Updates on Corona - OTV News https://ift.tt/jJfGOlC
ମହାପ୍ରଭୁ ଜଗନ୍ନାଥଙ୍କ ରୋଷଘର ନୀତି; ଜାଣନ୍ତୁ କେଉଁସବୁ ପରିବା ବ୍ୟବହୃତ ହୁଏ Pramod Behera ମହାପ୍ରଭୁ ଜଗନ୍ନାଥଙ୍କ ରୋଷଘର ନୀତି; ଜାଣନ୍ତୁ କେଉଁସବୁ ପରିବା ବ୍ୟବହୃତ ହୁଏ Pramod Behera Reviewed by SUBHENDU BARAL on May 17, 2022 Rating: 5

No comments:

Powered by Blogger.